ପୋଲସରା ,୧୦/୦୮(ପିପିଟି): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରେଞ୍ଜ ଇଲାକାରେ ରାସ୍ତା ମଝିରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ କଲରାପତିରିଆ ବାଘ ଟିଏ ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଭଞ୍ଜନଗର ଠାରୁ ମାତ୍ର ସାତ କିଲୋମିଟର ଦୂର ଫୁଲବାଣୀ ରାସ୍ତାର ବୁଦୁଲି ଓ ମୁଜାଗଡ଼ ଗ୍ରାମ ମଧ୍ୟଭାଗରେ ବିଳମ୍ବିତ ରାତିରେ ବାଘଟି ରାସ୍ତା ପାରହୋଇ ଯାଉଥିବା ସମୟରେ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା ଯା’ଫଳରେ ରାସ୍ତା ମଝିରେ ପଡି ଛଟପଟ ହେଉଥିଲା । ରାସ୍ତାରେ ଯାଉଥିବା ଲୋକମାନେ ଏ ଦୃଶ୍ୟକୁ ଦେଖିଥିବା ସହ କିଏ କିଏ ବୈଦ୍ୟାନ ବ୍ୟକ୍ତି ପାଣି ଦେଉଥିବା ଜଣାଯାଇଛି । ବାଘର ମୁଁହରୁ ପ୍ରବଳ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଥିଲା ।ତା’ପରେ ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆହତ ବାଘଟିକୁ ଭଞ୍ଜନଗର ବନ୍ୟପ୍ରାଣୀ ଚିକିତ୍ସାଳୟକୁ ନେଇଥିଲେ ।ଚିକିତ୍ସା ସମୟରେ ହିଁ ବାଘଟିର ପ୍ରାଣବାୟୁ ଉଡିଯାଇଥିବା ଡାକ୍ତର ଠାରୁ ପ୍ରକାଶ । ବ୍ୟବଚ୍ଛେଦ କରାଯିବା ପରେ ଅନ୍ତିମ ସଂସ୍କାର କରାଯାଇଥିଲା । ବାଘଟିର ବୟସ ତିନି ବର୍ଷ କି ଚାରି ବର୍ଷ ହେବବୋଲି ଅନୁମାନ କରିଥିଲେ । ୨୦୨୧ ଜାନୁଆରୀ ମାସରେ ଏମିତି ଏକ ବାଘଟିଏ ଏଇ ଘୁମୁସର ଡିଭିଜନ ବୁଗୁଡ଼ା ଅଧିନସ୍ଥ ବନାଞ୍ଚଳର ମୁଣ୍ଡାଖାଇ ପାହାଡ଼ରେ ଶିକାରୀର ବାରହା ଫାଶରେ ପଡିଯାଇଥିଲା । ତତ୍କାଳୀନ ବନାଞ୍ଚଳ ଅଧିକାରୀ ଖବରପାଇ ଉଦ୍ଧାର କରିଥିଲେ ସତ କିନ୍ତୁ ଚିକିତ୍ସାରେ ଅବହେଳା କରିଥିବା ଯୋଗୁଁ ସେହି ବାଘଟିର ମଧ୍ୟ ମୃତ୍ୟୁ ହୋଇଯାଇଥିବା ଯୋଗୁଁ ଆଲୋଡନ ସୃଷ୍ଟି ହୋଇଥିଲା । ତା’ପୂର୍ବରୁ ୨୦୧୫ ରେ ମଧ୍ୟ ଚନ୍ଦ୍ରଗିରି ଜଙ୍ଗଲରେ ଶିକାରୀଙ୍କ ଗୁଳିରେ ଏକ ବାଘ ମୃତ୍ୟୁ ହୋଇଥିଲା । ଏମିତିକା ବାଘ,ହାତୀ,ହରିଣ ଏବଂ ଅନାନ୍ୟ ବନ୍ୟ ଜୀବଜନ୍ତୁଙ୍କ ଶିକାରୀଙ୍କ ପାର୍ଦୁଭାବରେ ପଡି କ୍ଷୟ ହେବାରେ ଲାଗୁଛି ଏଣୁ ଏହାର ସୁରକ୍ଷା ଓ ବଂଶବୃଦ୍ଧି ନେଇ ସଚେତନତାର ଆବଶ୍ୟକ ବୋଲି ଗଞ୍ଜାମ ଜ଼ିଲ୍ଲା ବୁଗୁଡ଼ା ଅଞ୍ଚଳର ପରିବେଶବିତ୍ ତଥା ପ୍ରକୃତି ପ୍ରେମୀ ତ୍ରିଲୋଚନ ପଣ୍ଡା କ୍ଷୋଭପ୍ରକାଶ କରିଥିବା ସହ ଦାବୀ ଜଣାଇଛନ୍ତି ।
ରିପୋର୍ଟ – ସନ୍ତୋଷ କୁମାର ପଣ୍ଡାଙ୍କ