ପୋଖରୀରେ ବୁଡ଼ି ବୃ୍ଦ୍ଧଙ୍କ ମୃତ୍ୟୁ; ୧୪ ଘଣ୍ଟା ପରେ ଶବ ଉଦ୍ଧାର ।

ବେଲଗୁଣ୍ଠା,୧୮/୦୪(ପିପିଟି); ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ପଞ୍ଚାୟତ ବୋରି ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ୮୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ସୂଚନା ପ୍ରକାରେ ବୋରି ଗ୍ରାମର ଭଗବାନ ବିଷୋୟୀ (୮୫) ଗତ କାଲି ଅପରାହ୍ଣ ଚାରି ଘଣ୍ଟା ସମୟରେ ଗ୍ରାମର ଗୋମାତା ପୋଖରୀକୁ ଶୌଚ ହେବା ପାଇଁ ଯାଇଥିବା ସମୟରେ ହଠାତ୍ ତାଙ୍କର ଗୋଡ଼ ଖସିଯିବାରୁ ପୋଖରୀ ଭିତରେ ବୁଡ଼ି ଯାଇଥିଲେ । କିଛି ଗ୍ରାମବାସୀ ପୋଖରୀ ପାହାଚ ଉପରେ ଭଗବାନଙ୍କ ବଙ୍କୁଲି ବାଡ଼ି ଏବଂ ଚାଦରକୁ ଦେଖି ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । ଅପରାହ୍ଣ ସମୟରେ ଭଞ୍ଜନଗର ଅଗ୍ନିଶମ ବାହିନୀ ଆସି ପୋଖରୀ ଭିତରେ ଖୋଜାଖୋଜି କରି ଭଗବାନଙ୍କ ସନ୍ଧାନ ନପାଇ ନିରାଶ ହୋଇ ଫେରି ଯାଇଥିଲେ । ଘଟଣା ନେଇ ଗାଙ୍ଗପୁର ଥାନାରେ ଜଣାଇବା ପରେ ଥାନା ଅଧିକାରୀ ଧୀରେଶ କୁମାର ଦାଶ ସଦଳବଳେ ପୋଖରୀ ତୁଠକୁ ଯାଇଥିଲେ ମଧ୍ଯ ବୃଦ୍ଧଙ୍କର କୌଣସି ସୂଚନା ନପାଇ ଫେରି ଆସିଥିଲେ । ଆଜି ସକାଳେ ଭଗବାନଙ୍କର ଶବ ପୋଖରୀରେ ଭାସୁଥିବାର ଦେଖି ପୁଣି ଗାଙ୍ଗପୁର ଥାନାକୁ ଖବର ଦେବା ପରେ ଗାଙ୍ଗପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସକାଳ ୯ ଘଣ୍ଟା ୩୦ ମିନଟ୍ ସମୟରେ ଭଗବାନଙ୍କ ଶବକୁ ଉଦ୍ଧାର କଲା ପରେ ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ୍ କୁ ପଠାଇଦେଇଥିବା ଜଣା ପଡିଛି । ପ୍ରକାଶ ଥାଉ କି ମୃତ ଭଗବାନଙ୍କର ଦୁଇ ପୁଅ ପୂର୍ବରୁ ମୃତ୍ୟୁ ବରଣ କରିଥିବାବେଳେ ଚାରି ଝିଅ ବାହା ହୋଇ ଶାଶୁ ଘରେ ଥିବାରୁ ଭଗବାନ କେବଳ ନିଜ ସ୍ତ୍ରୀଙ୍କ ସହ ବୋରି ଗ୍ରାମରେ ରହି ଆସୁଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment