ବେଲଗୁଣ୍ଠା,୨୮/୧୧(ପିପିଟି):ବେଲଗୁଣ୍ଠା ବାଙ୍କ ବଜାର ନିକଟସ୍ଥ ପିଲାଖାଇ ପୋଖରୀରେ ବୁଡି ଜଣେ ଚାରି ବର୍ଷର ବାଳକର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଆଜି ସକାଳ ୧୧.୩୦ ମିନିଟ୍ ସମୟରେ ପିଲାଖାଇ ପୋଖରୀ ହୁଡ଼ାରେ ମାଁ ପ୍ରଭାସିନୀ ପ୍ରତିଦିନ ପରି ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ଗୁଡ଼ି ବାଡେଇବା କାମ ଜାରି ରଖିଥିଲେ । ଏହି ସମୟରେ ମୃତ ସୀମାଞ୍ଚଳଙ୍କ ପୁଅ ଗୋପାଳ କିଛି ସାଙ୍ଗ ସହିତ ସେଠାରେ ଖେଳୁଥିଲା ।ସେହି ସମୟରେ ଅସାବଧାନତା ବଶତଃ ତାର ଗୋଡ ଖସି ସେ ପୋଖରୀ ଭିତରକୁ ଚାଲି ଯାଇଥିଲା । କିଛି ସମୟ ପରେ ତାକୁ ଖୋଜାଖୋଜି କରିବା ପରେ ପୋଖରୀରୁ ତାକୁ ଉଦ୍ଧାର କରି ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ଅଧିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ଭଞ୍ଜନଗର ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ଡାକ୍ତର ସେଠାରେ ଗୋପାଳକୁ ମୃତ ଘୋଷଣା କରିଥିଲେ । ଖବର ପାଇ ବେଲଗୁଣ୍ଠା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଭଞ୍ଜନଗର ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇ ମରଶରୀର ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ୪ ବର୍ଷର ଏକମାତ୍ର ପୁତ୍ର ସନ୍ତାନର ମୃତ୍ୟୁରେ ମାଁ ପ୍ରଭାସିନୀ ଓ ୩ ଭଉଣୀ ସମ୍ପୁର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ବେଲଗୁଣ୍ଠା ଖଦାଳ ସାହିରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମାଁ ପ୍ରଭାସିନୀ ଓ ତାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଓ ୬ ମାସ ପୁର୍ବରୁ ସ୍ୱାମୀ ସୀମାଞ୍ଚଳ ଓ ଏବେ ପୁତ୍ରକୁ ହରାଇବା ପରେ ପରିବାର ସମ୍ପୁର୍ଣ୍ଣ ବେସାହାରା । ଏହି ଅବସରରେ ତାଙ୍କୁ ସରକାରୀ ସାହାଯ୍ୟ ମିଳୁ ବୋଲି ସାହି ବାସିନ୍ଦା ଦାବି କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )