ପୋଲିସ କର୍ମଚାରୀଙ୍କ ଦ୍ବାରା ୮୫ ଏକର ଗଞ୍ଜେଇ ଗଛ ନଷ୍ଟ।

ମାଲକାନଗିରି,୦୩/୧୨(ପିପିଟି): ମାଲକାନଗିରି ଜିଲ୍ଲା ପୋଲିସ କ୍ରମାଗତ ଭାବେ ହଜାର ହଜାର ଜଙ୍ଗଲ ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରିବାରେ ସକ୍ଷମ ହୋଇଛି । ବିଶେଷ କରି ବାଲିମେଳା ଏବଂ ଚିତ୍ରକୋଣ୍ଡା ପାହାଡ ପାଦ ଦେଶରେ ବହି ଯାଉଥିବା ଝରଣା କୂଳର ଦୁଇ ପାର୍ଶ୍ବରେ ଗଞ୍ଜେଇ ଚାଷ କରିଥାନ୍ତି । ଏ ସବୁ ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ କରି ସ୍ଥାନୀୟ ଅଧିବାସୀମାନେ ଜୀବିକା ନିର୍ବାହ କରୁଥିବା ବେଳେ ଉକ୍ତ ଅଞ୍ଚଳରେ ଜଳ ସେଚନର ସୁବିଧା ନଥିବାରୁ ଲୋକମାନେ ବିକଳ୍ପ ପନ୍ଥା ଭାବେ କେଉଁ ଅତୀତରୁ ଗଞ୍ଜେଇ ଚାଷକୁ ମୁଖ୍ଯ ଜୀବିକାର୍ଜ୍ଜନର ମାଧ୍ଯମ ରୂପେ ଅବଲମ୍ବନ କରି ଆସିଛନ୍ତି । ତେବେ ଏହି ଦୁର୍ଗମ ଅଞ୍ଚଳକୁ ପୂର୍ବରୁ ମାଓବାଦୀଙ୍କ ପ୍ରାଦୁର୍ଭାବ ଥିବାରୁ ପୋଲିସ ଏବଂ ଅବକାରୀ କର୍ମଚାରୀମାନେ ଯିବା ଲାଗି ବିପଦ ମୁକ୍ତ ମନେ କରୁନଥିବା ବେଳେ ବର୍ତ୍ତମାନ ସେ ସବୁ ସମ୍ବେଦନଶୀଳ ଅଞ୍ଚଳଗୁଡିକରେ ବିଏସଏଫ କ୍ଯାମ୍ପମାନ ପ୍ରତିଷ୍ଠା ହେବା ଫଳରେ ମାଓ ପ୍ରାଦୁର୍ଭାବ ସଂପୂର୍ଣ୍ଣ ହ୍ରାସ ହୋଇଛି । ଯଦ୍ବାରା ପୋଲିସ ଏବଂ ଅବକାରୀ କର୍ମଚାରୀମାନେ ପାହାଡ ପାଦ ଦେଶରେ ଲଗାଯାଇଥିଲା ହଜାର ହଜାର ଏକର ଜମିରେ ଗଞ୍ଜେଇ ଗଛ ନଷ୍ଟ କରିବାରେ ସୁବିଧା ହୋଇଛି । ଆଜି ଚିତ୍ରକୋଣ୍ଡା ଏବଂ ଓର୍କେଲ ପୋଲିସ ଦ୍ବାରା ୮୫ ଏକର ଜମିରେ ଲଗାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଓର୍କେଲ ପୋଲିସ ଯନ୍ତ୍ରୀ ଗ୍ରାମ ନିକଟସ୍ଥ ଜଙ୍ଗଲ ଜମିରେ ଚାଷ କରାଯାଇଥିବା ୪୩ ଏକର ଗଞ୍ଜେଇ ଗଛକୁ ନଷ୍ଟ କରିଛି । ଏହି ଜମିରେ ୬୪ ହଜାର ୫୦୦ ଗଛ ଲାଗିଥିଲା । ସେହିପରି ଚିତ୍ରକୋଣ୍ଡା ପୋଲିସ ଆରଏସି-୧୬ ଗ୍ରାମ ଜଙ୍ଗଲରେ ୪୨ ଏକର ଜମିରେ ଚାଷ କରାଯାଇଥିବା ୬୩ ହଜାର ଗଞ୍ଜେଇ ଗଛକୁ ନଷ୍ଟ କରିଥିବା ଜଣା ପଡିଛି । ଗତ ୨୦ ଦିନ ହେଲା ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିବାରେ ସଫଳ ହୋଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment