ପୋଲିସ ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ ,ବହୁ ମରାଣାସ୍ତ୍ର ଜବତ ।

ମାଲକାନଗିରି,ତା:୩୧/୦୧(ପିପିଟି);ଜିଲ୍ଲା ପୁଲିସକୁ ମିଳିଛି ବଡ ସଫଳତା । ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି। ବିଶେଷ ସୂତ୍ରରୁ ପୁଲିସକୁ ଖବର ମିଳିଥିଲା ଯେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଥାନା ଅଧିନସ୍ଥ ମାଡକାପଦର ପଞ୍ଚାୟତର ନୁନଖାରି ଗ୍ରାମ୍ୟ ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରି ରହିଛନ୍ତି। ଏସପି ଋଷିକେଶ ଖିଲାରୀଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଏସଓଜି, ଡିଭିଏଫ ଏବଂ ବିଏସଏଫର ମିଳିତ ଅପରେସନରେ ଆଜି ସକାଳୁ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା। ମାଓବାଦୀ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ଅଧା ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଗୁଳି ବିନିମୟ ହୋଇଥିଲା। ବହୁ କ୍ୟାଡର ନକ୍ସଲ ଖସିଯିବାରେ ସଫଳ ହୋଇଥିବା ଦେଖିବାକୁ ମିଳିଛି। ତେବେ ଯବାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ମାଓବାଦୀର ଶବକୁ ଉଦ୍ଧାର କରାଯାଇଛି। ଏଥିସହ ବନ୍ଧୁକ, ପିସ୍ତଲ, ବିସ୍ଫୋରକ ସାମଗ୍ରୀ, ଦୈନନ୍ଦିନ ସାମଗ୍ରୀ ସମେତ ବହୁ ପରିମାଣରେ ମାଓ ପୁସ୍ତକ ମଧ୍ୟ ଉଦ୍ଧାର କରାଯାଇଛି। ରାତିରେ ଶୀତ ପଡୁଥିବାରୁ ମାଓବାଦୀମାନେ ବଡ ବଡ କମ୍ବଳ ମଧ୍ୟ ରଖିଥିଲେ। ଯାହାକୁ ପୁଲିସ ଉଦ୍ଧାର କରିଛି। ରାତିରେ ରୋଷେଇ କରି ଖାଇଥିବା ସମସ୍ତ ଜିନିଷ ମଧ୍ୟ ସେଠାରେ ପଡିଥିଲା। ପୁଲିସ ସେସବୁକୁ ମଧ୍ୟ ଜବତ କରିଛି। ଦକ୍ଷିଣାଞ୍ଚଳ ଡି ଆଇ ଜି ରାଜେଶ ପଣ୍ଡିତ ଏବଂ ଏସପି ଶ୍ରୀ ଖିଲାରି ପୁଣି ମାଓବାଦୀଙ୍କୁ ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଗଣମଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି। ଏହାଦ୍ବାରା କେବେ ମଧ୍ୟ ଦେଶ ଏବଂ ଜାତିର ମଙ୍ଗଳ ହୋଇପାରିବ ନାହିଁ ବୋଲି ଦକ୍ଷିଣ ପିଶ୍ଚମାଞ୍ଚଳ ଡିଆଇଜି ଶ୍ରୀ ପଣ୍ଡିତ ଆହ୍ବାନ ଦେଇଥିଲେ। ଜଙ୍ଗଲରେ ପନ୍ଦରଟି କିଟ୍ ବ୍ୟାଗ ମିଳିଥିବାରୁ ହୁଏତ ପନ୍ଦରରୁ ଉର୍ଦ୍ଧ୍ବ ନକ୍ସଲ ଏଠାରେ ରହିଥିବେ ବୋଲି ପୁଲିସ ଅନୁମାନ କରୁଛି। ଯବାନ ଏବେ ମଧ୍ୟ ସେହି ଅଂଚଳକୁ ଘେରି ରହିଛନ୍ତି। ସର୍ଚ୍ଚ ଅପରେସନ ଜୋରଦାର କରାଯାଉଛି। ବହୁ କ୍ୟାଡର ନକ୍ସଲ ଖସିଯିବାରେ ସଫଳ ହୋଇଥିବା ବେଳେ କେଉଁ ନକ୍ସଲ କମାଣ୍ଡର ଏଠାରେ କ୍ୟାମ୍ପ କରି ରହିଥିଲା ପୁଲିସ ଏହାର ତଦନ୍ତ ଚଳାଇଛନ୍ତି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି ।)

Comments (0)
Add Comment