ବେଲଗୁଣ୍ଠା, ୦୪/୦୪(ପିପିଟି) : ପୂର୍ବ ଶତ୍ରୁତାକୁ ନେଇ ଗାଙ୍ଗପୁର ଥାନା ଅନ୍ତର୍ଗତ ମକରାପଲ୍ଲୀ ଗ୍ରାମର ବୁଲୁ ନାଇକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଯୁବକଙ୍କର ଭଉଣୀ ମାନିନୀ ନାଇକ ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି । ମାନିନୀଙ୍କ ଅଭିଯୋଗ ପ୍ରକାରେ ବୁଧବାର ରାତି ନଅ ଘଣ୍ଟା ସମୟରେ ତାଙ୍କ ଭାଇ ବୁଲୁ ନାଇକ ଗାଆଁ ପୋଖରୀଆଡେ଼ ଯାଉଥିବା ବେଳେ ରାସ୍ତାରେ ସେହି ଗ୍ରାମର ମୃତ୍ୟୁଞ୍ଜୟ ନାଇକ, ମହାଦେବ ନାଇକ,କାଳୁ ଚରଣ ନାଇକ, କଂଗ୍ରେସ୍ ନାଇକ ,ସୁମନ୍ତ ନାଇକ ମିଶି ବୁଲୁଙ୍କୁ ଗାଳି ଗୁଲଜ କରିବା ସହିତ ତାକୁ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଇଟାରେ ବୁଲୁର ମୁଣ୍ଡକୁ ଆକ୍ରମଣ କରିଥିଲେ । ସେହି ସମୟରେ ବୁଲୁ ଚିତ୍କାର କରି ବେହୋସ ହୋଇଯାଇଥିଲା । ବୁଲୁର ଚିତ୍କାର ଶୁଣି ମାନିନୀଙ୍କ ପଡ଼ୋଶି ରଶ୍ମିତା ନାଇକ, ବାସନ୍ତୀ ନାଇକ, ଶାନ୍ତି ନାଇକ, ସଞ୍ଜୁ ନାଇକ, ରାଇନା ନାଇକ ଏବଂ ମାନିନୀଙ୍କ ମାଆ ସୁବା ନାଇକ ଘଟଣା ସ୍ଥଳକୁ ଦୌଡ଼ି ଯାଇ ସେମାନଙ୍କୁ ଅଲଗା କରିବାକୁ ଚେଷ୍ଟା କରିବାରୁ ଆକ୍ରମଣକାରୀ ମାନେ ସେହି ମହିଳା ମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଆକ୍ରମଣକାରୀଙ୍କ ଆକ୍ରମଣରେ ବୁଲୁର ମୁଣ୍ଡରେ କ୍ଷତ ହୋଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ତେଣୁ ମାନିନୀ ତାଙ୍କ ପଡ଼ୋଶି ଏବଂ ତା ବାପାଙ୍କ ସହିତ ମିଶି ବୁଲୁକୁ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ବୁଲୁକୁ ଭଞ୍ଜନଗର ମେଡିକାଲ୍ କୁ ପଠାଇ ଦେଇଥିଲେ । ଆକ୍ରମଣକାରୀ ମାନେ ବୁଲୁ ଏବଂ ତାର ପରିବାର ସଦସ୍ୟଙ୍କୁ ଜୀବନରେ ମାରି ଦେବାର ଧମକ ଦେଇଥିବାରୁ ମାନିନୀ ଗାଙ୍ଗପୁର ଥାନାରେ ଏକ ଏତାଲା ଦାୟର କରିଥିଲେ । ମାନିନୀଙ୍କ ଏତଲାକୁ ଭିତ୍ତିକରି ଗାଙ୍ଗପୁର ଥାନାରେ 207/25 ରେ ଏକ ମାମଲା ରୁଜୁ କରାଯିବା ସହିତ ଘଟଣାର ତଦନ୍ତକାରୀ ଅଧିକାରୀ ତଥା ଗାଙ୍ଗପୁର ଥାନା ଏସ୍ଆଇ ଆର୍ତ୍ତତ୍ରାଣ ଦାନୀ ଘଟଣାସ୍ଥଳ ପରିଦର୍ଶନ କରି ବୁଲୁକୁ ଭଞ୍ଜନଗର ମେଡିକାଲରୁ ବ୍ରହ୍ମପୁର ମେଡିକାଲ୍ କୁ ପଠାଇଥିଲେ । ଏହା ସହିତ ଘଟଣା ସ୍ଥଳରୁ ଆକ୍ରମଣରେ ବ୍ୟବହୃତ ହୋଇଥିବା ଇଟା ଖଣ୍ଡ ଜବତ କରିଥିଲେ । ଏନେଇ ଘଟଣାରେ ସମ୍ପୃକ୍ତ ମୃତ୍ୟୁଞ୍ଜୟ ନାଇକ, କାଳୁ ଚରଣ ନାଇକ,ସୁମନ୍ତ ନାଇକକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି ।
ରିପୋର୍ଟ- ସୁଶାନ୍ତ କୁମାର ବେହେରା