ପୂର୍ବଶତ୍ରୁତାରୁ କୋର୍ଟ ସାମ୍ନାରେ ବିଭତ୍ସ ହତ୍ୟାକାଣ୍ଡ ।

ଭଞ୍ଜନଗର, ୦୫/୦୩(ପିପିଟି ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ମଧ୍ୟ ଭାଗରେ ଥିବା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ,ଏଡ଼ିଜେ କୋର୍ଟ, ଆହାର କେନ୍ଦ୍ର, ମେଡ଼ିକାଲ, ପେଟ୍ରୋଲ ଟାଙ୍କି ଓ ଷ୍ଟେଟ ବ୍ୟାଙ୍କ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି।ତେଣୁ ସର୍ବଦା ଉକ୍ତ ରାସ୍ତାଟି ଚଳଚଞ୍ଚଳ।ହେଲେ ଏହି ଜନଗହଳିପୂର୍ଣ୍ଣ ଏଡ଼ିଜେ କୋର୍ଟ ସମ୍ମୁଖରେ ଟାଙ୍ଗିଆ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଗୁରୁବାର ଦିନ ଦ୍ୱିପ୍ରହରରେ ସର୍ବସମ୍ମୁଖରେ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ ଭଞ୍ଜନଗର ଥାନା ବୁଦୁଲୀ ଗ୍ରାମର
ଅଶୋକ ସାଇଁ, ବୟସ ୪୫ ବର୍ଷ।ଖବର ପାଇ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଘଟଣାରୁ ପ୍ରକାଶ ଯେ, ଅଶୋକ ଆଜି ଭଞ୍ଜନଗର କୋର୍ଟକୁ କୌଣସି ଏକ ମାମଲାର ତାରିଖ ଧାର୍ଯ୍ୟ ଥିବା ଯୋଗୁଁ ଆସିଥିଲେ। ଏହି ସମୟରେ କୋର୍ଟ ସମ୍ମୁଖରେ ପୂର୍ବରୁ ପ୍ରସ୍ତୁତ ଥିବା ଅନ୍ୟ ଜଣେ ଯୁବକ ହାଠାତ୍ ଆସି ଏକ ଟାଙ୍ଗିଆରେ ଅଶୋକ କୁ ଚୋଟ ପରେ ଚୋଟ ପକାଇ ହାଣିଥିଲେ।କେହି କିଛି ବୁଝିବା ଆଗରୁ ଏସବୁ ଘଟଣା ଘଟି ଯାଇଥିଲା। ଏହାପରେ ଅଭିଯୁକ୍ତ ଯୁବକକୁ ଲୋକମାନେ କାବୁ କରି ପୋଲିସ ଜିମାରେ ଦେଇଥିଲେ। ପୋଲିସ ଘଟଣାସ୍ଥଳରୁ ଗୁରୁତର ଥିବା ଅଶୋକକୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ମେଡ଼ିକାଲ ଆଣିଥିଲେ। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଶୋକ ମୃତ୍ୟୁବରଣ କରିଛନ୍ତି। ଅଶୋକ ଅଟୋ ଚଳାଇ ନିଜ ପରିବାର ପ୍ରତିପୋଷଣ କରୁଥିଲେ। ପୂର୍ବ ଶତ୍ରୁତା କାରଣରୁ ତାଙ୍କୁ ପଢାଳ ଗ୍ରାମର ଦିଲୀପ ଜେନା ହତ୍ୟା କରିଥିବା ଜଣାପଡିଛି।ପୋଲିସ ଏସମ୍ପର୍କରେ ଏକ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠେଇଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment