ପୂଜା ପାଉଛନ୍ତି ଦୋଳ ବିମାନରେ ରାଧା କୃଷ୍ଣ ।

ବାଲିଗୁଡା,୦୧/୦୩(ପିପିଟି): ଋତୁରାଜ ବସନ୍ତର ଆଗମନରେ ଫୁଲେଇ ଫଗୁଣ ଧରା ପୃଷ୍ଠକୁ ଅବତରଣ କରିଛି। ସବୁଜ ଗଛ ପତ୍ର ସହିତ ଶିମିଳିଫୁଲର ନାଲି ଓଢଣୀରେ ସଜେଇ ହୋଇଛି ପ୍ରକୃତି ରାଣୀ । ପ୍ରକୃତି କୁ ସ୍ବାଗତ କରିବା ପାଇଁ ଫଗୁଣ ନେଇ ଆସିଛି ରଙ୍ଗର ପର୍ବ ଦୋଳଯାତ୍ରା ଓ ହୋଲି । ବିମାନରେ ବସିଛନ୍ତି ଶ୍ରୀ ରାଧା ଓ ଶ୍ରୀ କୃଷ୍ଣ । ଘରକୁ ଘର ବୁଲୁଛନ୍ତି ଠାକୁର ଓ ଭକ୍ତଙ୍କ ହାତକୁ ଭୋଗ ଖାଇ ଗାଁ ଓ ସାହି ପରିକ୍ରମା କରୁଛନ୍ତି ଯୁଗଳ କିଶୋର ରାଧା ମୋହନ। କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଫଗୁ ଦଶମୀ ଠାରୁ ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ପ୍ରତି ସାହି ରେ ଜଗନ୍ନାଥ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିର ତରଫରୁ ଦୋଳ ବିମାନ ବୁଲିବା ସହ ପୂଜା ପାଉଛନ୍ତି। କିଏ ଫଗୁ ରଙ୍ଗରେ ରଙ୍ଗୀନ ହୋଇଛି ତ ଆଉ କିଏ ପ୍ରସାଦ ବାଣ୍ଟି ପୁଣ୍ୟ ଅର୍ଜନ କରୁଛି। ଗାଁ ଗାଁରେ ସମସ୍ତେ ଶ୍ରୀରାଧା, ଶ୍ରୀକୃଷ୍ଣ ଙ୍କ ଭକ୍ତି ରସରେ ବୁଡି ଯାଇଛନ୍ତି । ପରମ୍ପରା ମୁତାବକ ଭୋଗପରେ ବିମାନରେ ବସି ଭକ୍ତକୁ ଦର୍ଶନ ଦେଉଛନ୍ତି ରାଧା ମାଧବ । ବର୍ଷକ ପରେ ମନ୍ଦିରରୁ ବାହାରପ୍ରାଙ୍ଗଣ କୁ ବାହାରି ଭକ୍ତଙ୍କ ପାଖକୁ ଆସିଛନ୍ତି ଠାକୁର । ଭକ୍ତ ପରିବାର ପକ୍ଷରୁ ପଇଡ଼,ଲିଆ,ଉଖୁଡା ପ୍ରଭୁତି ଠାକୁରଙ୍କୁ ଭୋଗ ଅର୍ପଣ କରାଯାଇଥାଏ । ଆଉ ଏହି ମହାମିଳନ ପର୍ବରେ ଭକ୍ତ ଆଉ ଭଗବାନ ଏକାକାର ହୋଇଯାଇଛନ୍ତି ।ଦୋଳ ଓ ହୋଲି ପାଇଁ ସମଗ୍ର ଅଞ୍ଚଳ ଏବେ ଚଳଚଞ୍ଚଳ ହୋଇ ଉଠିଛି । ଭାଇଚାରା ବାର୍ତ୍ତା ନେଇ ଗୋଷ୍ଟି ଗୋଷ୍ଟି ବା ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ଏହି ପର୍ବ ଗ୍ରାମର ପିଲା ଠାରୁ ବୁଢା ଯାଏଁ ସଭିଁଙ୍କ ମନରେ ଭରି ଦେଇଛି ଆନନ୍ଦ ଉଲ୍ଲାସ । ପ୍ରତି ଗାଁ ଗାଁ ରେ ନାମ ଯଜ୍ଞ,ଘୃତ ଯଜ୍ଞ,ଅନ୍ନ ଯଜ୍ଞ ଆୟୋଜିତ ହୋଇ ସମଗ୍ର ଅଞ୍ଚଳ ଉତ୍ସବ ପରିବେଶ ଲାଗି ରହିଥାଏ l ହରିବୋଲ,ହୁଳହୁଳି, ଶଙ୍ଖନାଦ, ଭଜନ କୀର୍ତ୍ତନରେ ଗାଁଦାଣ୍ଡ ଉଛୁଳି ପଡୁଥିବା ବେଳେ ଦୋଳ ବିମାନ କୁ କାନ୍ଧେଇ ଗାଁ ଗାଁ ବୁଲି ଦୋଳ ବିମାନ ପୂଜା ସହ ଦୋଳ ଉତ୍ସବ ପାଇଁ ସବୁ ଗାଁ ଏବେ ଉତ୍ସବମୁଖର ହୋଇଉଠିଛି ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Comments (0)
Add Comment