ପୂଜା କରିବା ନାଁରେ ଅଳଙ୍କାର ଲୁଟ,ଦୁଇ ଠକ ଗିରଫ ।

ମାଲକାନଗିରି,୦୧/୦୨(ପିପିଟି): ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଜେଲ ସାହିରେ ଜଣଙ୍କ ଘରେ ପୂଜା କରିବା ନାଁରେ ସୁନା ଅଳଙ୍କାର ଲୁଟ କରି ଚାଲିଯାଇଥିବା ୨ ଠକ ପୂଜକଙ୍କୁ ଆଜି ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦର ମହକୁମାର ଜେଲ ସାହିର ଶ୍ରୀଧର ପଟ୍ଟନାୟକଙ୍କ ଶାଶୁ ଓ ଶ୍ୱଶୁର କିଛି ଘରୋଇ ସମସ୍ୟା ନେଇ ଡାବୁଗାଁର ୨ ଜଣ ପୂଜକଙ୍କୁ ଭେଟିଥିଲେ । ଏହି ସମୟରେ ପୂଜକ ଦ୍ୱୟ ତମର ଭିଣୋଇଙ୍କ ଜୀବନ ଯିବ ଓ ମୃତ୍ୟୁ ସୁନିଶ୍ଚିତ ବୋଲି କହିଥିଲେ । ପୂଜା ଅର୍ଚ୍ଚନା କଲେ ସମସ୍ତ ଦୋଷ କଟିଯିବ ବୋଲି କହିଥିଲେ । ଏହା ଶୁଣି ଶ୍ରୀଧରଙ୍କ ଶାଶୁ ଓ ଶ୍ୱଶୁର ଭିଣୋଇଙ୍କୁ ଫୋନ କରି ପୂଜା କରିବାକୁ ପ୍ରବର୍ତ୍ତାଇଥିଲେ । ଏହାପରେ ଗତକାଲି ସଂଧ୍ଯାରେ ୨ ଜଣ ପୂଜକ ସନ୍ତୋଷ ସାହୁ ଓ ମାନସ ସେନାପତିଙ୍କୁ ସାଙ୍ଗରେ ନେଇ ଶ୍ରୀଧରଙ୍କ ଶାଶୁ ଶ୍ୱଶୁର ଘର ମାଲକାନଗିରିର ଜେଲ ସାହିରେ ପହଞ୍ଚି ଥିଲେ । ପରେ ଶ୍ରୀଧର ଓ ତାଙ୍କ ପରିବାରକୁ ବିଭିନ୍ନ କଥା କହି ଭୟଭିତ କରାଇଥିଲେ । ପରେ ଶ୍ରୀଧରଙ୍କ ଶୟନ କକ୍ଷରେ ପ୍ରାୟ ୫ ଘଣ୍ଟା ପୂଜା ହୋଇଥିଲା । ଏହି ପୂଜା ସମୟରେ ପରିବାରର କୌଣସି ସଦସ୍ୟଙ୍କୁ ଦୁଇ ପୂଜକ ଉକ୍ତ କଠୋରୀ ମଧ୍ୟରେ ପ୍ରବେଶ କରିବାକୁ ବାରଣ କରିଥିଲେ । ପୂଜା ଶେଷ ହେବା ପରେ ମଧ୍ୟ ଉକ୍ତ କକ୍ଷକୁ ପରିବାର ସଦସ୍ୟଙ୍କୁ ମନା କରିବା ସହ ଭିତରକୁ ଗଲେ ଅଳ୍ପ ଦିନ ମଧ୍ୟରେ ମୃତ୍ୟୁ ଘଟିବ ବୋଲି କହି ଭୟ ସଞ୍ଚାର କରାଇ ସେଠାରୁ ଦୁହେଁ ଚାଲି ଯାଇଥିଲେ । ଏହି କଥା ଶୁଣି ସମସ୍ତଙ୍କର ସନ୍ଦେହ ହେବାରୁ ସେମାନଙ୍କ ଯିବାପରେ କଠୋରୀ ଭିତରକୁ ପ୍ରବେଶ କରି ଦେଖିବା ବେଳେ ଆଲମିରା ଭାଙ୍ଗି ଯାଇଥିଲା ଏବଂ ସମସ୍ତ ଲୁଗା ଚାରିପଟେ ପଡ଼ିଥିଲା । ଆଲମିରା ଭିତରେ ଥିବା ସୁନା ହାର, କାନଫୁଲ, ଚେନ, ମୁଦି, ପାଉଁଜି ଇତ୍ୟଦି ନଥିଲା । ଏହାପରେ ଶ୍ରୀଧର ଘରେ ସମସ୍ୟା ହୋଇଥିବା କହି ଉକ୍ତ ପୂଜକ ଦ୍ୱୟଙ୍କୁ ପୁନଃ ଡକାଇଥିଲେ ଓ ଚୋରୀ ବିଷୟରେ ପଚାରିବାରୁ ସେମାନେ ଚୋରୀ କରିନଥିବା କହିଥିଲେ । ପରେ ବାଧ୍ୟ ହୋଇ ଶ୍ରୀଧର ମାଲକାନଗିରି ଆଦର୍ଶ ଥାନାରେ ଏକ ଏତଲା ଦେଇଥିଲେ । ତାଙ୍କ ଏତଲାକୁ ଭିତ୍ତି କରି ପୋଲିସ କେଶ ନମ୍ବର ୪୯/୨୨ରେ ଏକ ମାମଲା ରୁଜୁକରି ୨ ଜଣ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment