ଏବେ ମୁଁ ବୟସର ଅପରାହ୍ନରେ ଉପନିତ।ଦୀର୍ଘ ଦିନର ବ୍ୟବଧାନ ପରେ ମୋ ଟିଣ ପେଟରେ ପଡ଼ିଥିବା ଅଦରକାରୀ ଖାତା ପତ୍ରକୁ ସାଉଁଟୁ ସାଉଁଟୁ ଗୁଡା ଚିରା ଫଟା ପୁରୁଣା ପାଣ୍ଡୁଲିପି ମିଳିଲା। ମୋ ଯୁବାବସ୍ଥାରେ କବି, ଲେଖକହେବାର ବଡ ସ୍ବପ୍ନ ଥିଲା। ଏଥି ପାଇଁ ଗୁଡାଏ ବହି କିଣିବାକୁ ପଡୁଥିଲା। ପ୍ରଥମେ ପ୍ରଥମେ ପୁରାଣ ପଢିବାର ଅଭ୍ୟାସ ମୋ ବାଲ୍ୟକାଳରୁ ଥିଲା। ମୋ ମା’ର ବଡ ସ୍ବପ୍ନ ଥିଲା:ମୋ ପୁଅକୁ ପାଠ ପଢାଇଲେ,ସେ ସଂଧ୍ୟା ସମୟରେ ଦୁଆର ମୁହଁରେ ବସି ପୁରାଣ ଶୁଣିବ । ମୁଁ ଯେତେବେଳ ତୃତୀୟ ଶ୍ରେଣୀରେ ପଢ଼ୁଥିଲି, ସେତେବେଳେ ପୁରାଣ ପଢିବା ଆରମ୍ଭ କରିଥିଲି । ମୋତେ ପୁରାଣର ଅର୍ଥ କ’ଣ, ଏହାର ଭାବ କ’ଣ ଜଣା ନଥିଲା। ମୋ ମାଆ ଭାରି ପୁରାଣ ପ୍ରିୟ ଥିଲା। କିଏ ଗାଁ ଗହଳକୁ ପୁରାଣ ବହି ଗଣ୍ଠିଲି କରି ବିକିବାକୁ ଆସିଲେ,କିଣେ। ସେତେବେଳେ ମହାଭାରତ, ରାମାୟଣ, ଗୋପୀଭାଷା,ଲକ୍ଷ୍ମୀ ପୁରାଣ,ଗରୁଡ ପୁରାଣ,ଯମ ପୁରାଣ,ଶୈବ ପୁରାଣ,ପଦ୍ମ ପୁରାଣ,ଯମ ପୁରାଣ, ହରିବଂଶ ପୁରାଣ,ଜୈମିନୀ ଭାରତ କେତେ କ’ଣ ପଡ଼ିଛି ନକହିଲେ ଭଲ।
ମୋ ମାଆ ପାଠ ସିନା ପଢିନଥିଲା, ହେଲେ ତା’ର ସ୍ମରଣ ଶକ୍ତି ଅଧିକ। ବଡ଼ ଧର୍ମ ପରାୟଣ ଥିଲା। କେବେ ହେଲେ ଅଧର୍ମ କଥାକୁ ପ୍ରସୟ ଦେଉ ନଥିଲା।ମୋ ମାଆ ନୀତି ଆଦର୍ଶ ପାଇଁ କେବେ ମଧ୍ୟ ମୁଁ ଖରାପ ସାଙ୍ଗ ସହ ସମ୍ପର୍କ ସ୍ଥାପନ କରି ନାହିଁ।
ଏ ପୁରାଣ ପଢ଼ା ମେଟ୍ରିକ୍ ପର୍ଯ୍ୟନ୍ତ ଥିଲା। ଏଣୁ ସାହିତ୍ୟ ବିଷୟରେ ମୋର ଭଲ ରୁଚି ଥିଲା। ସେତେବେଳେ ମୁଁ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ପ୍ରତି ଆଗ୍ରହ ବଢିଥିଲା। କାରଣର ତାଙ୍କର ଛାନ୍ଦ
ଆମର ହାଇ ସ୍କୁଲ ପାଠ୍ୟକ୍ରମରେ ସ୍ଥାନିତ ହୋଇଥିଲା। ମୁଁ ବୈଦେହୀଶ ବିଳାସ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ , ଲାବଣ୍ୟବତୀ ବହି ଆଣି ପାଠ କଲି । ଉପେନ୍ଦ୍ର ଭଞ୍ଜଙ୍କ କ୍ଲୀଷ୍ଟ ଶବ୍ଦ ମୋ ମୁଣ୍ଡରେ ପଶୁ ନଥିଲା । ମୁଁ ଭାବୁଥିଲି – ଏମିତି ବି ଓଡ଼ିଆ ସାହିତ୍ୟ ଅଛି,ଯିଏ ସଂସ୍କୃତ ଠାରୁ କଠିନ। ଧନ୍ଯ ଭଞ୍ଜ,ଧନ୍ଯ ତୁମ କାବ୍ଯ କୃତି । ଓଡ଼ିଆ ମାଟିର ଗର୍ବ ଗୌରବ । ଯଶସ୍ବୀ ପୁରୁଷ। ଆମ ପିଲା ବେଳେ ଗାଁ କୁ ପାଲା ଆସେ। ପାଲା ଆସିଲେ, ଗାଁ ଲୋକମାନେ ପୁରାଣ ଶୁଣିବା ପାଇଁ ଘର ଘର ଚାନ୍ଦା କରି ପାଲା କରନ୍ତି। ନୟାଗଡ଼ୀ ପାଲା ,ଆମ ଘୁମୁସରର ଗାଁ ଗାଁ କୁ ଆସି ପାଲା ପରିବେଷଣ କରନ୍ତି। ଗଞ୍ଜାମର ଦାସକାଠିଆ ନାଚ ପରି ନୟାଗଡ଼ ପାଲା ଆମ ପିଲା ବେଳେ ପ୍ରସିଦ୍ଧ ଥିଲା। ମୁଁ ବି ପାଲା ଓ ଦାସକାଠିଆ ନାଚକୁ ପସନ୍ଦ କରୁଥିଲି । ପାଲା ପରିବେଷଣ ବେଳେ ଓଡ଼ିଶାର ବିଭିନ୍ନ କବିମାନଙ୍କ ରଚିତ କାବ୍ୟର ଉପମା, ଅଳଙ୍କାର ଛାନ୍ଦକୁ ଉଦ୍ଧୃତ କରି ଗାୟକ ମହାଶୟ ବୋଲନ୍ତି। ତାକୁ ବ୍ୟାଖ୍ୟା କରି ଦର୍ଶକମାନଙ୍କୁ ବୁଝାନ୍ତି। ସଂସ୍କୃତ ଶ୍ଳୋକ ଗୁଡାଏ ବୋଲନ୍ତି। ହେଲେ ମୋର ସଂସ୍କୃତରେ ରୁଚି ନାହିଁ। ସଂସ୍କୃତ ଶୁଣିଲେ ମୋର ମୁଣ୍ଡ ବିନ୍ଧା। ଏଣୁ ହାଇ ସ୍କୁଲରେ ମୁଁ ସଂସ୍କୃତ ବଦଳରେ ହୀନ୍ଦି ବିଷୟକୁ ଚୟନ କରି ଥିଲି। ମାତ୍ର ମୋର ରୀତି ଯୁଗୀୟ କବିମାନଙ୍କର କାବ୍ୟକୃତି ଆନ୍ତରିକ ଭଲ ପାଉଥିଲି।
ବୁଝୁ ଅବା ନବୁଝୁ ମୁଁ ଗୁଡାଏ ଛାନ୍ଦ, ଚମ୍ପୁ କୁ ମୁଖସ୍ଥ କରି ଥିଲି ।ଏହା ବ୍ୟତିତ ଭଜନ,ଜଣାଣ ମୋର ଶହେରୁ ଅଧିକ ମୁଖସ୍ଥ ଥିଲା। ମୁଁ ଭଞ୍ଜ ମାଟିର ପିଲା ହେତୁ। ଭଞ୍ଜଙ୍କ ଗୁଡାଏ ଛାନ୍ଦକୁ କଣ୍ଠସ୍ଥ କରିଥିଲି।ମୁଁ ମୋ ଯୁବାବସ୍ଥାରେ ରଣପୁର ଯାଇଥିଲି। ମୋର ଜଣେ ସହପାଠୀ କହିଲା,ମୋ ମାଉସୀ ଘରକୁ ଯିବା ରଣପୁର। ମୁଁ ହଁ ଭରି ତା’ର ସହ ଗଲି। ଯେହେତୁ ମୁଁ ଘୁମୁସର ମାଟିରୁ ଯାଇଛି, ଏଣୁ ବୁଢ଼ାବୁଢିମାନେ କହିଲେ :- ଆରେ ନାତିଆ ! ତୁ ଘୁମୁସର ମାଟିରୁ ଆସିଛୁ । କିଛି ଉପେନ୍ଦ୍ର ଭଞ୍ଜଙ୍କ ରଚିତ ଛାନ୍ଦ ଗାଆଁ ।
ମୋର ସମ୍ମାନର ପ୍ରଶ୍ନ,ମୋ ମାଟିର ଇଜ୍ଜତ ବଜାୟ ରଖିବାକୁ ଗୁଡାଏ ଛାନ୍ଦ ଗାଆଁ ସେମାନଙ୍କୁ ଆମୋଦପ୍ରମୋଦ କଲି। ସେମାନେ ଧନ୍ୟବାଦ ଦେଲେ । ଗୁଡାଏ ପ୍ରଶଂସାରେ ପୋତି ପକାଇଲେ। ସେମାନଙ୍କ ଭଲ ପାଇବା ଯୋଗୁଁ ସପ୍ତାହଟେ ରହଣୀ କଲୁ । ସଂଧ୍ୟା ସମୟରେ ଏ ସବୁ ସାହିତ୍ୟ ଚର୍ଚ୍ଚା ହୁଏ।
ଯଦିଓ ଭଞ୍ଜ ସାହିତ୍ୟରେ ମୋର ପାରଦର୍ଶିତା ନଥିଲା, ତଥାପି
ମୂଳରୁ ଯେ ମୁଁ ଅଜ୍ଞ ଥିଲି, ତାହା ନୁହେଁ।ମୁଁ ସବୁବେଳେ ଯେତେବେଳେ କୌଣସି ଗୀତ ଅଭ୍ୟାସ କରେ ତେବେ ନିର୍ଜନ ସ୍ଥାନକୁ ଚାଲି ଯାଏ। ଆମ୍ବ ତୋଟା ହେଉ କି ନଈ ପଠା। ସେଠାରେ ମନ ସ୍ଥିର ରହେ। ଏବଂ ପ୍ରତି ପଂକ୍ତି କୁ ସ୍ମରଣ କରି ଗାଏ ।ମୁଁ ସେହି ସମୟରେ ବଡ ଈଶ୍ୱର ବିଶ୍ବାସୀ ଥିଲି। ଜପ ତପ କରୁଥିଲି। ଜୀବନରେ ମୋର ମା କନକ ଦୁର୍ଗାଙ୍କ ନିକଟରେ ଅଳି ଥିଲା, ମୋତେ ଜ୍ଞାନ ଦେଏ ମା, ମୋତେ ଆଶୀର୍ବାଦ କରେ ମା, ମୁଁ ଜଣେ କବିଟିଏ ହେବି । ମୁଁ ଆମ ଗାଁ ପୋଖରୀରେ ଗାଧୋଇବା ପରେ କନକ ଦୁର୍ଗା ମନ୍ଦିରକୁ ଯାଇ, ହାତ ଯୋଡ଼ି ଏହି ପ୍ରାର୍ଥନା କରେ, ଜଣେ କିପରି କବି ହେବି ।ପରେ ମୁଁ ପ୍ରଥମେ କନକ ଦୁର୍ଗାଙ୍କ ଉପରେ ପ୍ରଚଳିତ କିମ୍ବଦନ୍ତୀ କୁ ନେଇ ମା’ଙ୍କ ମହିମା ରଚନା କଲି। କନକ ଦୁର୍ଗାଙ୍କ ଉପରେ ବହୁ କିମ୍ବଦନ୍ତୀ ଶୁଣିଥିଲି ।ସେ ସମ୍ପର୍କରେ ରଚନା କଲି । ପାଣ୍ଡୁଲିପି ଲେଖାର ସମାପ୍ତ ହେଲା। ଏହାର ନାମକରଣ କଲି –
“ବହୁ ରୂପୀ ମା କନକ ଦୁର୍ଗା” ।
ଛାପିବି କୋଉଠି ? ଏହା ମୋ ପାଇଁ ବଡ ପ୍ରଶ୍ନ? ଟଙ୍କା କେତେ ଖର୍ଚ୍ଚ ହେବ ? ମୁଁ ପାଠ ପଢୁଥିଲି। ଘରେ କିଏ ଟଙ୍କାଟେ ଦେବେ ନାହିଁ । ମୁଁ ଭଞ୍ଜ ନଗର ଗଲି ।ଏକ ପ୍ରିଣ୍ଟ ପ୍ରେସରେ ବୁଝିଲି।ସେ ବାବୁ କଲେ, ପାଞ୍ଚ ଶହ ଖର୍ଚ୍ଚ ହେବ। ମୁଁ ଶୁଣି ମୁର୍ଚ୍ଛା ହୋଇ ଗଲି । ଏତେ ଟଙ୍କା ଖର୍ଚ୍ଚ ହେବ ? ନୈରାଶ୍ୟରେ ଫେରି ଆସିଲି। ମା’ଙ୍କ କାର୍ଯ୍ୟ। ଯେମିତି ହେଲେ କରିବି। ସଂକଳ୍ପ ନେଲି । ଖରା ଛୁଟିରେ ମୁଁ କାମ ଖୋଜିଲି। ଏଥି ପାଇଁ ଗୋଟେ ଠିକାଦାର ପାଖରେ କାମ କରିବାକୁ ଯାଇ ମାଟି ମୁଣ୍ଡରେ ବୋହିଲି। ସେ କହିଲା: ତୁ ପଢା ପିଲା କ’ଣ ଲେବର କାମ କରି ପାରିବୁ। ମୁଁ କହିଲି:- ମୁଁ ଦୁର୍ବଳ କି ,ମୋ ଦେହରେ ଅମାପ ବଳ ଅଛି।ମୁଁ ଠିକାଦାର ପାଖରେ ଲେବର ହୋଇ ଖଟି ଖଟି ପଇସା ସଞ୍ଚୟ କଲି। ସେହି ଚଟି ବହିଟି ଛାପିଲି।ସେ ବହିଟି ଗାଁ ଗହଳିରେ ବଡ ଚର୍ଚ୍ଚା ହେଲା। ବିକ୍ରି ସବୁ ହେଲା।ଚାହିଦା ବଢ଼ିଗଲା। ମୋ ନାଁ ଟା ସେତେବେଳେ ଭାରି ଚର୍ଚ୍ଚା ହେଲା । ଆମ ଗାଁ ଆଖ ପାଖରେ ମୋ ନାଆଁଟା ପ୍ରଚାର ପ୍ରସାର ହେଲା। ମୋତେ ଦେଖିବା ପାଇଁ ଆମ ଘରକୁ ଲୋକମାନେ ଆସିଲେ। ଯାହା ହେଉ, ମୋର ପ୍ରଥମ ଲେଖା, ପ୍ରଥମ ବହି ପ୍ରକାଶ ହେତୁ, ଗୁଡାଏ ଲୋକ ଜାଣିଲେ।
ଆମ ଗାଁରେ ପ୍ରାୟ ସପ୍ତାହକୁ ଦୁଇଥର ମେଳା ହୁଏ। ସନ୍ଧ୍ୟା ହେଲେ, ଭଜନ କୀର୍ତ୍ତନ ଚାଲେ। ମୋ ବହିଟି ମଧ୍ୟ ସେଠାରେ ସ୍ଥାନିତ ହୋଇ ବୋଲା ଗଲା । ମୁଁ ନିଜକୁ ଜଣେ ଛୋଟ କାଟିଆ
କବି ବୋଲି ଖୁସି ହେଲି।ପରେ ପରେ ମୋର ଲେଖା ଲେଖି ପ୍ରତି ଅହେତୁକ ଆଗ୍ରହ ବଢ଼ିଲା । କବିତା,ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ଲେଖିବାକୁ ଭଲ ପାଇଲି। କିଛି ପ୍ରକାଶିତ ହୋଇସାରିଛି।ଆଉ କିଛି ହୋଇ ପାରି ନାହିଁ। ମୋ ଯୁବାବସ୍ଥାରେ ଚରିତ ଅପ୍ରକାଶିତ ଗୁଡାଏ ପାଣ୍ଡୁଲିପି ରହିଛି। ଧୂଳି ମାଟି ଜମି ଯାଇଛି। ଖାତାର କିଛି ପୃଷ୍ଠା ଚିରି ଯାଇଛି। ପୁସ୍ତକର ନାମକରଣ ପୃଷ୍ଠା ନାହିଁ। କ୍ରମେ କ୍ରମେ କ୍ଷୟ ପ୍ରାପ୍ତ। ସେ ସବୁ ଦେଖିଲା ବେଳେ ମୋ ପରିଶ୍ରମ ଏବଂ ମୋ ସମୟର ମୂଲ୍ୟକୁ ମୂଲ୍ୟାଙ୍କନ କଲେ ଭାରି ଦୁଃଖ ଲାଗେ। କାରଣ ସେସବୁ କାଳର କରାଳ ଗର୍ଭରେ ବିଲୀନ ହେବାକୁ ବସିଲାଣି । ଆର୍ଥିକ ସ୍ବଛଳ ନଥିବାରୁ ତାହା ଲୋକ ଲୋଚନର ଅନ୍ତରାଳରେ ପଡି ରହିଛି। ଜୀବନର ସାୟାହ୍ନରେ ମୁଁ ଏବେ ନିରବ ଦ୍ରଷ୍ଟା। ତଥାପି ମୋତେ ଗୁଡାଏ ସାହିତ୍ୟ ଅନୁଷ୍ଠିନରୁ ଗୁଡାଏ ମାନପତ୍ର ପ୍ରାପ୍ତ ହୋଇଛି। ବହୁ ବାର ସମ୍ମାନୀତ ହୋଇଛି। ନିଜ ଜଣେ ସାହିତ୍ୟିକ ହେତୁ “ଉତ୍କଳ ସାହିତ୍ୟ ସଂସଦ, ଗଠନ କରି ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର କରୁଛି। ମୋ ଜନ୍ମ ସ୍ଥାନ ଯଦିଓ ଘୁମୁସର,ମୋ କର୍ମ ଭୂମି ମାଲକାନଗିରି। ଯେଉଁଠି ଓଡ଼ିଆ ସାହିତ୍ୟ ଏବଂ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ନିହାତି ଆବଶ୍ୟକ। ହେଲେ ସରକାରୀ ଦୃଷ୍ଟି ଆଢ଼ୁଆଳରେ ମୁଁ ଲୁଚି ଯାଇଛି ଅଦ୍ୟାବଧି। ବାସ୍ତବରେ ଯେଉଁ ପରିସ୍ଥିତି ଦେଇ ଏହି ଆଦିବାସୀ ଅଧ୍ୟୁଷିତ ମାଟି ରେ ଓଡ଼ିଆ ଭାଷା ଉନ୍ନତି ପାଇଁ ସଂଘର୍ଷ କରୁଛୁ, ନା ଏଥି ପ୍ରତି ସରକାରଙ୍କ ପ୍ରୋତ୍ସାହନ ଅଛି, ନା ସମ୍ମାନ ଅଛି ? କେବଳ ସବୁ ପୁରସ୍କାରକୁ ସାଉଁଟି ନେଉଛନ୍ତି, ସେହି କଥା କଥିତ କିଛି ସମତଳିଆ ଜିଲ୍ଲାର କବି ଆଉ ଲେଖକମାନେ। ରାଜ୍ଯ ସରକାର କେବଳ ଓଡ଼ିଆ ଅସ୍ମିତା ପାଇଁ କୁମ୍ଭୀର କାନ୍ଦଣା ରେ ମଗ୍ନ।
(ଆଲେଖ୍ୟ: କେଶବ ଚନ୍ଦ୍ର ନାୟକ)
(ସଭାପତି ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭