ବୋଲଗଡ଼,୨୦/୧୦(ପିପିଟି): ଆଜି ଦଶହରା, ବିଜୟା ଦଶମୀ। ପୁରପଲ୍ଲୀର ମାଟି ଘର ଠାରୁ ସହରର କାଚ ଦୋକାନ ଯାଏଁ ଗୋଟିଏ ଚଞ୍ଚଳତା। ଗାଁ ମୁଣ୍ଡର ବରଗଛ ମୂଳେ ମା’ ଦଶଭୁଜା ସୁନା ମୁକୁଟ ପିନ୍ଧି ହସୁଛନ୍ତି, ସହରର ବଜାରରେ ଆଲୋକ ମାଳାରେ ସଜ ମଣ୍ଡପରେ ବି ସେହି ହସ। ପ୍ରତି ଘର ଦୁଆରେ ଚୂନ ପଡିଛି, ପ୍ରତି ଦୋକାନରେ ନୂଆ ପଟା ଲାଗିଛି। ଚାଷୀ ନିଜ ଲଙ୍ଗଳକୁ ଧୋଇ ସିନ୍ଦୂର ଲଗାଇଛି, ଦୋକାନୀ ନିଜ ବାକି ଖାତାକୁ ବନ୍ଦ କରି ମା’ଙ୍କୁ ମୁଣ୍ଡିଆ ମାରିଛି। ସମସ୍ତେ ଗୋଟିଏ ଆଶୀର୍ବାଦ ମାଗୁଛନ୍ତି – “ମା’ ଭଲରେ ରଖ”।
ମା’ଙ୍କର ଦଶ ହାତ କେବଳ ଅସ୍ତ୍ର ଧରିବା ପାଇଁ ନୁହେଁ, ଦଶ ଦିଗକୁ ସାହାଯ୍ୟର ହାତ ବଢାଇବା ପାଇଁ। ସେ ଶିଖାନ୍ତି ଗୋଟିଏ ହାତ ଶିକ୍ଷା ଦିଅ, ଗୋଟିଏ ହାତ କ୍ଷମା ଦିଅ, ଗୋଟିଏ ହାତ ପେଟକୁ ଭାତ ଦିଅ, ଆଉ ଗୋଟିଏ ହାତ ଅନ୍ୟାୟର ମୁଣ୍ଡ କାଟ।
ମହିଷାସୁର କେବଳ ପୁରାଣର ମଇଁଷି ନୁହେଁ। ଆଜିର ମହିଷାସୁର ହେଉଛି ଆମ ଗାଁରେ ବଢୁଥିବା ମଦ, ଗଞ୍ଜେଇ ନିଶା, ମୋବାଇଲରେ ଅଶ୍ଳୀଳତା, ପୁଅ-ଝିଅ ଭିତରେ ଭେଦଭାବ, ଆଉ ନାରୀ ପ୍ରତି କୁ-ଦୃଷ୍ଟି। ମା’ ଦୁର୍ଗା ସେହି ମହିଷାସୁରକୁ ମାରିବାକୁ ଜନ୍ମ ନେଇଥିଲେ। ଆମେ ଯଦି ଆଜି ବି ସେହି ମହିଷାସୁରକୁ ପୋଷୁଛୁ, ତେବେ ମଣ୍ଡପରେ ମା’ଙ୍କୁ ଫୁଲ ଦେଲେ କଣ ଲାଭ? ଆମ ଗାଁ ର ଚାଷୀ ଯେତେବେଳେ ନିଶା ଛାଡି ପିଲାକୁ ସ୍କୁଲ ପଠାଇବ, ସେଦିନ ହେବ ପ୍ରକୃତ ଦଶହରା। ମା’ ଦୁର୍ଗା କେବଳ ମଣ୍ଡପରେ ନୁହନ୍ତି, ସେ ପ୍ରତି ପାଠ ପଢୁଥିବା ଝିଅ ଭିତରେ ଅଛନ୍ତି। ଆମ ଗାଁ ଠାରୁ ସହରର ରହୁଥିବା ବ୍ୟବସାୟୀ ଯେତେବେଳେ ପୂଜା ସାମଗ୍ରୀର ଦର ବଢାଇ ଲୁଟିବେ ନାହିଁ, ଚଢା ଦରରେ ବିକିବେ ନାହିଁ, ଲାଭଖୋର ହେବେନାହିଁ ସେଦିନ ମା’ ସତରେ ଖୁସି ହେବେ। ସଜ ବାଜ ଦୋକାନରେ ନୁହେଁ, ସଚ୍ଚୋଟତାରେ। ଆମେ ମା’ ଦଶଭୁଜାଙ୍କୁ ଦଶ ହାତରେ ଫୁଲ ଦେଉଛୁ, କିନ୍ତୁ ପାଖ ଘରର ଭୋକିଲା ଲୋକକୁ ଗୋଟିଏ ହାତ ବଢାଉଛୁ କି ? ଯଦି ନାହିଁ, ତେବେ ଆମ ପୂଜା କେବଳ ଫଟୋ ଉଠା ପାଇଁ।
ଶେଷରେ ଏତିକି କୁହାଯାଇ ପାରେ ଏହି ବିଜୟା ଦଶମୀ ଅସତ୍ୟ ଉପରେ ସତ୍ୟର, ଅନ୍ଧାର ଉପରେ ଆଲୋକର ବିଜୟ। ଆସନ୍ତୁ, ଆମେ କେବଳ ରାବଣର କୁଶ ପୁତ୍ତଳିକା ନ ଜାଳି, ନିଜ ଭିତରେ ଥିବା ଅହଂକାର, ହିଂସା, ଲୋଭ, ଈର୍ଷା ରୂପୀ ରାବଣ ଆଉ ମହିଷାସୁରକୁ ଜାଳିବା। ଯେଉଁଦିନ ପ୍ରତି ଘରୁ ନିଶା ହଟିବ, ପ୍ରତି ଦୋକାନରୁ ଠକାମି ହଟିବ, ପ୍ରତି ମନରୁ ନାରୀ ପ୍ରତି କୁ-ଦୃଷ୍ଟି ହଟିବ, ସେଦିନ ହିଁ ପ୍ରତିଦିନ ଦଶହରା।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ