ମାଲକାନଗିରି,୨୧/୦୪(ପିପିଟି): ମୃତ୍ୟୁ କେତେବେଳେ କେଉଁ ରୂପରେ ଏବଂ କେଉଁ ପରିସ୍ଥିତିରେ ଆସିବ,କାହାକୁ ଜଣା ନଥାଏ । ଜନ୍ମ ମାତ୍ରେ ମରଣ ସୁନିଶ୍ଚିତ ।ଗତ କାଲି ସୁଦୂର ଦିଲ୍ଲୀରୁ ବର ଏବଂ ବରଯାତ୍ରୀ ଆସି ମାଲକାନଗିରି ସଦର ମହକୁମାର ଏକ ଝିଅକୁ ବିବାହ ଲାଗି ଡିଜେ ସହ ଶୋଭା ଯାତ୍ରା ଚାଲିଥିବା ବେଳେ ବରର ପିତା ହଠାତ ଡିଜେର ଉଚ୍ଚ ଧ୍ବନିକୁ ସମ୍ଭାଳିନ ପାରି ହୃଦଘାତ ହୋଇ ମୃତ୍ୟୁ ବରଣ କରିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।
ଡିଜେ ବାଜିବ, ବାଣ ଫୁଟିବ, ରୋଶଣି ହେବ,ପୁଅର ବାହାଘର ଧୁମ ଧାମରେ ଚାଲିବ ଓ ଡିଜେର ତାଳେ ତାଳେ ନାଚିବେ ବରଯାତ୍ରୀ । ଏମିତି ରୂପେ ଆରମ୍ଭ ହୋଇଥିଲା ପୁଅ ବାହାଘରର ଶୋଭାଯାତ୍ରା ମାଲକାନଗିରି ସ୍ଥିତ ଗୋଲଡେନ ଭିଉ ହୋଟେଲରୁ। କିନ୍ତୁ ଶୁଭ ବିବାହ ବେଳେ ମାଡି ଆସିଲା ଅସିଲା ଅଶୁଭ ସମୟ । ଡିଜେର ତିବ୍ର ଶବ୍ଦରେ ବର ପିତାଙ୍କ ହେଲା ଅକାଳ ବିୟୋଗ । ସମସ୍ତ ହସ ଖୁସୀ କ୍ଷଣକ ମଧ୍ଯରେ ଉଭେଇ ଗଲା । ଏମିତି ଦୁଃଖଦ ପରିସ୍ଥିତିରେ ସମସ୍ତେ ସ୍ତବ୍ଧ ହୋଇଗଲେ । ମୃତକ ଜଣଙ୍କ ହେଉଛନ୍ତି ଦିଲ୍ଲୀ ନିବାସୀ ମହେନ୍ଦ୍ର ରୋହିଲା । ସୂଚନା ଅନୁଯାୟୀ ଦିଲ୍ଲୀ ନିବାସୀ ମହେନ୍ଦ୍ର ରୋହିଲାଙ୍କ ପୁଅ ଅଙ୍କିତ ରୋହିଲା ଫେସବୁକରେ ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଲାଠିଆଗୁଡାର ଏକ ଯୁବତୀଙ୍କୁ ଭଲ ପାଇ ବସିଲେ ।ପରସ୍ପ ମଧ୍ଯରେ ନିବିଡ ପ୍ରେମ ହେଲା ପରେ ଉଭୟ ପରିବାର ଲୋକେ ପୁଅ ଝିଅଙ୍କୁ ବିବାହ କରେଇବା ପାଇଁ ସ୍ଥିର କରିଥିଲେ । ଗତ ବୁଧବାର ରାତି ୮ ଘଟିକାରେ ମାଲକାନଗିରି ସହରର ହୋଟେଲ ଗୋଲଡେନ ଭିଉ ସମ୍ମୁଖରୁ ବରଯାତ୍ରୀଙ୍କ ଶୋଭାଯାତ୍ରା ବାହାରି ଲାଠିଆଗୁଡା କନ୍ଯାଙ୍କ ବାସ ଭବନ ଅଭିମୁଖେ ଯାଉଥିବା ସମୟରେ ହଠାତ୍ ରାସ୍ତା ଉପରେ ବର ପିତା ମହେନ୍ଦ୍ର ରୋହିଲାଙ୍କ ଶରୀର ଅସୁସ୍ଥ ହୋଇ ପଡିଥିଲା ।ସେ ଅଚେତ ହୋଇ ପଡିବାରୁ ତାଙ୍କୁ ସ୍ଥାନୀୟ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି । ସେପଟେ ବର ବାପାଙ୍କ ମୃତ୍ୟୁ ପରେ ବାହାଘର ବନ୍ଦ ରହିଥିବା ଜଣାପଡିଛି । ପ୍ରକାଶ ଥାଉ କି ପୂର୍ବରୁ ବର ପିତାଙ୍କ ହୃଦ ରୋଗ ଥିଲା । ଡିଜେର ତୀବ୍ର ଉଚ୍ଚମାନ ଶବ୍ଦ ଯୋଗୁଁ ମୃତ୍ୟୁ ହେଇଥିବା ଅନୁମାନ କରାଯାଉଛି ।
(ରିପୋର୍ଟ- ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ। )