ମାଲକାନଗିରି,୧୨/୧୨(ପିପିଟି): ମାଲକାନଗିରି ଜିଲ୍ଲା ମାଥିଲି ଥାନା ସାଲିମି ଫାଣ୍ଡି ଅନ୍ତର୍ଗତ ହଳଦୀକୁଣ୍ଡ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନିଶାସକ୍ତ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ହଳଦୀକୁଣ୍ଡ ଗ୍ରାମର କୁଜା କବାସୀ ଓ ତାଙ୍କ ପୁଅ ଲକ୍ଷ୍ମା କବାସୀ ମିଶି ଗୋଟିଏ ଘରେ ରହୁଥିଲେ। ସବୁଦିନ ମଦ ପିଇ ପୁଅ ଘରକୁ ଆସୁ ଥିବାରୁ କୁଜା ଗତକାଲି ଲକ୍ଷ୍ମାକୁ ଗାଳି କରିଥିଲା। ଉଭୟଙ୍କ ମଧ୍ୟରେ କିଛି ସମୟ ପାଟିତୁଣ୍ଡ ହେବାପରେ ଯିଏ ଯା ରାସ୍ତାରେ ଚାଲିଯାଇଥିଲେ। ପରେ ବାପା କୁଜା ଧାନ ଖଳାରେ ଥିବା ବେଳେ ନିଶାସକ୍ତ ପୁଅ ସେଠାକୁ ଯାଇ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଫଳରେ ବାପାର ମୃତ୍ୟୁ ହୋଇଥିଲା । ଖବର ପାଇ ମାଥିଲି ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ ନିର୍ଦ୍ଦେଶ କ୍ରମେ ସାଲିମି ଫାଣ୍ଡି ଅଧିକାରୀ କୃତିବାସ ବେହେରା ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ପହଞ୍ଚି ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିବା ସହ ଅଭିଯୁକ୍ତ ପୁଅକୁ ଗିରଫ କରିଥିଲେ। ପରେ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ମାଥିଲି ପଠାଇ ଘଟଣାର ତଦନ୍ତ ଚଳାଇଛନ୍ତି।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)