ପୋଲସରା ,୧୮/୦୧(ପିପିଟି): ପୋଲସରା ସ୍ଥିତ ପ୍ରତିଷ୍ଠିତ
ପି.ଏମ୍.ଶ୍ରୀ. ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ୮୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସଙ୍କର୍ଷଣ ସଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମଟିକୁ ମୁଖ୍ୟଅତିଥି ଭାବେ ପୋଲସରା ବିଧାୟକ ତଥା ମାନ୍ୟବର ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭ ଉଦଘାଟନ ଏବଂ ପରିସର ସ୍ଥିତ କ୍ରୀଡାଙ୍ଗନରେ ଆୟୋଜିତ ୪ ଦିବସୀୟ ବାର୍ଷିକ କ୍ରୀଡାର ଶୁଭାରମ୍ଭ କରିବା ପରେ ଛାତ୍ରୀଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା । ପରେ ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ।ଏହାପରେ ମୁଖ୍ୟଅତିଥି ନିଜର ଅଭିଭାଷଣରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ଶିକ୍ଷା, ଶିଷ୍ଟାଚାର ଓ ନୈତିକ ମୂଲ୍ୟବୋଧଉପରେ ଗୁରୁତ୍ଵ ଆଲୋକପାତ କରିବା ସହିତ ଅନୁଷ୍ଠାନର ଉତ୍ତରୋତ୍ତର ଏବଂ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟ ଉଜ୍ଜ୍ଵଳ କାମନା କରିଥିଲେ । ପରେ ବିଶିଷ୍ଠ ଶିକ୍ଷାବିତ କାମ୍ଫ ବାଢେଇ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରତ୍ନାକର ସାହୁ, ଆଲୁମିନି ମୁଖ୍ୟ ତଥା ଶିକ୍ଷାବିତ ସୁରେନ୍ଦ୍ର ପାଢ଼ୀ, ଆସ୍କା ନଗର ସା°ସଦ ପ୍ରତିନିଧି ଶିମାଞ୍ଚଳ ସାହୁ ଓ ପ୍ରମୋଦ ପ୍ରଧାନ ପ୍ରମୁଖ ଅତିଥିବୃନ୍ଦ ନିଜ ନିଜର ଅଭିଭାଷଣ ଜରିଆରେ ଦିଗଦର୍ଶନ ଦେଇଥିଲେ।
ଅନୁଷ୍ଠାନ ତରଫରୁ ମଞ୍ଚାସୀନ ଅତିଥିବୃନ୍ଦଙ୍କୁ ପାରମ୍ପରିକ ସ୍ବାଗତ, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରାରମ୍ଭରେ ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଏକ କ୍ରୀଡା ମଶାଲ ଶୋଭାଯାତ୍ରା ବାହାର କରାଯାଇ ନଗର ପରିକ୍ରମା କରାଯାଇ ବିଦ୍ୟାଳୟ ସଭାକାର୍ଯ୍ୟ ସ୍ଥଳରେ ମଶାଲକୁ ସ୍ଥାପନ କରାଯାଇଥିଲା। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଅ°ଶଗ୍ରହଣ କରି ପ୍ରଥମରୁ ତୃତୀୟ ସ୍ଥାନ ଏଵଂ ଚମ୍ପିୟାନ ହାସଲ କରିଥିବା ୨୧୦ ଜଣ କୃତିତ୍ୱ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପ୍ରଶଂସାପତ୍ର ସହିତ ଟ୍ରଫି ଓ ପଦକ ପ୍ରଦାନ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ନୃତ୍ୟ, ସଙ୍ଗୀତ, ନାଟିକା ଓ ଦେଶଭକ୍ତିମୂଳକ କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବେ ପ୍ରଦର୍ଶିତ ହୋଇଥିଲା। ଯାହାକୁ ଉପସ୍ଥିତ ଅଭିଭାବକ ଓ ଦର୍ଶକମଣ୍ଡଳୀ ଭରପୁର ସ୍ବାଗତ ଏବଂ ପ୍ରଶଂସା କରିଥିବାର ଦେଖିବାକୁ ମିଳିଥିଲା। ସମ୍ପୂର୍ଣ୍ଣ ସଭାକାର୍ଯ୍ୟକୁ ବିଜ୍ଞାନ ଶିକ୍ଷକ ଡକ୍ଟର ଅମରେଶ ପଟ୍ଟନାୟକ ସୁଚାରୁରୂପେ ସମ୍ପନ୍ନ କରିଥିବାବେଳେ ବିଦ୍ୟାଳୟର ଅନ୍ୟ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଏସ ଏମ୍ ସି ସଦସ୍ୟଙ୍କ ସମେତ କର୍ମଚାରୀଗଣ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଅମରେଶ ପଟ୍ଟନାୟକଙ୍କ ଦ୍ଵାରା ଧନ୍ୟବାଦ ଜ୍ଞାପନ ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା