ପିଲା ଖାଇ ପାରୁନାହାଁନ୍ତି ମଧ୍ୟାହ୍ନ ଭୋଜନ,ଘରୁ ଆଣୁଛନ୍ତି ଖାଇବା, କିନ୍ତୁ ବିଲ୍ ଲକ୍ଷାଧିକ ଟଙ୍କା ।

ବେଲଗୁଣ୍ଠା,୦୪/୦୮(ପିପିଟି):ସବୁ ସରକାରୀ ସ୍କୁଲ ରେ ଛାତ୍ରଛାତ୍ରୀ ଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ମଧ୍ୟାହ୍ନଭୋଜନ ଯୋଜନା ରହିଛି ।ଏଥିପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ।କିନ୍ତୁ ଏହି ଟଙ୍କା ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ଠିକା ସଂସ୍ଥା । ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ଖାଦ୍ୟ ଦେଇ ଲୁଟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ବେଲଗୁଣ୍ଠା ବ୍ଲକର ପାଇଲିପଡା ପଞ୍ଚାୟତର ନୁଆଗଡ, ଦହିମୁଣ୍ଡୁଳୀ ପରି ଆଉ କିଛି ବିଦ୍ୟାଳୟରେ ଏହିପରି ଘଟଣା ଦୃଷ୍ଟି ଗୋଚର ହୋଇଛି ।ଚିକିଟା ଜାଉ ଭାତକୁ ପାଣିଆ ଡାଲେମା, ପିଲାଏ ଭାତକୁ ପଖାଳ ଭଳି ଛାଣି ଖାଉଥିବା ଜଣାପଡିଛି ।ଦୁଇ ଗୁଣ୍ଡା ଖାଉଣୁ ଓଟାରି ଆଣୁଛନ୍ତି ପିଲାଏ, ବଳକା ସବୁତକ ଖାଦ୍ୟ ନେଇ ଡ଼ଷ୍ଟବିନରେ ଢାଳୁଛନ୍ତି ।ଗଂଜାମ ବେଲଗୁଣ୍ଠା ବ୍ଲକର ଉଢୁରାରେ ସେଣ୍ଟ୍ରାଲ କିଚେନ ଯୋଜନାରେ ପ୍ରତି ସ୍କୁଲକୁ ଖାଦ୍ୟ ଯୋଗାଉଛି ଜଗନ୍ନାଥ ପ୍ରସାଦ ବ୍ଲକର ମହିଳା ସଂଚୟିକା ସଙ୍ଘ । କିନ୍ତୁ ସଙ୍ଘ ଏହି ଦାୟିତ୍ବ ନେଇଥିଲେ ମଧ୍ୟ ଏହାକୁ ପରିଚାଳନା କରୁଛନ୍ତି ଜଗନ୍ନାଥ ପ୍ରସାଦ ବ୍ଳକ୍,ଗେରେଡା ପଞ୍ଚାୟତର ଲିଙ୍ଗରିବାରି ଗ୍ରାମର ଅସିତଚାନ୍ଦ ସାହୁ ।ମହିଳା ଗୃପ୍ କୁ ମାସକୁ କିଛି ହାତଗୁଞ୍ଜା ଦେଇ ଏହା ତୁଲାଉଥିବା ଜଣାପଡିଛି ।ଏହି ସଙ୍ଘ ବେଲଗୁଣ୍ଠା ବ୍ଳକ୍ ଓ ଭଞ୍ଜନଗର ବ୍ଳକ୍ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଅଛି କିନ୍ତୁ ରନ୍ଧା ଖାଦ୍ୟ ନିମ୍ନମାନର ତିଆରି କରି ବାର୍ଷିକ କୋଟିକୋଟି ଟଙ୍କା ହରିଲୁଟ କରୁଛି ସମୃକ୍ତ ସଂସ୍ଥା ।ଏନେଇ ବାରମ୍ବାର ଛାତ୍ରଛାତ୍ରୀ ଓ ସ୍କୁଲ କର୍ତ୍ତୃପକ୍ଷ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ ପ୍ରଶାସନ ।ପ୍ରତିଦିନ ନିୟମ ପ୍ରକାରେ ଭାତ,ଡାଲି,ଡାଲମା, ସୋୟାବଢି ତରକାରୀ, ଅଣ୍ଡା, ମାଣ୍ଡିଆ ଲଡୁ ଭଳି ବିଭିନ୍ନ ସୁସ୍ଵାଦ ଖାଦ୍ୟ ଯୋଗାଇ ଦେବା ନିୟମ ରହିଛି । ଯାହା ଛାତ୍ରଛାତ୍ରୀଙ୍କ ପାଇଁ ଅମୃତ, ହେଲେ ସମୃକ୍ତ ସଂସ୍ଥା ନିଜର ଲାଭ ପାଇଁ ବିଷ ସଦୃଶ ଖାଦ୍ୟ ପ୍ରସ୍ତୁତ କରି ବେଲଗୁଣ୍ଠା ବ୍ଲକ ର ୧୧୧ ଟି ବିଦ୍ୟାଳୟ ର ୧୩ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦେଉଛି । ଅନେକ ପିଲା ବାଧ୍ୟ ହୋଇ ଏହି ଖାଦ୍ୟକୁ ଖାଉଥିବା ବେଳେ ଆଉ କିଛି ପିଲା ଏଭଳି ଖାଦ୍ୟକୁ ନା ପସନ୍ଦ କରି ଘରୁ ନିଜର ଖାଇବା ଆଣୁଛନ୍ତି ।ବହୁତ ପିଲା ଘରୁ ଖାଇବା ଆଣୁଥିଲେ ମଧ୍ୟ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦର୍ଶା ଯାଉଛି ବୋଲି ମଧ୍ୟ ଅଭିଯୋଗ ହୋଇଛି ।ଗତ ପାଞ୍ଚ ବର୍ଷରୁ ଉର୍ଦ୍ଧ୍ବ ହେଲା ଏହି ସଂସ୍ଥା ଏଭଳି ନିମ୍ନମାନର ଖାଦ୍ୟ ଯୋଗାଇ ନିଜେ ମାଲାମାଲ ହେଉଥିବା ଜଣାପଡିଛି ।ଏ ନେଇ ଅଭିଯୋଗ ହେଲା ପରେ, ଆଜି ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଉମାଶଙ୍କର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ,ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ ବେଲଗୁଣ୍ଠା ନିକଟସ୍ଥ ଉଢୁରାସ୍ଥିତ ସେଣ୍ଟ୍ରାଲ କିଚେନ୍ ପରିଦର୍ଶନ କରି ଆସିଥିବା ସୂଚନା ମିଳିଛି । ମଧ୍ୟାହ୍ନ ଭୋଜନ ନିମ୍ନ ମାନର ନେଇ ଗତ ପଞ୍ଚାୟତ ସମିତି ବୈଠକରେ ବହୁ ସରପଞ୍ଚ,ସମିତି ସଭ୍ୟ ଅଭିଯୋଗ ଆଣିବା ସହ ଏହାର ତଦନ୍ତ ଦାବି କରିଥିଲେ । ଏବଂ ବେଲଗୁଣ୍ଠା କାଉନସିଲର ବୈଠକରେ ମଧ୍ୟ ମଧ୍ୟାହ୍ନ ଭୋଜନ ନିମ୍ନ ମାନର ନେଇ ଆଲୋଚନା ଉଠିଥିଲା । ବାରମ୍ବାର ଅଭିଯୋଗ ସତ୍ବେ ଏହି ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ଅଭିଭାବକ ମାନଙ୍କୁ ଆଶ୍ଚର୍ଯ୍ୟାନୀତ କରିଛି ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Comments (0)
Add Comment