ପିତୃ ପକ୍ଷ ଓ ଏହାର ତାତ୍ପର୍ଯ୍ୟ।

ଖୋର୍ଦ୍ଧା ,୧୩/୦୯(ପିପିଟି): ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରାଦ୍ଧ ଅନ୍ୟତମ ଏବଂ ଶ୍ରେଷ୍ଠ ଅଟେ। ଏହି ଶ୍ରାଦ୍ଧ କୁ ମଉଳାଶ୍ରାଦ୍ଧ ମଧ୍ୟ କୁହାଯାଏ। ପିତୃଗଣଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ,ପିଣ୍ଡଦାନ ଆଦି ପାଳନ କରାଯାଉଥିବାରୁ ଏହାକୁ ପିତୃପର୍ବ ମଧ୍ୟ କୁହାଯାଇଥାଏ। ଏହି ପରିପ୍ରେକ୍ଷୀରେ ଚଳିତ ମାସ ୧୮ ତାରିଖର ପୂର୍ବାହ୍ନ ସ୍ୱଳ୍ପ ସମୟ ଭାଦ୍ରବ ମାସ ପୂର୍ଣ୍ଣିମା ଏବଂ ଅବଶିଷ୍ଟ ବହୁ ସମୟ ପ୍ରତିପଦ ପଡିଥିଲା l ଏହି ତିଥିଠାରୁ ପିତୃପକ୍ଷ ଆରମ୍ଭ ହୋଇଛି ଯାହାକି ଆସନ୍ତା ମାସ ଦୁଇ ତାରିଖ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲୁ ରହିବ ।ପିତୃପକ୍ଷ ଆରମ୍ଭ ତିଥିରେ ଆମର ପିତୃଦେବତାମାନେ ଧରାବତରଣ କରି ମହାଳୟା ଦିବସ ଯାଏଁ ଧରାପୃଷ୍ଠରେ ଅବସ୍ଥାନ କରନ୍ତି ।ଏହି ପକ୍ଷରେ ଗୃହରେ ଶ୍ରାଦ୍ଧ, ତର୍ପଣ କରାହୁଏ । ଶ୍ରଦ୍ଧା ଶବ୍ଦରୁ ଶ୍ରାଦ୍ଧ ଆନୀତ । ଜୀବିତ ଅବସ୍ଥାରେ ପିତାମାତାଙ୍କୁ ଯେଉଁ ପୁତ୍ର ହୀନ ଦୃଷ୍ଟିରେ ଦେଖିଥାଏ,ଆଗ୍ରହରେ ଖାଦ୍ୟ ବସ୍ତ୍ର ଯୋଗାଇ ନ ଥାଏ,ସେ କିମ୍ବା ତା’ର ସ୍ତ୍ରୀ ସେବା କରିନଥାନ୍ତି,ଅସୁସ୍ଥତା ସମୟରେ ଔଷଧ ଟିକିଏ ଦେବାକୁ ପୁଅ କୁଣ୍ଠାବୋଧ କରିଥାନ୍ତି,ଆଖିରୁ ଲୁହ ଝରାଇଥାନ୍ତି ଲୋକ ଦେଖାଣିଆକୁ ଏହି ପ୍ରକାର ପୁତ୍ର ମୃତ୍ୟୁ ପରେ ପିତାମାତାଙ୍କର ଶ୍ରାଦ୍ଧ କଲେ ସେହି ଶ୍ରାଦ୍ଧରେ ପିତାମାତାଙ୍କ ଆତ୍ମା ତୃପ୍ତ ହୁଏ ନାହିଁ ।ନିଜର ପୁତ୍ର ଦ୍ୱାରା ଭବିଷ୍ୟତରେ ସେ ନିର୍ଯ୍ୟାତିତ ହୋଇଥାଏ ।ତେଣୁ ପ୍ରତି ବ୍ୟକ୍ତି ପିତାମାତାଙ୍କର ତା ‘ପ୍ରତି କରିଥିବା କର୍ତ୍ତବ୍ୟକୁ ନ ପାସୋରି ଉପଯୁକ୍ତ ଯତ୍ନ ନେବା ଉଚିତ । ପିତୃ ପକ୍ଷରେ ବ୍ରାହ୍ମଣମାନେ କୁଶପାତ୍ରି ଧରି ପିତୃଙ୍କର ଅର୍ଚନା କରନ୍ତି । ଶ୍ରୀମନ୍ଦିରବାହାରେ ଉତ୍ତର ଦ୍ୱାର ପାର୍ଶ୍ୱରେ, ତୀର୍ଥ ସ୍ଥାନମାନଙ୍କରେ ପିତୃମାନଙ୍କୁ ଶ୍ରାଦ୍ଧ ଦିଆଯାଏ । ସମସ୍ତେ ପିତୃ ଓ ପୂର୍ବ ପୁରୁଷମାନଙ୍କୁ ପ୍ରଣାମ କରନ୍ତି ।ଫଳରେ ଅନେକ ରିଷ୍ଟ ଖଣ୍ଡନ ହୁଏ ବୋଲି ବିଶ୍ୱାସ ରହିଛି ।ଯେଉଁମାନେ ନିର୍ମଳ ହୃଦୟରେ ପିତୃମାନଙ୍କୁ ‘ପିତୃଦେବାୟ ନମୋନମଃ ‘କହି ପ୍ରଣାମ କରନ୍ତି ସେମାନଙ୍କୁ କଲ୍ୟାଣ ମିଳେ ।ବ୍ରାହ୍ମ ମୁହୂର୍ତ୍ତରେ ଶଯ୍ୟା ତ୍ୟାଗ ନ କରି ଶୋଇ ରହିଲେ ସମସ୍ତ ଧର୍ମ ନଷ୍ଟ ହୁଏ ।ପ୍ରାତଃ କାଳରେ ଗଣପତି, ବିଷ୍ଣୁ, ଦୁର୍ଗା, ସୂର୍ଯ୍ୟ ଦେବତା ଏବଂ ନବଗ୍ରହକୁ ସ୍ମରଣ କରିବା ବିଧେୟ. ଋଷି ଭାରଦ୍ୱାଜ,ଭୃଗୁ, ବଶିଷ୍ଟ, ଗୌତମ ଓ ମନୁଙ୍କୁ ପ୍ରଣାମ କରିବା ଉଚିତ ।ଭକ୍ତିରେ ରାଶି, ଯବଧାନ, ଶ୍ଵେତ ସୋରିଷ ଦେଇ ତିଳ ତର୍ପଣ କଲେ ବହୁ କଲ୍ୟାଣ ମିଳେ ।ଋଷି, ଦେବତା, ପିତୃ ଏବଂ ପୂର୍ବପୁରୁଷଙ୍କୁ ତର୍ପଣ କଲେ ବୈକୁଣ୍ଠ ପ୍ରାପ୍ତ ହୁଏ ।ନଳ ରାଜା, ଯୁଧିଷ୍ଠିର, ବୈଦେହୀଙ୍କ ପରି ପୂଣ୍ୟବାନ ବ୍ୟକ୍ତିମାନଙ୍କୁ, ଅଯୋଧ୍ୟା,କାଶୀ, ପୁରୀ ପରି ତୀର୍ଥସ୍ଥାନକୁ,ମତ୍ସ୍ୟ, କଶ୍ୟପ, ବାମନ ଆଦି ଭଗବାନଙ୍କ ନାମକୁ ସ୍ମରଣ କଲେ ଆଶୀର୍ବାଦ ମିଳିଥାଏ । ସଙ୍କଟ କାଳରେ ହନୁମାନଙ୍କୁ ସ୍ମରଣ କଲେ ସଙ୍କଟ ମୋଚନ ହୁଏ । ପ୍ରାତଃ କାଳରେ ଗାଈ, ଅଗ୍ନି, ସୌଭାଗ୍ୟବତୀ ସ୍ତ୍ରୀ ବା ଅନ୍ୟ ମହିଳା ଆଦିଙ୍କୁ ଦେଖିଲେ କଲ୍ୟାଣ

ସାଧିତ ହୁଏ ।ପିତୃମାନେ ଭଗବାନ ସଦୃଶ। ତେଣୁ ତାଙ୍କ ଆଶୀଷ ପ୍ରାପ୍ତ ଆମକୁ ଉପଯୁକ୍ତ ମଣିଷ ରୂପେ ସଂସାରରେ ପରିଚୟ ପ୍ରଦାନ କରେ,ଦୁଃଖ କଷ୍ଟ ଦୂର କରେ , ଜଟିଳ ପରିସ୍ଥିତିକୁ ସାମନା କରିବାକୁ ସାହସ ଓ ଧୈର୍ଯ୍ୟ ଦେଇଥାଏ,ଏପରିକି ସମସ୍ତ ପ୍ରକାର ବିପଦକୁ ଟାଳିଦିଏ ବୋଲି ଆମ ପରମ୍ପରା ରେ ବିଶ୍ୱାସ ରହିଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment