ପିତାମାତାଙ୍କ ଶେଷ ଠିକଣା ବୃଦ୍ଧାଶ୍ରମ; ୪ପୁଅ ଥାଇ ମଧ୍ୟ ମୁରଲୀ ଆଜି ବେସାହାରା।

ଭଞ୍ଜନଗର, ୦୮/୧୧./(ପିପିଟି ):ମଣିଷ ସନ୍ତାନଟିଏ ପାଇବା ପାଇଁ କେତେ ଓଷା ବ୍ରତ କରି ଦିଅଁ ଦେବତାଙ୍କୁ ଡ଼ାକିଥାଏ।ତାର ବୃଦ୍ଧାବସ୍ଥାରେ ଦେଖାଶୁଣା କରିବ ସହାୟ ହେବ।ତେଣୁ ସେ ମୁଣ୍ଡର ଝାଳ ତୁଣ୍ଡରେ ମାରି ଶିଶୁଟିର ଯତ୍ନ ନେବା ସହ ଉପଯୁକ୍ତ ଲାଳନପାଳନ କରି ତାକୁ ବଡ଼ ମଣିଷ କରିବାକୁ ସବୁକିଛି ତ୍ୟାଗ କରିଥାଏ।ନିଜେ ଦୁଃଖକଷ୍ଟରେ ରହି ମଧ୍ୟ ନିଜ ପିଲାଙ୍କର ସୁଖ ଏବଂ ସମସ୍ତ ଅଭାବ ଅସୁବିଧା ପୂରଣ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥାନ୍ତି ବାପାମାଆ।ହେଲେ ପିଲାଟି ଯେତେବେଳେ ବଡ଼ ହୋଇଯାଏ, ସେତେବେଳେ ସେ ନିଜ ବାପମାଆଙ୍କର ତ୍ୟାଗ ଓ ପଛକଥା ସବୁ କିଛି ଭୁଲିଯାଏ।ନିଜ ପତ୍ନୀ ଓ ପିଲାଛୁଆଙ୍କୁ ପ୍ରାଥମିକତା ଦେଇଥାଏ।ନିଜ ବାପମାଆ ତାପାଇଁ ପର ହୋଇଯାଆନ୍ତି। ସେମାନଙ୍କୁ ବୋଝ ଭାବି କିଭଳି ସେମାନଙ୍କ ଠାରୁ ଦୁରେଇ ଶାନ୍ତିରେ ରହିବ ତେଣୁ ବୃଦ୍ଧାଶ୍ରମରେ ପିତାମାତାଙ୍କୁ ନେଇ ଛାଡି ଦିଅନ୍ତି ପିଲାମାନେ।ସେତେବେଳେ ବାପମାଆମାନେ ଭାବନ୍ତି ସନ୍ତାନ ଜନ୍ମ କରିବା ସେମାନଙ୍କ ପାଇଁ ଏକ ବଡ଼ ଭୁଲ ନିଷ୍ପତ୍ତି ଥିଲା।
ଆଜିର ଦୁନିଆରେ ଏମିତି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି।ଯାହାକି ପ୍ରତ୍ୟେକ ବାପମାଆଙ୍କ ପାଇଁ ଚିନ୍ତାର କାରଣ ସାଜିଛି।ବୃଦ୍ଧାବସ୍ଥାରେ ସେମାନେ ଯିବେ କୁଆଡ଼େ, ରହିବେ କୋଉଠି,କିଏ ତାଙ୍କର ଯତ୍ନ ନେବ ଏମିତି ଅନେକ ପ୍ରଶ୍ନ ?
ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକ ଖଣ୍ଡରାବଳି ଗ୍ରାମର ମୁରଲୀ ଜେନା, ବୟସ ୭୩ବର୍ଷ।ଘରେ ତାଙ୍କର ୪ ପୁଅ, ୪ ବୋହୁ ନାତି ନାତୁଣୀ। ୨ଝିଅଙ୍କ ବିବାହ ପରେ ସେମାନେ ନିଜ ଶାଶୂଘରେ ରହୁଛନ୍ତି।ଗତବର୍ଷ ପତ୍ନୀ ଉର୍ମିଳାଙ୍କର ମୃତ୍ୟୁ ଘଟିଛି।ତାପରେ ମୁରଲୀ ଙ୍କ ପାଇଁ ସମସ୍ତେ ପର ହୋଇଗଲେ।କେହି ତାଙ୍କ କଥା ବୁଝିଲେ ନାହିଁ। ନିଜର ଘରଦ୍ୱାର, ଜମିବାଡ଼ି ସବୁ ଥାଇ ମଧ୍ୟ ମୁରଲୀ ଆଜି ବେସାହାରା।ପୁଅମାନେ ସମସ୍ତ ସମ୍ପତ୍ତି ଭାଗବାଣ୍ଟି ନେଇଗଲେ।ହେଲେ କେହି ବାପାଙ୍କୁ ପାଖରେ ରଖିବାକୁ ଚାହୁଁ ନାହାନ୍ତି।ଶେଷରେ ବାପାଙ୍କୁ ମାଡ଼ ମାରି ଘରୁ ବାହାର କରି ଦେଇଛନ୍ତି ପୁଅମାନେ।ବୃଦ୍ଧ ବୟସରେ ଏଣେ ତେଣେ ବୁଲି ଯିଏ ଯାହା ଦେଲା ତାହା ଖାଇ ଆଜି ପର୍ଯ୍ୟନ୍ତ ବଞ୍ଚି ରହିଛନ୍ତି ମୁରଲୀ।ଏସମ୍ପର୍କରେ ସେ ଆସ୍କା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ସେଠାରେ କିଛି ସମାଧାନ ହୋଇ ପାରିଲା ନାହିଁ।ଶେଷରେ ମୁରଲୀ ପ୍ରଶାସନର ଦ୍ୱାରସ୍ଥ ହେବାରୁ ତାଙ୍କୁ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସହଯୋଗରେ ନିକଟସ୍ଥ ବୃଦ୍ଧାଶ୍ରମରେ ଥଇଥାନ କରିବା ପାଇଁ ବ୍ୟବସ୍ଥା କରାଯାଉଛି।ହେଲେ ନିଜ ଜନ୍ମକଲା ପିଲାମାନଙ୍କ ଦ୍ୱାରା ନିର୍ଯ୍ୟାତନାର ଶିକାର ହୋଇଥିବା ମୁରଲୀ ଲୁହ ଛଳଛଳରେ ଏଭଳି ଏକ ଦୁଃଖଦ ଘଟଣାକୁ ବର୍ଣ୍ଣନା କରିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment