ଭଞ୍ଜନଗର,୦୭/୦୮(ପିପିଟି): ଜଗନ୍ନାଥପ୍ରସାଦ ବ୍ଳକ୍ ବିଡିପୁର ଗ୍ରାମର ମହେଶ ପ୍ରସାଦ ରଥ ଗତମାସ ୩୦ ତାରିଖ ଅପରାହ୍ନ ସମୟରେ ଗ୍ରାମ ନିକଟ ବିଡିପୁର-ପଟାଧର ବ୍ରିଜ୍ ପାଖରୁ ଏକ ନବଜାତ ଶିଶୁ ପଡିଥିବା ଖବର ପାଇଥିଲେ। ସେଠାରୁ ମହେଶ ଶିଶୁଟିକୁ ଘରକୁ ଆଣି ତାର ସେବା ଶୁଶ୍ରୁଶା କରିଥିଲେ। ପତ୍ନୀ ରୁଚିଶ୍ମିତା ଉଦ୍ଗାତା ତାକୁ ନିଜ ସନ୍ତାନ ଭଳି ଲାଳନ ପାଳନ କରି ରଖିଥିଲେ। ଏସଂର୍ପକରେ ସେ ପୁଲିସ୍ ଓ ପ୍ରଶାସନକୁ ମଧ୍ୟ ଜଣାଇଥିବା ପ୍ରକାଶ କରିଛନ୍ତି।ଏହାପରେ ସ୍ୱାସ୍ଥ୍ୟ ଅଧିକାରୀ, ପରିଦର୍ଶିକା,ଅଙ୍ଗନୱାଡି କର୍ମୀ,ଆଶା ଦିଦି ପ୍ରମୁଖ ମହେଶଙ୍କ ଘରକୁ ଯାଇ ଶିଶୁଟିର ସ୍ବାସ୍ଥ ଅବସ୍ଥା ଯାଞ୍ଚ କରି ଫେରିଥିଲେ। ଏହି ସମୟରେ ମହେଶ ଏବଂ ତାଙ୍କ ପତ୍ନୀ ସରକାରୀ ନିୟମ ଅନୁଯାୟୀ ଉକ୍ତ ଶିଶୁଟିକୁ ନିଜ ପାଖରେ ରଖିବା ପାଇଁ ଇଛା ପ୍ରକାଶ କରିଥିଲେ। ହେଲେ ଶିଶୁଟିର ଓଜନ କମ୍ ରହିଥିବା ସହ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ତାକୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶନିବାର ସକାଳ ସମୟରେ ଏସମ୍ପର୍କରେ ଖବର ପାଇ ବ୍ରହ୍ମପୁରରୁ ଚାଇଲ୍ଡ୍ ଲାଇନ୍ ଟିମ ଭଞ୍ଜନଗର ଆସି ପୁଲିସ ସହାୟତାରେ ଶିଶୁ ପୁତ୍ରଟିକୁ ନେଇ ଯାଇଥିଲେ । ଏହି ସମୟରେ ଶିଶୁଟିକୁ ଛାଡିବା ପାଇଁ ମହେଶ ପରିବାର ଲୋକ ପ୍ରସ୍ତୁତ ନଥିବା ବେଳେ ପୁଲିସ ନିୟମ ଅନୁଯାୟୀ ନେବାକୁ ବାଧ୍ୟ ବୋଲି କହିବା ସହ ବୁଝାଶୁଝା କରିଥିଲେ ମଧ୍ୟ ପରିବାର ଲୋକ ଏଥିରେ ରାଜି ହୋଇନଥିଲେ । କିଛି ସମୟ ପାଇଁ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ପୁଲିସ୍ ଉପସ୍ଥିତିରେ ଚାଇଲ୍ଡ୍ ଲାଇନ୍ ଟିମ୍ ଶିଶୁଟିକୁ ସାଙ୍ଗରେ ନେଇ ଯାଇଥିଲେ। ତାକୁ ପାଳନ କରିଥିବା ମହେଶଙ୍କ ପତ୍ନୀ ମଧ୍ୟ ସେମାନଙ୍କ ସାଙ୍ଗରେ ବ୍ରହ୍ମପୁର ଯାଇଥିବା ଜଣାପଡିଛି। ହେଲେ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ମେଡିକାଲ୍ ପରିବେଶ ଶୋକାକୂଳ ହୋଇ ପଡିଥିଲା।ଶିଶୁପୁତ୍ର ଟିକୁ ତାଙ୍କ ନିକଟକୁ ଫେରାଇ ଦେବା ପାଇଁ ବାରମ୍ବାର ନିବେଦନ କରିବା ସହ ପ୍ରଶାସନକୁ ମଧ୍ୟ ଅନୁରୋଧ କରିଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )