ପାର୍ବଣ ପୂର୍ବରୁ ଦୁଗ୍ଧଜାତ ଖାଦ୍ୟର ମାନ ଯାଞ୍ଚ ଦାବି – ନକଲି ପନିର୍ ଆତଙ୍କରେ ବୋଲଗଡ଼ ।

ବୋଲଗଡ଼,୦୪/୧୦(ପିପଟି):ସାମ୍ନାରେ ଦଶହରା ପାର୍ବଣ, ଘରେ ଘରେ ଉତ୍ସବର ମାହୋଲ। ହେଲେ ଏହି ଉତ୍ସବ ବେଳେ ହିଁ ଆପଣ ଯେଉଁ ମିଠା ନିଜ ପିଲା ହାତରେ ଦେଉଛନ୍ତି, ତାହା ଅମୃତ ନା ବିଷ? ଏହି ପ୍ରଶ୍ନ ଏବେ ବୋଲଗଡ଼ ଅଞ୍ଚଳରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି।

ପାର୍ବଣ ପୂର୍ବରୁ ଦୁଗ୍ଧଜାତ ଖାଦ୍ୟର ମାନ ଯାଞ୍ଚ ପାଇଁ ଖାଉଟି ମହଲରୁ ଜୋରଦାର ଦାବି ଉଠିଛି। ବୋଲଗଡ଼, ରାଜସୁନାଖଳା, ପିଚୁକୁଳି, ଧଳାପଥର ସମେତ ଗ୍ରାମାଞ୍ଚଳର ଛୋଟ ବଜାର ଓ ଜଳଖିଆ ଦୋକାନମାନଙ୍କରେ ବିକ୍ରି ହେଉଥିବା ପନିର୍ ଓ ଛେନାର ଗୁଣବତ୍ତାକୁ ନେଇ ସନ୍ଦେହ ଘନୀଭୂତ ହେଉଛି। ନିକଟରେ କଟକ ସହିତ ଅନେକ ସ୍ଥାନରେ ବିପୁଳ ପରିମାଣର ନକଲି ପନିର୍ ଜବତ ହେବା ପରେ ଏହି ଭୟ ଆହୁରି ବଢିଯାଇଛି।

ସୂଚନା ଅନୁସାରେ, ଅଧିକ ମୁନାଫା ଲୋଭରେ କେତେକ ଅସାଧୁ ବ୍ୟବସାୟୀ ନିମ୍ନମାନର ଛେନା ଯୋଗାଣ କରୁଛନ୍ତି, ଯେଉଁଥିରେ ପାଉଡର ଓ ରାସାୟନିକ ଦ୍ରବ୍ୟ ମିଶ୍ରଣ ହେଉଥିବା ସନ୍ଦେହ କରାଯାଉଛି। ସେହି ନକଲି ଛେନାରୁ ହିଁ ରଙ୍ଗ-ବେରଙ୍ଗର ମିଠା ପ୍ରସ୍ତୁତ ହୋଇ ବଜାରକୁ ଆସୁଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପାର୍ବଣରେ ପିଲାଙ୍କ ପାଇଁ ମିଠା ନେଉ। ଯଦି ସେଇଟା ବିଷ ହୋଇଥାଏ ତେବେ କିଏ ଦାୟୀ? ପ୍ରଶାସନ ଯାଞ୍ଚ କରିବା ଦରକାର”ବୋଲି ସ୍ଥାନୀୟ ଖାଉଟିମାନେ କହିଛନ୍ତି।

ତେଣୁ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ତୁରନ୍ତ ବୋଲଗଡ଼ ଅଞ୍ଚଳର ବିଭିନ୍ନ ମିଠା ଦୋକାନରୁ ପନିର୍, ଛେନା ଓ ମିଠାର ନମୁନା ସଂଗ୍ରହ କରି ଲାବୋରେଟୋରୀକୁ ପଠାଇ ରିପୋର୍ଟ ଆଧାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି। କାରଣ ମୁନାଫା ପାଇଁ କାହା ସ୍ୱାସ୍ଥ୍ୟ ସହ ଖେଳିବାକୁ ଦିଆଯାଇ ପାରିବ ନାହିଁ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ

Comments (0)
Add Comment