ପାତ୍ରପୁର ବ୍ଲକ ମୁଣ୍ଡାକିରି ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଅବଧି ସରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ନୁହେଁ।

ବ୍ରହ୍ମପୁର,୦୩/୦୨(ପିପିଟି); ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକରେ ପାନୀୟ ଜଳ ଯୋଗାଣ ଓ ସ୍ବଚ୍ଛ ଭାରତ ମିଶନରେ ବ୍ଯାପକ ଅନିୟମିତତା ଓ ଦୁର୍ନୀତି ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲରେନ୍ସ କାର୍ଯ୍ୟ କରୁ ନାହିଁ। ଜଳ ହିଁ ଜୀବନ ସ୍ଲୋଗାନରେ ହିଁ ରହିଯାଇଛି। ପାତ୍ରପୁର ବ୍ଲକ ମୁଣ୍ଡାକିରି ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଅବଧି ସରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ନହୋଇ ପଡି ରହିଛି। ଫରୱାର୍ଡ ବ୍ଲକ ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତିଙ୍କୁ ମିଳିଥିବା ସୂଚନା ତଥ୍ୟରୁ ଜଣାପଡିଛି ଯେ ମୁଣ୍ଡାକିରି ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ୨୦୧୮-୧୯ ଆର୍ଥିକ ବର୍ଷରେ ୫୬ଲକ୍ଷ ୫୩ହଜାର ଟଙ୍କାର ଏଷ୍ଟିମେଟ ହୋଇଥିଲା। ଟେଣ୍ଡର ମୂଲ୍ୟ କମାଇ ଠିକାଦାର କାର୍ଯ୍ୟକୁ ହାତେଇ ଥିଲେ। ପ୍ରକଳ୍ପ ମୂଲ୍ୟ କମାଇ ୪୮,୨୪,୯୫୪ଟଙ୍କା ରେ ଏଗ୍ରୀମେଣ୍ଟ କରାଯାଇଥିଲା। ଏଗ୍ରୀମେଣ୍ଟ ଅନୁଯାୟୀ କାର୍ଯ୍ୟ ଆରମ୍ଭ ତା- ୨୦/୦୯/୨୦୧୯ ଏବଂ କାର୍ଯ୍ୟ ଶେଷ ତା-୧୮/୦୩/୨୦୨୦ କିନ୍ତୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ ନହେବା ଯୋଗୁଁ ନିର୍ବାହୀ ଯନ୍ତ୍ରୀ ସମୟ ଅବଧିକୁ ବଢାଇ ତା- ୧୩/୦୯/୨୦୨୦ କରିଥିଲେ ତଥାପି କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରିନାହିଁ।ଏଷ୍ଟିମେଟ ଠାରୁ ୮,୨୪,୦୪୬ଟଙ୍କା କମିବା ପରେ ପ୍ରକଳ୍ପ କାର୍ଯ୍ୟର ଗୁଣବତ୍ତା କମିବା ନିଶ୍ଚିତ। ପୁଣି ନେତା,ଯନ୍ତ୍ରୀଙ୍କ ପିସି ଏବଂ ଠିକାଦାରଙ୍କ ଲାଭକୁ ଦେଖିଲେ କାର୍ଯ୍ୟ ସ୍ଥାୟିତ୍ବ ଓ ଗୁଣବତ୍ତା ଉପରେ ସନ୍ଦେହ ସୃଷ୍ଟି ହେଉଛି। ଆଜି ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ସରକାର ସାଧାରଣ ଜନତାଙ୍କ ପାଇଁ ଯୋଜନା କରୁଥିଲେ ମଧ୍ୟ ସଠିକ୍ ସମୟରେ କାର୍ଯ୍ୟରେ ଆସିପାରୁ ନାହିଁ। ମୁଣ୍ଡାକିରି ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକ୍ଷମ କରାଯାଇ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ସହିତ ଦାୟିତ୍ୱ ହୀନତା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏବଂ କାର୍ଯ୍ୟ ବିଳମ୍ବ ପାଇଁ ଠିକାଦାରଙ୍କ ଉପରେ ଆର୍ଥିକ ଜୋରିମାନା ଆଦାୟ କରିବା ଆବଶ୍ୟକ । କାର୍ଯ୍ୟର ଅନିୟମିତତାର ତଦନ୍ତ କରାଯାଉ ବୋଲି ସାଧାରଣରେ ଦାବି ହେଉଛି।

Comments (0)
Add Comment