ପାତାଳୀ ଶ୍ରୀକ୍ଷେତ୍ର ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ।

ସୁବର୍ଣ୍ଣପୁର ,୧୮/୦୬(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ପ୍ରସିଦ୍ଧ ରଥଯାତ୍ରାକୁ ସରସ, ସୁନ୍ଦର, ଶୃଙ୍ଖଳିତ କରିବା ପାଇଁ ଆଜି ମ୍ୟାନେଜିଂ ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ବୀରମହାରାଜପୁର ସୁରେନ୍ଦ୍ର କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ଟ୍ରଷ୍ଟ ସମ୍ପାଦକ ଉତ୍ତର କୁମାର ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ।ଆସନ୍ତା ଜୁନ୍ ୨୯ରେ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ, ଜୁଲାଇ ୧୪ରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ଜୁଲାଇ ୧୬ରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା, ଜୁଲାଇ ୧୭ରେ ଆଡପ ପହଣ୍ଡି, ଜୁଲାଇ ୨୦ରେ ହେରାପଞ୍ଚମୀ, ଜୁଲାଇ ୨୪ରେ ବାହୁଡା ଯାତ୍ରା,ଜୁଲାଇ ୨୫ରେ ରାଜରାଜେଶ୍ଵର (ସୁନା) ବେଶ,ଜୁଲାଇ ୨୬ରେ ଅଧର ପଣା ଏବଂ ଜୁଲାଇ ୨୭ରେ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ହେବ ବୋଲି ଟ୍ରଷ୍ଟ ସଦସ୍ୟ ତଥା କାର୍ଯ୍ୟକ୍ରମ ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ପାଢୀ ସୂଚନା ଦେଇଥିଲେ।ଯାତ୍ରା ସମୟରେ ଟ୍ରାଫିକ ସମସ୍ଯା,ଶୃଙ୍ଖଳା ଓ ସୁରକ୍ଷା କୁ ବିଶେଷ ଗୁରୁତ୍ଵ ଦେବା ପାଇଁ ଉପଖଣ୍ଡ ପୋଲିସ୍ ଅଧିକାରୀ ଶ୍ରୀ ହେମନ୍ତ କୁମାର ରାଓ ନିଜର ମତ ରଖିଥିଲେ। ଟ୍ରଷ୍ଟ ତରଫରୁ ଅତିକମରେ ଦୁଇ ପ୍ଲାଟୁନ୍ ପୋଲିସ ଦେବା ପାଇଁ ଦାବୀ କରାଯାଇଛି। ଯାତ୍ରା ସମୟରେ ସ୍ଵଚ୍ଛତା, ପାନୀୟ ଜଳ,ବିଦ୍ୟୁତ୍ ,ସ୍ୱାସ୍ଥ୍ୟ ସେବା, ଅଗ୍ନି ସମ ସେବା ,ପ୍ରଚାର ପ୍ରସାର, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ହୋଇଥିଲା।ପ୍ରତ୍ୟେକ ବିଭାଗରେ ନିଜ ନିଜ ଶ୍ରେଷ୍ଠ ସେବା ପ୍ରଦାନ କରିବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ବିଡିଓ ଉଲୁଣ୍ଡା ଦିଲ୍ଲୀପ କୁମାର ବାରା, ତହସିଲଦାର ଉଲୁଣ୍ଡା ମମତା ମେହେର, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ,ଆସିଷ୍ଟାଣ୍ଟ କଲେକ୍ଟର ଅଜିତ କୁମାର ମିର୍ଦ୍ଧା , ଡେପୁଟି କଲେକ୍ଟର ଶୁଭମ୍ ଶତପଥୀ, ସେବାୟତ ସଂଘ ସଭାପତି ଗୋପାଳ ପଣ୍ଡା ଙ୍କ ସମେତ ପୋଲିସ, ସ୍ୱାସ୍ଥ୍ୟ, ଜଳ ଓ ପରିମଳ, ବିଦ୍ୟୁତ୍ , ଅଗ୍ନିଶମ ,ସୂଚନା ଓ ଲୋକସମ୍ପର୍କ ଆଦି ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment