ପାଣ୍ଡିରିପଡା ସ୍ଵାସ୍ଥ୍ୟ କେନ୍ଦ୍ରକୁ ଏନ.କିୟୁ.ଏ.ଏସ. ପୁରସ୍କାର।

ପୋଲସରା ,୦୨/୧୧(ପିପିଟି) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ଦ୍ୱାରା ପରିଚାଳିତ ପାଣ୍ଡିରିପଡା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର( ପୂର୍ବତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର)କୁ ସମ୍ମାନଜନକ ଏନ.କିୟୁ.ଏ.ଏସ. ସାର୍ଟିଫିକେଟ ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ଭାସନ ଭି ପ୍ରଦାନ କରିଛନ୍ତି। ଏନ.କିୟୁ.ଏ.ଏସ. ହେଉଛି ଜାତୀୟ ଗୁଣବତ୍ତା ନିଶ୍ଚିତତା ମାନକ ଏକ ଚିକିତ୍ସା ପ୍ରସଙ୍ଗ। ଏହା ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ସାର୍ବଜନୀନ ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକରେ ପ୍ରଦାନ କରାଯାଉଥିବା ସେବାର ଗୁଣବତ୍ତା ସୁନିଶ୍ଚିତ କରିବା ଏବଂ ଉନ୍ନତ କରିବା ପାଇଁ ବିକଶିତ ଏକ ବ୍ୟାପକ ଢାଞ୍ଚା। ଅକ୍ଟୋବର ୩୧ ତାରିଖ ଦିନ ଛତ୍ରପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର କାର୍ଯ୍ୟକାରୀ କମିଟି ସଦସ୍ୟଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଗଞ୍ଜାମ ଜିଲ୍ଲା ସିଡିଏମଓ ଡାକ୍ତର ସୁଶାନ୍ତ କୁମାର ନାୟକ ଓ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଯୋଗଦେଇଥିବା ବେଳେ ଜିଲ୍ଲାପାଳ କୀର୍ତ୍ତି ଭାସନ ଭି ମହୋଦୟ ପାଣ୍ଡିରିପଡା ଏଏଏମ ର ମେଡ଼ିକାଲ ଅଫିସର ଡାକ୍ତର ବିଜୟ କୁମାର ଭୂୟାଁଙ୍କୁ ସମ୍ମାନଜନକ ଏନକିୟୁଏଏସ ସାର୍ଟିଫିକେଟ ପ୍ରଦାନ କରିଥିଲେ। ଏହି ସମ୍ମାନଜନକ ପୁରସ୍କାର ପାଇଁ ମେଡ଼ିକାଲ ଅଫିସର ଡାକ୍ତର ବିଜୟ କୁମାର ଭୂୟାଁ, ଆୟୁଷ ଡାକ୍ତର ସୁନୀଲ କୁମାର ଦଳାଇ ଏବଂ ଅନ୍ୟାନ୍ୟ କର୍ମଚାରୀ ଗଣେଶ ଚନ୍ଦ୍ର ନାୟକ, କୈଳାଶ ଚନ୍ଦ୍ର ପାତ୍ର, କୃଷ୍ଣ ଚନ୍ଦ୍ର ପୋଲାଇ, ରମା ମତି ଜୟସିଂ ଓ ସ୍ୱୟଂ ପ୍ରଧାନଙ୍କ ଆନ୍ତରିକ ସେବା ପ୍ରଦାନ ପାଇଁ ପାଣ୍ଡିରିପଡା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ଏହି ଗୌରବମୟ ସାର୍ଟିଫିକେଟ ପାଇବା ପାଇଁ ଯୋଗ୍ୟ ହୋଇପାରିଛି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment