ପାଣି ପଞ୍ଚାୟତ ନାଁକୁ ମାତ୍ର, କାମ ବେଳେ ଗାଏବ, ନିଲାମ ବେଳେ ହାଜର।

ବୋଲଗଡ଼,୧୧/୦୮(ପିପିଟି):ଚାଷୀଙ୍କ ସୁବିଧା ପାଇଁ ଗଠିତ ହୋଇଥିବା ପାଣି ପଞ୍ଚାୟତ ଏବେ କେବଳ କାଗଜ କଲମରେ ସୀମିତ ରହିଛି। କେନାଲ ସଫା ଓ ପାଣି ବଣ୍ଟନ ଭଳି ଗୁରୁତ୍ୱପୂର୍ଣ୍ଣ କାମ ବେଳେ ପଦାଧିକାରୀଙ୍କୁ ଖୋଜି ପାଇବା ମୁସ୍କିଲ୍ ହେଉଥିବା ବେଳେ ଡ୍ୟାମ୍ ରେ ମାଛ ନିଲାମ ସମୟରେ ସେମାନେ ଠିକ୍ ସମୟରେ ହାଜର ହୋଇଯାଉଛନ୍ତି। ଏନେଇ ଅଞ୍ଚଳର ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପାଟବନ୍ଧ ମୌଜାର କାଳିଆଁସୁକୁ ଆସିଥିବା ମୁଖ୍ୟ କେନାଲ ବର୍ତ୍ତମାନ ଲତା ଓ କଣ୍ଟା ଗୁଳ୍ମରେ ସମ୍ପୂର୍ଣ୍ଣ ବୁଜି ହୋଇଯାଇଛି। ଫଳରେ ଖରିଫ ଋତୁରେ ଚାଷୀମାନେ ପାଣି ଅଭାବରୁ ଅଡୁଆରେ ପଡିଛନ୍ତି। ବାରମ୍ବାର ମୌଖିକ ଓ ଲିଖିତ ଅଭିଯୋଗ ସତ୍ତ୍ୱେ ପାଣି ପଞ୍ଚାୟତ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ସ୍ଥାନୀୟ ଚାଷୀ କୁହିବା ଅନୁଯାୟୀ ପାଣି ପଞ୍ଚାୟତ ଅଛି ବୋଲି ଆମେ ଜାଣୁ। କିନ୍ତୁ ସେମାନେ କ’ଣ କରନ୍ତି ଆମେ ଦେଖୁନାହୁଁ। କେନାଲ ସଫା କରିବା କଥା କହିଲେ କୁହନ୍ତି ଟଙ୍କା ନାହିଁ। ଆଉ କେତେବେଳେ କୁହନ୍ତି ଟଙ୍କା ଆସିଛି, ଖରାଟିଆରେ କାମ ହେବ। ଏପରି କହି ବର୍ଷ ପରେ ବର୍ଷ ଗଡ଼ାଇ ଦେଉଛନ୍ତି। କେନାଲ ମରାମତି କାମର ନା ଗନ୍ଧ ନାହିଁ। କିନ୍ତୁ ମାଛ ନିଲାମ ହେଲେ ସେମାନେ ସବୁଠୁ ଆଗରେ ଥାଆନ୍ତି। ବିଶେଷ ସୂତ୍ରୁ ଜଣାପଡିଛି ଗତ ବର୍ଷ ପାଟବନ୍ଧ ଡ୍ୟାମ୍ ର ମାଛ ନିଲାମ ସମୟରେ ପାଣି ପଞ୍ଚାୟତର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ହିସାବ ଓ ଟଙ୍କା ସଂଗ୍ରହରେ ସେମାନେ ବ୍ୟସ୍ତ ଥିଲେ।
ଚାଷୀମାନେ ଅଭିଯୋଗ କରିଛନ୍ତି ଯେ ପାଣି ପଞ୍ଚାୟତ କେବଳ ଆୟର ଉତ୍ସ ଭାବେ କାମ କରୁଛି, ଚାଷୀଙ୍କ ସେବା ପାଇଁ ନୁହେଁ। ତୁରନ୍ତ ଉଚ୍ଚ ଅଧିକାରୀ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment