ପାଠ ପଢା ବଦଳରେ ରୋଷେଇ କରୁଛନ୍ତି ଛାତ୍ର,ସେରପଲ୍ଲୀ ହଷ୍ଟେଲରେ ଅବ୍ଯବସ୍ଥା ।

ମାଲକାନଗିରି,୨୦/୦୪(ପିପିଟି): ସରକାରୀ ସହାୟତାରେ ପାଠ ପଢ଼ିବା ପାଇଁ ଅଭିଭାବକ ପିଲାଙ୍କୁ ହଷ୍ଟେଲ ଛାଡ଼ିଥାନ୍ତି। ହେଲେ ହଷ୍ଟେଲରେ ରହି ପିଲାମାନଙ୍କୁ ପାଠ ପଢ଼ା ବଦଳରେ ରୋଷେଇ କାର୍ଯ୍ଯରେ ନିୟୋଜିତ କରାଯାଉଥିବା ଅଭିଯୋଗ ହୋଇଛି। ବିଦ୍ଯାଳୟର ପ୍ରଧାନଶିକ୍ଷକ ଛାତ୍ରମାନଙ୍କୁ ରୋଷେଇ କାର୍ଯ୍ୟରେ ନିୟୋଜିତ କରିଛନ୍ତି । ଏଭଳି ଏକ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ସେରପାଲି ସହିଦ ଲକ୍ଷ୍ମଣ ନାୟକ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ। କୋଭିଡ କଟକଣା ହ୍ରାସ ପରେ ଏପ୍ରିଲ ୮ ତାରିଖରୁ ମାଲକାନଗିରି ଜିଲ୍ଲାରେ ସମସ୍ତ ବିଦ୍ୟାଳୟ ଖୋଲିଛି । ଏଥିସହ ସ୍କୁଲର ସମସ୍ତ ଛାତ୍ରାବାସଗୁଡିକରେ
ଛାତ୍ରଛାତ୍ରୀମାନେ ରହୁଛନ୍ତି। ବର୍ତ୍ତମାନ ସ୍କୁଲଗୁଡିକରେ ବାର୍ଷିକ ପରୀକ୍ଷା ଚାଲୁଥିବା ବେଳେ ସେରପାଲ୍ଲୀ ଉଚ୍ଚ ବିଦ୍ଯାଳୟରେ ଛାତ୍ରମାନେ ପାଠ ପଢ଼ିବା ପରିବର୍ତ୍ତେ ହଷ୍ଟେଲରେ ଦୁଇ ବେଳା ରୋଷେଇ କରୁଛନ୍ତି। ଉକ୍ତ ହଷ୍ଟେଲରେ ୩୫ ଜଣ ଛାତ୍ର ରହୁଥିବା ବେଳେ ମେନୁ ଅନୁସାରେ ମଧ୍ଯ ଛାତ୍ରମାନଙ୍କୁ ଖାଦ୍ଯ ପ୍ରଦାନ କରା ଯାଉନଥିବା ଅଭିଯୋଗ ହୋଇଛି I ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ସେରପାଲି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ସମୟରେ ଏହି ଦୃଶ୍ୟ ତାଙ୍କ ନଜରକୁ ଆସିଥିଲା। ଏହା ପରେ ସେ ସ୍କୁଲ ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏହି ଅଭିଯୋଗ ନେଇ ସଂପର୍କରେ ପ୍ରଧାନଶିକ୍ଷକ ଭଗବାନ ମଲ୍ଲିକଙ୍କୁ ପଚାରିବା ପରେ ସେ କହିଥିଲେ, ଯେ ରୋଷେୟା ମଦ୍ୟପ ହୋଇଥିବାରୁ ସେ କିଛି ଦିନ ହେବ ହଷ୍ଟେଲ ଆସୁନାହିଁ। ତେଣୁ ଛାତ୍ରମାନଙ୍କୁ ଏହି କାମରେ ନିୟୋଜିତ କରାଯାଇଛି। ଜିଲ୍ଲା ମଙ୍ଗଳ ଅଧିକାରୀ ଉକ୍ତ ଘଟଣାର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଆଇଟିଡିଏ ଭାରପ୍ରାପ୍ତ ପ୍ରକଳ୍ପ ପ୍ରଶାସକ ତଥା ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଅଭିଯୋଗର ସତ୍ୟତା ଥିଲେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment