ପାଟବନ୍ଧରେ ଅଛି ଜଳ, ଜମି, ଜଙ୍ଗଲ,ହେଲେ ଅନିଚ୍ଛାରେ ଅଟକିଛି ବିକାଶ।

ବୋଲଗଡ଼,୦୨/୧୦(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତର ପାଟବନ୍ଧ। ନାଁ ଶୁଣିଲେ ଛୋଟ ଗାଁ ମନେହୁଏ, ହେଲେ ପ୍ରକୃତି ଏ ଗାଁକୁ ଦୁଇ ହାତରେ ଭରି ଦେଇଛି। ଗାଁ ମୁଣ୍ଡରେ କୁଳୁକୁଳୁ ନାଦରେ ବହି ଯାଉଛି ନଈ, ପାଖରେ ସବୁଜ ଘଞ୍ଚ ବନାନୀ, ତଳେ ବିସ୍ତୀର୍ଣ୍ଣ ଉର୍ବର ଭୂମି। ବିକାଶର ତିନି ମୂଳଧନ ଜଳ, ଜମି, ଜଙ୍ଗଲ ଏଠାରେ ପରିପୂର୍ଣ୍ଣ ଅଛି। ହେଲେ ଏତେ ସମ୍ପଦ ଥାଇ ବି ପାଟବନ୍ଧ ବର୍ଷ ବର୍ଷ ଧରି ଅଭାବ ଭିତରେ ରହିଛି। ବର୍ଷା ଦିନେ ନଈରେ ପ୍ରଚୁର ଜଳ। ମା’ ବୁଢୀଦେଇ ଜଳ ପ୍ରକଳ୍ପ ଏବଂ କେନାଲ ମଧ୍ୟ ଅଛି। ହେଲେ ଦୁଃଖର ବିଷୟ ହେଲା, କେନାଲଟି ଖାଲ ଜାଗାରେ ନିର୍ମାଣ ହୋଇଥିବାରୁ ପାଣି ଖାଲ ଦେଇ ବହି ଯାଉଛି। ଗାଁର ଅଧିକାଂଶ ଚାଷ ଜମି ଢିପ ଅଞ୍ଚଳରେ ଥିବାରୁ ନଈ ପାଣି ଓ କେନାଲ ପାଣି ଗ୍ରାଭିଟିରେ ଢିପ ଜମିକୁ ମାଡି ପାରୁନାହିଁ। ଫଳରେ ଚାଷୀ କେବଳ ନିରୀହ ଆଖିରେ ଚାହିଁ ରହୁଛି। ଯଦି ନଈର ଉପଯୁକ୍ତ ସ୍ଥାନରେ ୨ରୁ ୩ଟି ଛୋଟ ଚେକ୍ ଡ୍ୟାମ୍ ନିର୍ମାଣ କରାଯାଏ, ତେବେ ବର୍ଷା ଜଳ ଅଟକି ରହିବ। ସେହି ଜଳକୁ ଲିଫ୍ଟ ଇରିଗେସନ ବା ସୌର ପମ୍ପ ମାଧ୍ୟମରେ ସହଜରେ ଢିପ ଜମିକୁ ନିଆଯାଇ ପାରିବ। ଏହାସହ ଜଳ ପ୍ରକଳ୍ପ ଓ କେନାଲର ପୁନରୁଦ୍ଧାର କରାଗଲେ ଦୁଇ ଫସଲ ସହ ଅର୍ଥକାରୀ ଫସଲ ବି ସମ୍ଭବ ହେବ। ବର୍ତ୍ତମାନ ଅଧିକାଂଶ ଚାଷୀ କେବଳ ଧାନ ଉପରେ ନିର୍ଭରଶୀଳ। ଢିପ ଜମି ହେତୁ ବର୍ଷା ଜଳ ସହ ମାଟି ଧୋଇ ହୋଇଯାଉଛି ଓ ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଫଳରେ ଉର୍ବରତା କମୁଛି। ଏହାର ସ୍ଥାୟୀ ସମାଧାନ ହେଉଛି ଜଳ ବିଭାଜିକା ପ୍ରକଳ୍ପ (Watershed)। ଜମି ଚାରିପଟେ ମେଢ଼ ବନ୍ଧ, କମ୍ପୋଷ୍ଟ ଗାତ, ମିଶ୍ରିତ ଚାଷ ତଥା ମାଣ୍ଡିଆ, କୁଳଥ, ବିରି, ବାଦାମ ଭଳି କମ୍ ପାଣିର ଫସଲକୁ ପ୍ରୋତ୍ସାହନ ଦେଲେ ଢିପ ଜମି ବି ସୁନା ଫଳାଇବ। ସହିପରି ପାଟବନ୍ଧ ଜଙ୍ଗଲରେ ଶାଳ, ମହୁଲ, ଚାର, କେନ୍ଦୁ ଓ ମୂଲ୍ୟବାନ ଔଷଧୀୟ ବୃକ୍ଷ ଭରି ରହିଛି। ସଂରକ୍ଷଣ ଅଛି, ମାତ୍ର ସଦୁପଯୋଗ ନାହିଁ। ଗ୍ରାମ ଜଙ୍ଗଲ ପରିଚାଳନା ସମିତି (VSS) ସକ୍ରିୟ ହୋଇ ମହୁଲ ଫୁଲ, କେନ୍ଦୁ ପତ୍ର, ମହୁ ସଂଗ୍ରହକୁ ସଂଘ ମାଧ୍ୟମରେ ବିକ୍ରି କଲେ ପ୍ରତି ପରିବାର ବର୍ଷକୁ ୨୦ରୁ ୩୦ ହଜାର ଟଙ୍କା ଅତିରିକ୍ତ ରୋଜଗାର କରିପାରିବ। ଏଥିପାଇଁ ସରପଞ୍ଚ, ଫରେଷ୍ଟର, କୃଷି ଅଧିକାରୀଙ୍କୁ ନେଇ ଏକ ଯୌଥ ବୈଠକ ଆବଶ୍ୟକ। MGNREGA ରେ ଚେକ୍ ଡ୍ୟାମ୍, ଜଙ୍ଗଲ ଯୋଜନା ଓ ଜଳ ବିଭାଜିକା ଯୋଜନାକୁ ମିଶାଇ କାମ କରିବା ସମ୍ଭବ। ଗାଁର ୧୦ ଜଣ ଯୁବକଙ୍କୁ ନେଇ ‘ଜଳ-ଜଙ୍ଗଲ-ଜମି ବିକାଶ ବାହିନୀ’ ଗଠନ କରି ପ୍ରଥମେ ୫ ଏକରରେ ପରୀକ୍ଷାମୂଳକ ଦୁଇ ଫସଲ କରି ଦେଖାଇଲେ ଅନ୍ୟମାନେ ନିଶ୍ଚୟ ଅନୁସରଣ କରିବେ। ପ୍ରକୃତି ସବୁ ଦେଇଛି, ଏବେ ଦରକାର କେବଳ ମିଳିମିଶି କରିବାର ଇଚ୍ଛା।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment