ବ୍ରହ୍ମପୁର,୦୩/୦୩(ପିପିଟି): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ଆଜି ଥାନା ପରିସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଆମ ପୋଲିସ ସମିତି ଏବଂ ଅଞ୍ଚଳ ଜନପ୍ରତିନିଧି ତଥା ବୁଦ୍ଧିଜୀବୀଙ୍କ ସହଯୋଗରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ରେକର୍ଡ ସଂଖ୍ୟକ ୪୦୧ ୟୁନିଟ ରକ୍ତ ସଂଗୃହୀତ ହୋଇଅଛି । ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଏବଂ ଥାନା କର୍ମଚାରୀଙ୍କ ପରିଚାଳନାରେ ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥିଭାବେ ଛାତ୍ରପୁର ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା ଏବଂ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମାକାନ୍ତ ସିଂଙ୍କ ସହ ଆସିକା ସାଂସଦ ପ୍ରମିଳା ବିଷୋୟୀ, ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ,ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ,ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ପ୍ରମୁଖଙ୍କ ସହ ବହୁ ପଞ୍ଚାୟତ ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ଉପସ୍ଥିତ ସ୍ବେଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ରକ୍ତ ଭଣ୍ଡାରକୁ ନିର୍ଭର କରୁଥିବା ପୀଡ଼ିତଙ୍କ ସେବାରେ ରକ୍ତଦାନର ମହତ୍ତ୍ଵ ଏବଂ ଉପାଦେୟତା ନେଇ ରକ୍ତଦାତାଙ୍କୁ ଅନୁପ୍ରାଣିତ କରିଥିଲେ । ଏହା ସହିତ ରକ୍ତଦାନ କରିଥିବା ଆଜିର କିଛି ପ୍ରମୁଖ ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ସାନଖେମୁଣ୍ଡି ତହସିଲଦାର ଡଃ ଶ୍ରୀନିବାସ ବେହେରାଙ୍କ ସହ ବହୁ ରାଜସ୍ୱ କର୍ମଚାରୀ , ପଞ୍ଚାୟତ ସ୍ତରୀୟ ଯୁବ ସଂଗଠକ ଏବଂ ଜନପ୍ରତିନିଧି ଆଜିର ଏହି ଶିବିରରେ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମକୁ ଆମ ପୋଲିସ ସମିତିର ସଦସ୍ୟ ଅଧ୍ୟାପକ ଡଃ କୈଳାଶ ଚନ୍ଦ୍ର ସ୍ୱାଇଁଙ୍କ ସହ ସମିତି କାର୍ଯ୍ୟକର୍ତ୍ତା ପରିଚାଳନାଗତ ସହାୟତା କରିଥିଲେ । ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ , ବଡଗଡ ଥାନା ଅଧିକାରୀ ସୁରଜ ଝାଙ୍କର,ଧରାକୋଟ ଥାନା ଅଧିକାରୀ ମମତା ସାମନ୍ତରାୟ, ଶେରଗଡ଼ ଥାନା ଅଧିକାରୀ ମନୋଜ ପ୍ରଧାନ, ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଏବଂ କୋଟିନଡା ଥାନା ଅଧିକାରୀ କୃଷ୍ଣ ସାହା ପ୍ରମୁଖ ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ବ୍ରହ୍ମପୁର ରେଡକ୍ରସ ରକ୍ତ ଭଣ୍ଡାର ପକ୍ଷରୁ ପ୍ରଦୀପ କୁମାର ସୁବୁଦ୍ଧି, ଚିନ୍ମୟ ବେହେରା,ଅଶ୍ଵିନୀ ନାୟକ, ସୁକାନ୍ତ ପ୍ରଧାନ, ଦେବରାଜ ପଣ୍ଡା ପ୍ରମୁଖ କର୍ମଚାରୀ ରକ୍ତଦାତଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )