ପାଟପୁର ଗାଁରେ ଜଳ ସଙ୍କଟ:ରାସ୍ତା ଅବରୋଧ କରିବା ସହ ପ୍ରତିବାଦ; ଅଟକିଲା ଶହ ଶହ ଗାଡି ମଟର ।

ବାରଙ୍ଗ,୨୩/୦୩: ବାରଙ୍ଗ ବ୍ଲକର ପାଟପୁର ଗାଁ ଏବଂ ଏହାର ଆଖପାଖ ଅଞ୍ଚଳରେ ପିଇବା ପାଣିର ସମସ୍ୟା ଗୁରୁତର ରୂପ ଧାରଣ କରିଛି। ମାର୍ଚ୍ଚ ୨୦୨୬ର ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏହି ଅଞ୍ଚଳରେ ଜଳକଷ୍ଟ ବଢ଼ିବାରେ ଲାଗିଛି। ଗାଁରେ ପାଇପ୍ ଜଳ ଯୋଗାଣ ବ୍ୟାହତ ହେବା ଯୋଗୁଁ ରାସ୍ତା ଅବରୋଧ କରିବା ସହ ପ୍ରତିବାଦ କରିଛନ୍ତି । ପାଟପୁର ଗାଁ ପରି ନଦୀକୂଳିଆ ଅଞ୍ଚଳରେ ମଧ୍ୟ ଭୂତଳ ଜଳସ୍ତର କମିବା ଏବଂ ମେଘା ପାନୀୟ ଜଳ ପ୍ରକଳ୍ପ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ନହେବା ଏହାର ମୂଖ୍ୟ କାରଣ।ଲୋକଙ୍କ ଅଭିଯୋଗ ଅନୁଯାୟୀ, ମେଘା ପାନୀୟ ଜଳ ପ୍ରକଳ୍ପ ଯୋଜନାରେ ଅନେକ ସ୍ଥାନରେ ପାଇପ୍ ଲାଇନ ବିଛାଯାଇଥିଲେ ମଧ୍ୟ ପାଣି ଆସୁନାହିଁ। ଫଳରେ ଗ୍ରାମବାସୀମାନେ ନଦୀର ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ସ୍ଥାନୀୟ ପ୍ରଶାସନିକ ଅବହେଳା ପାଇଁ ଏଭଳି ସମସ୍ୟା ଦେଖା ଦେଇଛି ବୋଲି ଲୋକେ କହିଛନ୍ତି। ବାରଙ୍ଗର ଅଧିକାଂଶ ଗାଁ ମାନଙ୍କରେ ନଳକୂପ ଅଚଳ ହୋଇ ପଡ଼ିଥିବାରୁ ଲୋକେ ଦୂରକୁ ଯାଇ ପାଣି ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି। ପିଇବା ପାଣିର ଘୋର ସଂକଟ ଯୋଗୁଁ ଲୋକେ ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ । ଶତାଧିକ ଗାଁ ଲୋକେ ବାଙ୍କୀ ମୁଖ୍ୟ ରାସ୍ତା ଅବରୋଧ କରିବା ଦ୍ୱାରା ଦୁଇ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।ଫଳରେ ଖବର ପାଇ ବ୍ଲକ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ଟ୍ୟାଙ୍କର ଯୋଗେ ପାନୀୟ ଜଳ ଆବଶ୍ୟକ ମୁତାବକ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେବା ପରେ ରାସ୍ତାରୁ ହଟିଥିଲେ। ଫଳରେ ଯାନବାହାନ ଚଳାଚଳରେ ସ୍ୱାଭାବିକ ହୋଇଥିଲା। ପାଣିରେ ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଲୋକେପ୍ରଶାସନକୁ ଅନୁରୋଧ କରିଛନ୍ତି। ଅନ୍ୟ ପକ୍ଷରେ ଲୋକଙ୍କ ଅଭିଯୋଗ ଯେ, ଦୀର୍ଘ ଦିନ ଧରି ପାଇପ୍ ଯୋଗେ ପାଣି ଯୋଗାଣ ଅନିୟମିତ ରହିଛି। ପାଣି ପାଉନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।ପୂର୍ବରୁ ସ୍ୱଜଳ ଧାରା ଯୋଜନାର ଟାଙ୍କି ନିର୍ମାଣ କରାଯାଇ ପାଇପ ଯୋଗେ ଘରକୁ ଘର ନଳ ଯୋଗେ ପାଣିର ସୁବିଧା ମିଳିଥିବା ବେଳେ ଉକ୍ତ ପାଇପରେ କିଛି ଲୋକେ ମଟର ଲଗାଇ ପାଣି ବୋହି ନେଉଛନ୍ତି।ନିରୀହ ବା ଗରିବ ଲୋକ ପାଖରେ ପାଣି ପହଞ୍ଚି ପାରୁ ନାହିଁ।ଗରିବ ଶ୍ରେଣୀର ଲୋକେ ଜଳକଷ୍ଟ ଭୋଗୁଛନ୍ତି। ପ୍ରତି ଘରେ ସୁଦ୍ଧ ପାନୀୟ ଜଳ ନପାଇବା ଏହାର ମୁଖ୍ୟ କାରଣ।ଏନେଇ ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ସହକାରୀ ଯନ୍ତ୍ରୀ ସଂଜ୍ଞା ସାଗରୀକାଙ୍କୁ ପଚାରିବାରୁ, ସେ କହିଲେକି, ଆଗରୁ ଏ ସମସ୍ୟା ନେଇ ଆମ ପାଖରେ କୌଣସି ଅଭିଯୋଗ ହୋଇନାହିଁ । ସେଠାରେ ଯେତେ ନଳକୂପ ବସାଇବା ଦ୍ୱାରା ପାଣିରେ ଆଇରନ ପଡୁଛି। ସେଥି ପାଇଁ ଆମେ ଜିପିଡିପି ବା ଗ୍ରାମାଞ୍ଚଳର ବିକାଶ ସାମୁହିକ ଯୋଜନାରେ ସେଠାରେ ୪ଟି କୂଅ ଖୋଳା ଯିବାର ବ୍ୟବସ୍ଥା କରାଯାଇଛି। ତାହା ସହିତ ମେଘା ପାନୀୟ ଜଳ ପ୍ରକଳ୍ପକୁ ଆମେ ଦୁଇ ମାସ ମଧ୍ୟରେ କାର୍ଯ୍ୟକାରି କରି ସେଠାରେ ସୁଦ୍ଧ ପାନୀୟ ଜଳ ପହଞ୍ଚାଇବୁ । ଅନ୍ୟ ପକ୍ଷେ ସ୍ୱଜଳ ଧାରା ଯୋଜନାରେ ଲୋକଙ୍କୁ ଘରକୁ ଘର ପାଇପ ଯୋଗେ ଯେଉଁ ପାଣି ଦିଆଯାଉଛି। କିଛି ଲୋକେ ମଟର ଲଗାଇ ପାଣି ବୋହି ନେବା ଘଟଣା ପଚାରିବାରୁ ସେ କହିଲେ କି ବହୁବାର ଆମେ ଏହାକୁ ବିରୋଧ କରିଛୁ। ହେଲେ ସେମାନେ ଏହାକୁ ବେଖାତିର କରୁଛନ୍ତି। ତେଣୁ ଆଗକୁ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କହିଛନ୍ତି।

Comments (0)
Add Comment