ପାଚେରୀକୁ ଧକ୍କା ଦେଇ କାର ଭାଙ୍ଗି ଚୁରମାର ।

ଭଞ୍ଜନଗର, ୦୪/୧୨(ପିପିଟି):ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାରେ ବୁଧବାର ରାତିରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦ୍ରୁତଗତି କିମ୍ବା ଅନ୍ୟ କୌଣସି କାରଣରୁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ସେନେଇ କୌଣସି ସଠିକ୍ ତଥ୍ୟ ମିଳିପାରି ନାହିଁ। ପୋଲିସ ରାତିରେ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।ହେଲେ ଗାଡିରେ କେତେଜଣ ଥିଲେ, ସେମାନେ ଆହତ ହୋଇଛନ୍ତି କି ନାହିଁ , କେଉଁଭଳି ପରିସ୍ଥିତିରେ ଗାଡ଼ିଟି ଦୁର୍ଘଟଣା ଗ୍ରସ୍ତ ହୋଇଛି ସେନେଇ କିଛି ସଠିକ୍ ତଥ୍ୟ ଜଣାପଡ଼ିନାହିଁ। ପୋଲିସ ଗାଡ଼ିର ମାଲିକଙ୍କୁ ଠାବ କରିବା ପରେ ଦୁର୍ଘଟଣା ସମ୍ପର୍କରେ ଅଧିକ ସୂଚନା ମିଳିବ। ଦ୍ରୁତଗତିରେ ଗାଡି ଚାଳନା ଏବଂ ମଦ୍ୟପ ଗାଡି ଚାଳକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଭଞ୍ଜନଗର ଅଞ୍ଚଳରେ ଦିନକୁ ଦିନ ଦୁର୍ଘଟଣା ମଧ୍ଯ ସେହି ଅନୁପାତରେ ବଢୁଛି। ଯାହାକି ବର୍ତ୍ତମାନ ସମୟରେ ଏକ ଚିନ୍ତାଜନକ ବିଷୟ ପାଲଟିଛି। ଗତ ସପ୍ତାହରେ ରେଡକ୍ରସ ରୋଡରେ ଦ୍ରୁତ ଗତିରେ ଜଣେ ବାଇକ୍ ଚାଳକ ଆସି ଜଣେ ବ୍ୟବସାୟୀଙ୍କୁ ଧକ୍କା ଦେଇଥିଲେ। ଏଥିରେ ବ୍ୟବସାୟୀ ଜଣକ ଆହତ ହୋଇଥିଲେ। ଯାହାକୁ ନେଇ ଲୋକେ ରାସ୍ତାରୋକ କରିଥିଲା।ପୋଲିସ ପାଇଁ ଦ୍ରୁତ ଗତିରେ ଗାଡି ଚଳାଉଥିବା ବ୍ୟକ୍ତି ଏବଂ ମଦୁଆ ଗାଡି ଚାଳକଙ୍କ ଉପରେ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି। ଗତକାଲି ରାତିରେ ଏକ କାର କୁଲାଡରୁ ଭଞ୍ଜନଗର ଅଭିମୁଖେ କୌଣସି କାମରେ ଆସୁଥିଲା। ଏହି ସମୟରେ ଭଞ୍ଜନଗର ଗୋପାଳ ସମାଜ ଘର ସମ୍ମୁଖରେ କାର ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ତେଣୁ ଘଟଣା ସମ୍ପର୍କରେ ଅଧିକ ସୂଚନା ମିଳିପାରି ନାହିଁ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment