ପଶ୍ଚିମବଙ୍ଗରେ ହିଂସାକୁ ଦୃଢ଼ ପ୍ରତିବାଦ, ରାଷ୍ଟ୍ରପତି ଶାସନ ଦାବୀ ।

ଟିଟିଲାଗଡ଼,୨୧/୦୪(ପିପିଟି): ଦେଶର ସଂସଦ ଦ୍ୱାରା ପାରିତ ୱାକଫ ବିଲକୁ ଆଳ କରି ପଶ୍ଚିମବଙ୍ଗରେ ହିନ୍ଦୁଙ୍କ ଉପରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପକ୍ଷରୁ ଅତ୍ୟାଚାର,ହିଂସା, ହତ୍ୟା ପୋଡାଜଳାକୁ ବିଶ୍ୱ ହିନ୍ଦୁ ପରିଷଦ ଟିଟିଲାଗଡ଼ ଜିଲା ଶାଖା କଡା ପ୍ରତିବାଦ କରିଛି । ଏନେଇ ବିଶ୍ୱହିନ୍ଦୁ ପରିଷଦର କର୍ମକର୍ତ୍ତା ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ୱାକଫ ବିଲ ଦେଶର ସାଂସଦରେ ମଞ୍ଜୁର ସହ ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିଛନ୍ତି । ଏହି ଆଇନ ନେଇ ହିନ୍ଦୁ ସମ୍ପ୍ରଦାୟର କୌଣସି ତିଳେ ମାତ୍ର ସମ୍ପୃକ୍ତି ନାହିଁ । ହେଲେ ବର୍ତ୍ତମାନ ହିନ୍ଦୁଙ୍କୁ ହତ୍ୟା କରାଯାଉଛି । ହିନ୍ଦୁ ପରିବାର ପଶ୍ଚିମବଙ୍ଗର ମୁର୍ଶୀବାଦରୁ ପଳାୟନ କରୁଛନ୍ତି । ଏନେଇ ୱାକଫ ଏକ ବାହାନା ମାତ୍ର, ପ୍ରକୃତରେ ମୁର୍ଶୀବାଦକୁ ହିନ୍ଦୁ ମୁକ୍ତ କରିବା ପାଇଁ ଷଡଯନ୍ତ୍ର । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୋଟ ରାଜନୀତି ପାଇଁ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ପ୍ରୋତ୍ସାହନ ଦେଉଛନ୍ତି । ବାଙ୍ଗଲାଦେଶୀ,ରୋହିଗ୍ୟାଁ ପଶ୍ଚିମବଙ୍ଗରେ ସୁରକ୍ଷିତ ଅଛନ୍ତି । ହେଲେ ହିନ୍ଦୁ ପଳାୟନ କରୁଛନ୍ତି । ବର୍ତ୍ତମାନ ପଶ୍ଚିମବଙ୍ଗ ଭଳି ସାମ୍ପ୍ରଦାୟିକ ହିଂସା ଦେଶର ବିଭିନ୍ନ ଅଞ୍ଚଳକୁ ପ୍ରସାରିତ କରିବା ଚକ୍ରାନ୍ତ ଚାଲିଛି । ବାଙ୍ଗଲାଦେଶ ଭଳି ଭାରତରେ ହିନ୍ଦୁଙ୍କ ଅସ୍ତିତ୍ୱ ବିପନ୍ନ ହୋଇଛି । ହିନ୍ଦୁ ପର୍ବପର୍ବାଣି ପାଳନ ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହେବାକୁ ପଡୁଛି । ଏନେଇ ବାହ୍ୟ ଅନୁପ୍ରବେକାରୀଙ୍କୁ ନିଷ୍କାସନ, ତୁରନ୍ତ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ପରିଷଦ ଦାବୀ କରିଛି । ଏହି ମର୍ମରେ ସଂଗଠନ ପକ୍ଷରୁ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହାୟକ ଜିଲ୍ଲାପାଳ ମଙ୍ଗଲ ସିଂଭୋଇଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଛି । ସଂଗଠନର ଟିଟିଲାଗଡ଼ ଜିଲା ସମ୍ପାଦକ ନନ୍ଦ ମହଲାଙ୍କ ନେତୃତ୍ୱରେ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଜିଲା କୋଷାଧ୍ୟକ୍ଷ କୈଲାଶ ସୋନି,ଓଡିଶା ପଶ୍ଚିମ ପ୍ରାନ୍ତ ସଦସ୍ୟ ଆଇନଜୀବୀ କୃଷ୍ଣଚନ୍ଦ୍ର ବାବୁ,ବିଭାଗ ସମ୍ପାଦକ ବଲାଙ୍ଗିର କ୍ଷୀରସିନ୍ଧୁ ସାହୁ,ଓଡିଶା ପଶ୍ଚିମ ପ୍ରାନ୍ତ ଧର୍ମାଚାର୍ଯ୍ୟ ପ୍ରମୁଖ ସୁଦର୍ଶନ ବାବା, ପଶ୍ଚିମ ଓଡିଶା ପ୍ରାନ୍ତ ସଦସ୍ୟ ଗୋପାଲ କୃଷ୍ଣ ସାହୁ,ରାଷ୍ଟ୍ରୀୟ ସେବିକା ସମିତି ସଂଯୋଜିକା ଆଇନଜୀବୀ ସନ୍ଧ୍ୟା ଥାପା,ଚିତ୍ତରଞ୍ଜନ ସାହୁ, ଚିନ୍ତାମଣି ସାହୁ,ମୋହନଲାଲ ଗୁପ୍ତା, କାନ୍ତା ପ୍ରସାଦ ସାହୁ,ଲାଲଦେବ ପ୍ରସାଦ ଗୁପ୍ତା,ହେମନ୍ତ ଆଦଜୁଆଡ଼,ମୋତିରାମ ଆଡ଼ଜୁଆଡ଼,ଶଙ୍କର ସିଂ ପ୍ରମୁଖ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ ।

Comments (0)
Add Comment