ପରଲୋକରେ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ ।

ହିଞ୍ଜିଳିକାଟୁ,ତା-୧୧/୦୭(ପିପିଟି) ;ହିଞ୍ଜିଳିକାଟୁ ଅଞ୍ଚଳରେ ବେଶ ସକ୍ରିୟ ଓ ପରିଚିତ ଥିବା  ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ଶନିବାର  ଅପରାହ୍ନ ସମୟରେ ଭୁବନେଶ୍ୱର କିମ୍ସ ହସ୍ପିଟାଲରେ ଅକାଳ ବିୟୋଗ ଘଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଦୈନିକ ଖବରକାଗଜ ସମାଜର ହିଞ୍ଜିଳି କାଟୁ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ (୪୭) ଗତ ପ୍ରାୟ ୧୫ ଦିନ ଧର ଅସୁସ୍ଥତା ହୋଇ ପଡ଼ିଥିଲେ । ତାଙ୍କ ସ୍ୱାବ ନମୁନାରୁ ସେ ପଜିଟିଭ ଥିବା ଜଣାପଡିଥିଲା। ପ୍ରଥମେ ତାଙ୍କୁ ସ୍ଥାନୀୟ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା ।ପରେ ଶିତଳାପଲ୍ଲୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ନ ହେବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିମ୍ସ ହସ୍ପିଟାଲରେ ଗତ ୭ ଦିନ ଧରି ସେ ଭେଣ୍ଟିଲେଟର ରହି ଚିକିତ୍ସିତ ହେଉଥିଲେ କିନ୍ତୁ ସେଠାରେ ଚିକିତ୍ସା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହୋଇନଥିଲା। ଚିକିତ୍ସିତ ହେଉଥିବା ଅବସ୍ଥାରେ ଶନିବାର ସେଠାରେ ତାଙ୍କ ଅକାଳ ବିୟୋଗ ଘଟିଛି । ତାଙ୍କ ବିୟୋଗ ଖବର ପାଇ ଅଞ୍ଚଳରେ ବେଶ ଆଲୋଡନ ସୃଷ୍ଟି ହୋଇଛି। କରୋନା ମହାମାରୀ ସମୟରେ ଆଗଧାଡ଼ିର ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ବିୟୋଗ ଅଞ୍ଚଳବାସୀଙ୍କ ମନରେ ଗଭୀର ଆଘାତ ଦେଇଛି । ଗତ ଦୀର୍ଘ ବର୍ଷ ଧରି ସେ ସାମ୍ବାଦିକ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ବେଳେ ସ୍ଥାନୀୟ ସହରର ବିଭିନ୍ନ ଅନୁଷ୍ଠାନ ସହ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ।ଜଣେ ସମାଜସେବୀ, ପରୋପକାରୀ, ମିଷ୍ଟଭାଷୀ ଭାବେ ସେ ସମସ୍ତଙ୍କ ପାଇଁ ଅତି ପ୍ରିୟ ଥିଲେ। ନିଜ ସାଙ୍ଗଠନିକ ଦକ୍ଷତା ଯୋଗୁଁ ସେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସହ ଜଡିତ ହୋଇ ଅଞ୍ଚଳର ହିତ ସାଧନ ଦିଗରେ ନିଜକୁ ସଦାସର୍ବଦା ନିୟୋଜିତ କରିଥିଲେ। ତାଙ୍କ ନିଧନ ଖବର ଅଞ୍ଚଳ ପାଇଁ ଏକ ଅପୁରଣୀୟ କ୍ଷତି ଘଟିଲା ବୋଲି ବିଭିନ୍ନ ମହଲରେ ଦୁଃଖ ପ୍ରକାଶ ପାଇଛି। ତାଙ୍କ ଅକାଳ ବିୟୋଗ ପାଇ ଅଞ୍ଚଳ ବାସୀ,ସାମ୍ବାଦିକ, ଶୁଭେଚ୍ଛୁ, ପରିଜନ ଓ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ପ୍ରିୟଜନ ମର୍ମାହତ ହୋଇଛନ୍ତି। ତାଙ୍କ ପରଲୋକ ଗମନ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।ସୂଚନାଯୋଗ୍ୟ ସ୍ବର୍ଗତ ପଟ୍ଟନାୟକ ପ୍ରେସ କ୍ଲବ ସଭାପତି ଭାବେ ପରିଚିତ ଥିଲେ ବୋଲି ତାଙ୍କ ନିକଟତମ ମହଲ ପ୍ରକାଶ କରିଛନ୍ତି।
ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।

Comments (0)
Add Comment