ମାଲକାନଗିରି,୨୫/୦୨(ପିପିଟି): କୋରୁକୁଣ୍ଡା ବ୍ଲକ ଅନ୍ତର୍ଗତ ଚିତାପାରୀ-୧ ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦ ଦ୍ବାରା ନନ୍ଦୀ ପରବ ପାଳିତ ହୋଇ ଯାଇଛି । ଏହି ବାର୍ଷିକ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଅତିରିକ୍ତ ତହସିଲଦାର ଜଗଦୀଶ ଚନ୍ଦ୍ର କାର୍ତ୍ତାମୀ, ମୁଖ୍ଯ ବକ୍ତା ଭାବେ ଉତ୍କଳ ସାହିତ୍ଯ ସଂସଦ ସଭାପତି ତଥା ପରଜା ସମାଜ ବିକାଶ ପରିଷଦ ଉପଦେଷ୍ଟା ,ସୁସାହିତ୍ଯିକ କବି କେଶବ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ସ୍ପେସାଲ ବ୍ରାଞ୍ଚ ଇନସ୍ପେକ୍ଟର ଲକ୍ଷ୍ମୀନାରାୟଣ ମୁଦୁଲି, କୁଡୁମୁଲୁଗୁମ୍ମା ବ୍ଲକ ପୂର୍ବତନ ଅଧ୍ଯକ୍ଷ ଟିବୁରାମ ଟାଙ୍ଗୁଲ, ଉପଦେଷ୍ଟା ଅର୍ଜୁନ ଖରା,ସୋମନାଥପୁରୁ ସରପଞ୍ଚ ମଞ୍ଜୁଳା ଶିଶା,ଗାଦବା ସମାଜ ସଭାପତି ଭୀଷ୍ମ ଖରା, କାନ୍ଦରା ହାସଦା,ହରି ଗୋଲରୀ, ସୋନୁ ଅନୁଗ ବେଳେ ପରଜା ସମାଜ ବିକାଶ ପରିଷଦ ସଭାପତି ଘେନୁ ମୁଦୁଲି ସଭାପତିତ୍ବ କରିଥିଲେ । ସଂଘର ସଂପାଦକ ଶ୍ରୀନିବାସ ମୁଦୁଲି ମଞ୍ଚ ପରିଚାଳନା କରିଥିଲେ । ସର୍ବ ପ୍ରଥମେ ସଂବିଧାନ ପ୍ରଣେତା ତଥା ଭାରତ ରତ୍ନ ଡଃ ଭୀମରାଓ ଆମ୍ବେଦକରଙ୍କ ତୈଳଚିତ୍ର ଉପରେ ନିମନ୍ତ୍ରିତ ଅତିଥିମାନେ ପୁଷ୍ପମାଲ୍ଯ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ପ୍ରକୃତିର ଉପାସକ ହେଲେ ଆଦିବାସୀ ସଂପ୍ରଦାୟ । ଜଙ୍ଗଲ ହେଉଛି ଜନନୀ । ଜଙ୍ଗଲକୁ ନେଇ ଜୀବୀକା । ଜଙ୍ଗଲରୁ ଜାତ ଦ୍ରବ୍ଯ ହେଉଛି ଆଦିବାସୀମାନଙ୍କ ମୁଖ୍ଯ ଅର୍ଥ ଉପାର୍ଜ୍ଜନର ମାଧ୍ଯମ । ଆଦିବାସୀ ସମାଜ ସେଇ ପ୍ରକୃତି କୋଳରେ ଜନ୍ମ ନିଏ, କୈଶୋର, ଯୌବନରେ ଲୀଳାଖେଳା କରେ,ଶେଷରେ ବାର୍ଦ୍ଧକ୍ଯରେ ଉପନିତ ହୋଇ ପ୍ରକୃତି କୋଳରେ ଇହଧାମ ତ୍ଯାଗ କରେ । ପ୍ରକୃତି ବଦଳେ ଋତୁ ଚକ୍ରର ପରିବର୍ତ୍ତନରେ । ଆଦିବାସୀଙ୍କ ଜୀବନ ଚର୍ଯ୍ଯା, ରୀତି ନୀତି, ଚାଲି ଚଳନି,ବେଶ ପୋଷାକ,ପରମ୍ପରା, ପର୍ବ ପର୍ବାଣୀ, ନୃତ୍ଯ,ଗୀତ ବଦଳି ଯାଏ ପ୍ରକୃତିର ତାଳେ ତାଳେ । ଆଦିବାସୀ ସମାଜ ବିଭିନ୍ନ ଋତୁକୁ ନେଇ ପାଳନ କରେ ପର୍ବ ପର୍ବାଣୀ । କର୍ମ କ୍ଲାନ୍ତ ଜୀବନରେ ଶ୍ରମ ଲାଘବ ପାଇଁ ଆୟୋଜିତ ହୁଏ ପରବ । ପରବର ମୁଖ୍ଯ ଆଭିମୁଖ୍ଯ ହେଲା, ଜୀବନକୁ ସଂଗୀତମୟ କରିବା । ଆଦିବାସୀ ଜୀବନ ଚର୍ଯ୍ଯାର ଗବେଷକ ତଥା ସାହିତ୍ଯିକ କେଶବ ଚନ୍ଦ୍ର ନାୟକ ମୁଖ୍ଯ ବକ୍ତା ଭାବେ ଯୋଗ ଦେଇ କହଲେ ଯେ, ମାଲକାନଗିରି ପରଜା ଆଦିବାସୀମାନେ ଧୀରେ ଧୀରେ ନିଜର ଭାଷା ଭୁଲି ଗଲେଣି । ଚାଲି ଚଳଣିରେ ବିରାଟ ପରିବର୍ତ୍ତନ ଘଟିଲାଣି । ଭାଷା ହେଉଛି ଏକ ଜାତିର ପରିଚୟ ।ଭାଷାର ବିଲୁପ୍ତ ହୋଇଗଲା ପରେ ଗୋଟେ ଜାତିର ଐତିହ୍ଯ ପରମ୍ପରା ନିଛିନ୍ନ ହୋଇଯାଏ । ଏଣୁ ପ୍ରଥମେ ଆମ ପରିଚୟକୁ ସମାଜରେ ବଜାୟ ରଖିବାକୁ ହେଲେ ଆମ ଭାଷାକୁ ଗୁରୁତ୍ବ ଦେବାକୁ ପଡିବ । ଆମେ ଯେତେ ଭାଷାକୁ ଅକ୍ତିୟାର କଲେ ମଧ୍ଯ ପରଜାସମାଜ ନିଜର ମାତୃ ଭାଷାକୁ ଭୁଲିବାକୁ ହେବ ନାହିଁ । ଆମର ଦେବାଦେବୀ, ପୂଜା ପଦ୍ଧତି, ବେଶଭୂଷା, ଅଳଙ୍କାର, ବାଦ୍ଯ ଯନ୍ତ୍ର, ଗୀତ ,ନାଚ, ପର୍ବ ପର୍ବାଣିକୁ ପାଳନ କରିବାକୁ ହେବ । ପରଜା ସମାଜର ବୟୋଜ୍ଯେଷ୍ଠ ବ୍ଯକ୍ତି ବିଶେଷ ପରମ୍ପରର ରୀତି ନୀତିକୁ ଭବିଷ୍ଯତ ଉତ୍ତର ପିଢିଙ୍କ ପାଇଁ ଏକ ପ୍ରଶିକ୍ଷଣର ମାହୋଲ ସୃଷ୍ଟିକରିବା ଆବଶ୍ଯକ ବୋଲି ଶ୍ରୀନାୟକ କହିଥିଲେ । ଏହା ବ୍ଯତୀତ ପରଜା ଆଦିବାସୀମାନେ କେବଳ ବଣ ଜଙ୍ଗଲରେ ରହି ନାଚ ଗୀତ କରି ଜୀବନ ଜୀବୀକାକୁ ସୀମିତ ବନ୍ଧନରେ ଆବଦ୍ଧ କଲେ ହେବ ନାହିଁ,ସମୟ ସହିତ ତାଳ ଦେଇ ଜୀଇଁବାକୁ ହେବ । ଏଣୁ ଶିକ୍ଷିତ ହେବାକୁ ପଡିବ । ଶିକ୍ଷା ହିଁ ଏ ସମାଜକୁ ବିକାଶ ଦିଗରେ ଅଗ୍ରଣୀ କରିବ । ଆଦିବାସୀ ସମାଜର ବିକାଶ ଲାଗି ଡ.ବାବାସାହେବ ଆମ୍ବେଦକର ଶୈକ୍ଷିକ, ରାଜନୈତିକ,ଅର୍ଥନୈତିକ ଅଧିକାର ତଥା ସଂରକ୍ଷଣ ପ୍ରଦାନ କରିଛନ୍ତି, ଧୀରେ ଧୀରେ କିଛି ନ୍ଯସ୍ତସ୍ବାର୍ଥ ଗୋଷ୍ଠୀ ବିଲୁପ୍ତ ପାଇଁ ଅହରହ ଚକ୍ରାନ୍ତ କରୁଛନ୍ତି,ଏଣୁ ସମ୍ବିଧାନ ସୁରକ୍ଷା କରିବା ଆମ ସମସ୍ତଙ୍କର ମୌଳିକ କର୍ତ୍ତବ୍ଯ ବୋଲି ସେ ମତବ୍ଯକ୍ତ କରିଥିଲେ । ମୁଖ୍ଯ ଅତିଥି ଅତିରିକ୍ତ ତହସିଲଦାର ଜଗଦୀଶ ଚନ୍ଦ୍ର କାର୍ତ୍ତାମୀ କହିଲେ ଯେ,ପରଜା ସମାଜର ଭାଷା, ସଂସ୍କୃତି,ଐତିହ୍ୟ କ୍ରମଶଃ ଲୋପ ପାଇବାକୁ ବସିଲାଣି । ଏଣୁ ଏହାକୁ ସଂରକ୍ଷିତ ରଖିବା ଉଚିତ ।ଆଜି ଆଦିବାସୀମାନେ ସରକାରଙ୍କ ସୁବିଧା ସୁଯୋଗ ଉପରେ ଅଜ୍ଞ, ସଚେତନତା ଅଭାବ ଯୋଗୁଁ ବିକାଶ କ୍ଷେତ୍ରରେ ସେମାନେ ପଛୁଆ । ସରକାରୀ କାର୍ଯ୍ଯାଳୟକୁ ଆସ୍ବାକୁ ସେମାନେ କୁଣ୍ଠାବୋଧ କରୁଛନ୍ତି । ଏଣୁ ଆମ ଅଧିକାର ପାଇବା ପାଇଁ ଆମକୁ ସତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ । ଆମ ଜିଲ୍ଲାରେ ସରକାରୀ ଯୋଜନା ବହୁତ କାର୍ଯ୍ଯକାରୀ ହେଉଥିଲେ ମଧ୍ଯ ଆଦିବାସୀମାନେ ପଡୋଶୀ ରାଜ୍ଯକୁ ଦାଦନ ଖଟି ଶୋଷଣର ଶିକାର ହେଉଥିବା ସେ ମତବ୍ଯକ୍ତ କରିଥିଲେ । ତେଣୁ ମାଲକାନଗିରି ଜିଲ୍ଲାର ଆଦିବାସୀମାନେ ନିଜ ସ୍ଥାନରେ ରହି ସମସ୍ତ ଜନମଙ୍ଗଳ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି କାନ୍ଦରା ହାସଦା କହିଲେ ଯେ,ସମ୍ବିଧାନ ପ୍ରଣେତା ଡଃ ଆମ୍ବେଦକର ଆମକୁ ସବୁ କିଛି ଦେଇଛନ୍ତି । ଆଜି ଆଦିବାସୀ ସମାଜର ଶିକ୍ଷା,ସରକାରୀ ବିଭାଗରେ କର୍ମ ନିଯୁକ୍ତି, ରାଜନୈତିକ ସଂରକ୍ଷଣ ଏ ସବୁ ବାବାସାହେବ ଡଃ ଆମ୍ବେଦକରଙ୍କ ମହାନ ଅବଦାନ । ସେ ଯଦି ଜନ୍ମ ହୋଇନଥାନ୍ତେ ଆଦିବାସୀ ସମାଜର ପ୍ରଗତି ଅସମ୍ଭବ ହୋଇଥାନ୍ତା । ଆମେ ଆଜେବାଜେ ବହି ପଢୁଛୁ,ହେଲେ ସଂବିଧାନ କ’ଣ ? ସେହି ପୁସ୍ତକକୁ ପାଠ କରୁନେ । ଆନେ ସଂବିଧାନ ସଂପର୍କରେ ଜାଣିବା ଉଚିତ ବୋଲି ମତବ୍ଯକ୍ତ କରିଥିଲେ । ପରଜା ସମାଜର ସଭାପତି ଘେନୁ ମୁଦୁଲିଙ୍କ ଅକ୍ଲାନ୍ତ ଉଦ୍ଯମରେ ଆଜିର ନନ୍ଦି ପରବ ପାଳିତ ହେବା ସହ ସମସ୍ତଙ୍କ ଏକତା ସୂତ୍ରରେ ବାନ୍ଧି ଥିବାରୁ ତାଙ୍କୁ ଅତିଥିମାନେ ଭୁରି ଭୁରି ପ୍ରଶଂସା କରିଥିଲେ । ଏହି ପରିପ୍ରେକ୍ଷୀରେ ପରଜା ନୃତ୍ୟ ସଂଗୀତ ପରିବେଷଣ କରାଯାଇଥିଲା । ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ଜିଲ୍ଲ ପରଜା ସମାଜ ବିକାଶ ତରଫରୁ କିଛି ବ୍ଯକ୍ତି ବିଶେଷଙ୍କୁ ମାନପ୍ରଦାନ ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ପରଜା ସମାଜର ସଂପାଦକ ଶ୍ରୀନିବାସ ମୁଦୁଲୀ ଧନ୍ଯବାଦ ଅର୍ପଣ କରିଥିଲେ ।
(ରିରୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)