ପଥର ମାଫିଆଙ୍କ କବଜାରେ ପାହାଡ, ପରିତ୍ୟକ୍ତ ହେଲେ ଆଦିବାସୀଙ୍କ ଠାକୁରାଣୀ;ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ଦାବୀ।

ଯାଜପୁର,୧୦/୦୧ :ଗ୍ରାନାଇଟ ତଥା କଳାପଥର ପରିପୂର୍ଣ୍ଣ ଜଙ୍ଗଲରେ ଥିଲେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ନିହଲପ୍ରସାଦ ପଞ୍ଚାୟତ ନୂଆକଷ୍ଟିପାଳ ଗ୍ରାମର କଳାପଥର ଠାକୁରାଣୀ । ସରଳ ନିରୀହ ଶବର ସଂପ୍ରଦାୟ ଆଦିବାସୀଙ୍କ କଳାପଥର ଠାକୁରଣୀ ଥିଲେ ଆରାଧ୍ୟ ଗ୍ରାମ ଦେବତୀ । ହେଲେ ପଥର ମାଫିଆ ସାଜିଥିବା ମେଘା କ୍ରସର ମାଲିକ ପାହାଡକୁ ଗିଳିଦେଲେ । ଶେଷକୁ ଶବର ମାନଙ୍କୁ ତାଙ୍କର ଠାକୁରାଣୀଙ୍କ ପୂଜା ବି କରାଇ ଦେଲେ ନାହିଁ। କଳା ଠାକୁରାଣୀ ପରିତ୍ୟକ୍ତ ଅବସ୍ଥାରେ ପଡି ରହିବା ନେଇ ଶବର ମାନଙ୍କ ମଧ୍ୟରେ ଚରମ ଅସନ୍ତୋଷ ପ୍ରକାଶ ପାଉଛି ।

ନୂଆକଷ୍ଟିପାଳ ଗ୍ରାମ ସଂଲଗ୍ନ ପାହାଡ ବୃକ୍ଷଲତାରେ ପରିପୂର୍ଣ୍ଣ ଥିଲା । ସଂଧା ହେଲେ ବନ୍ୟଜନ୍ତୁ ମାନଙ୍କ ଶବ୍ଦରେ ପାହାଡ କଡର ଏହି ଗାଁ ଗୁଡିକରେ ତାଟି କବାଟ ପଡି ଯାଉଥିଲା । ସୁନ୍ଦର, ସମୃଦ୍ଧ ସବୁଜିମା ପରିବେଶରେ ଆଦିବାସୀମାନେ ପ୍ରକୃତି ସହ ପାରମ୍ପରିକ ଜୀବନ ବିତାଉଥିଲେ । ହେଲେ ଜଙ୍ଗଲରେ ଥିବା କଳାପଥର ଉପରେ ପଥର ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଲା । ସେଥ‌ିପାଇଁ ଏହି ଜଙ୍ଗଲରେ ପ୍ରଥମେ ସଂପୂର୍ଣ ବେଆଇନ ଭାବେ ମେଘା କ୍ରସର ସ୍ଥାପନ କଲେ କେନ୍ଦ୍ରାପଡାର କଳାପଥର ମାଫିଆ । ଜଗବନ୍ଧୁ ଏଣ୍ଟରପ୍ରାଇଜ ନାମକ ବେଆଇନ ମେଘା କ୍ରସରକୁ ଆଇନରେ ପରିଣତ କରିବା ପାଇଁ ପ୍ରଶାସନ ହାତବାରିସ ସାଜିଲା । ଶବର ମାନଙ୍କ ଘର ନିକଟରେ ଆଖବୁଜା ପ୍ରଦୂଷଣ କରୁଥିବା କ୍ରସର ସ୍ଥାପନ ପାଇଁ ଅନୁମତି ପ୍ରଦାନ କରାଗଲା । ଏହାପରେ ଘଂଚ ଜଙ୍ଗଲରେ ଥିବା ଗଛବୃକ୍ଷକୁ କାଟି ଜଙ୍ଗଲର କଙ୍କାଳ ସଦୃଶ କଳାପଥରକୁ କୋରିଦେଲେ ପଥର ମାଫିଆ ସାଜିଥିବା କ୍ରସର ମାଲିକ । ଶେଷକୁ ପାହାଡ ଉପରେ ଥିବା ଶବର ମାନଙ୍କ କଳାପଥର ଠାକୁରଣୀଙ୍କୁ ବି ଛାଡିଲେ ନାହିଁ । ଏହି ଠାକୁରାଣୀଙ୍କ ନିକଟକୁ ଶବର ମାନେ ଆଉ ପୂଜା କରିବାକୁ ଯାଇ ପାରିଲେ ନାହିଁ । ଏଠାରେ ପ୍ରତିବର୍ଷ ହେଉଥବା ଯଜ୍ଞ ଏବଂ ଯାତ୍ରାକୁ ବନ୍ଦ କରି ଦିଆଗଲା ।

ଶବର ମାନଙ୍କ ଡାକରାରେ ରାଜ୍ୟରେ ପାହାଡ ସୁରକ୍ଷା ପାଇଁ ଲଢେଇ କରୁଥିବା ପାହାଡ ପର୍ବତ ସୁରକ୍ଷା ମଞ୍ଚର ସଭାପତି ସତୀଶ ବିଶ୍ବାଳଙ୍କ ନେତୃତ୍ବରେ ଗୋଟିଏ ପ୍ରତିନିଧ ଦଳ ଏହି ଠାକୁରାଣୀଙ୍କ ପର୍ଯ୍ୟନ୍ତ ଯାଇଥିଲା । ପ୍ରତିନିଧି ଦଳ ସହ ଶତାଧିକ ସଂଖ୍ୟାରେ ଶବରମାନେ ସାମିଲ ହୋଇଥିଲେ । ଶବର ମାନେ କାନ୍ଦି କାନ୍ଦି ସେମାନଙ୍କ ଠାକୁରାଣୀଙ୍କ ଦୂରାବସ୍ଥା ବର୍ତ୍ତନା କରିଥିଲେ । ଶବର ମାନେ କହିଥିଲେ ଯେ, ଆମେ ଯାହା ଫଳ ମୂଳଟିଏ ପାଇଲେ ପ୍ରଥମେ ଆଗେ ଆମ କଳା ଠାକୁରାଣୀଙ୍କ ନିକଟରେ ଭୋଗ ଲଗାଇବା ପରେ ଖାଇଥାଉ । ଠାକୁରାଣୀ ପାଖରେ ଆମ ଯଜ୍ଞ ଏବଂ ମେଳା ଆମର ମୁଖ୍ୟ ପର୍ବ। ଯଜ୍ଞ ସମୟରେ ଠାକୁରାଣୀ ଥିବା ଜଙ୍ଗଲ ତଳେ ଦୋକାନ ବଜାର ବସୁଥିଲା । ହେଲେ ପାହାଡ ମାଫିଆ ସାଜିଥିବା କ୍ରସର ମାଲିକ ଆମ ପାହାଡକୁ କୋରି ଖାଇଦେଲା । ଶେଷକୁ ଆମ ଠାକୁରାଣୀଙ୍କୁ ବି ପରିତ୍ୟକ୍ତ କରି ପକାଇ ରଖିଛି । ଏଠାକୁ ଆମକୁ ପୂଜା କରିବାକୁ ଯାଇପାରୁ ନାହୁଁ । ଆଉ କିଛିଦିନ ପରେ ପଥର ବ୍ଲାଷ୍ଟିଂ ପାଇଁ ଠାକୁରଣୀ ଭୃଶୁଡି ପଡି ମାଟିରେ ମିଶିବେ । ପାହାଡ ଉପରେ ଥିବା ଠାକୁରାଣୀଙ୍କ ନିକଟକୁ ଯିବା ପାଇଁ ପଥରରେ ହୋଇଥିବା ପାହାଚ ଧୀରେ ଧୀରେ ନଷ୍ଟ ହୋଇଗଲା । ଠାକୁରାଣୀଙ୍କ ବିଜେ ସ୍ଥଳୀ ଏବେ ସଂପୂର୍ଣ ପରିତ୍ୟକ୍ତ ହୋଇଗଲା। କେନ୍ଦ୍ରାପଡାର ମାଫିଆ ଢେଙ୍କାନାଳର ପାହାଡ ଲୁଟିନେଲା । ଆମେ ଯେତେ ବିରୋଧ ଏବଂ ଆନ୍ଦୋଳନ କଲେ ମଧ୍ୟ ବି.ଜେ.ଡି ସରକାର ଆମ କଥା ଶୁଣିଲା ନାହିଁ । ଏବେ ବି.ଜେ.ପି ସରକାରରେ ଆମ ଆଦିବାସୀ ଭାଇ ମୁଖ୍ୟମନ୍ତ୍ରୀ । ତଥାପି ଆମକୁ ନ୍ୟାୟ ମିଳୁନାହିଁ କିମ୍ବା ପାହାଡ ସୁରକ୍ଷିତ ହେଉନାହିଁ । ଏଥିନେଇ ସତୀଶ ବିଶ୍ଵାଳ କହିଛନ୍ତି ଯେ, ଏଠାରେ ଦୀର୍ଘଦିନ ଧରି ପାହାଡ ଖାଦାନରେ ୧୪୪ ଧାରା ଜାରି ହୋଇଥିଲେ ମଧ୍ୟ ପାହାଡ ଲୁଟ୍ ବେଧଡକ ଚାଲିଛି । ଆମ ବିରୋଧ ପରେ ପାହାଡ ଲୁଟରେ ୨୧ ଟି ହାଇଓ୍ବା ଜବତ କରିଛି । ହେଲେ ଏହାର ତିନିଦିନ ପରେ ପାହାଡ ଲୁଟ୍ ବେଧଡକ ଚାଲିଛି । ଏଥିନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ନିର୍ଦ୍ଦେଶକୁ ସ୍ଥାନୀୟ ଖଣି ଅଧିକାରୀ ଏବଂ ପୋଲିସ ଖାତିର କରି ନାହାଁନ୍ତି । ଗୋଟିଏ ପାହାଡ ଲୁଟ୍ ରେ ସାମିଲ ଥିବା ଏହି ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହି ପାହାଡ ଲୁଟ୍ ରେ ସଂପୃକ୍ତ ମାଫିଆଙ୍କ ବିରୋଧରେ ବି.ଜେ.ପି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସରକାରର ସାଧୂତା ନେଇ ପ୍ରଶ୍ନବାଚୀ ଠିଆ କରିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀଙ୍କ ସ୍ବାର୍ଥ ରକ୍ଷାକୁ ଗୁରୁତ୍ବ ଦେଉଥିବାରୁ ଏଥିନେଇ ସରକାର କଠୋର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସତୀଶ ନିବେଦନ କରିଛନ୍ତି । ଏଥିନେଇ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ପତ୍ର ପ୍ରଦାନ କରାଯାଇଛି । ତେବେ ଲୋକଙ୍କ ଆଧାତ୍ମିକ ଭାବନାକୁ ଆଘାତ ଦେବା ଏକ ଧର୍ତ୍ତବ୍ୟ ଅପରାଧ ହୋଇଥିବା ବେଳେ ଏ କ୍ଷେତ୍ରରେ ଆଦିବାସୀଙ୍କ ଧର୍ମୀୟ ଭାବନାକୁ ଚରମ ଆଘାତ ପ୍ରଦାନ ନେଇ ପ୍ରଶାସନ ନିଷ୍ଠୁର ହୋଇଥିବାର ଅଭିଯୋଗ ହୋଇ ସାଧାରଣରେ ଘୋର ଉଦ‌ବେଗ ପ୍ରକାଶ ପାଉଛି ।

Comments (0)
Add Comment