ସାନଖେମୁଣ୍ଡି,୦୭/୦୧(ପିପିଟି); ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପଥରପୁଞ୍ଜି ଗ୍ରାମରେ ଆଜକୁ ପ୍ରାୟ ଅନେକ ବର୍ଷଧରି ପାନୀୟ ଜଳ ସମସ୍ୟା ଦେଖାଦେଉଛି । ଗ୍ରାମର ଲୋକେ ପାନୀୟ ଜଳ ପାଇଁ ବିଭିନ୍ନ ସମସ୍ୟା ଦେଇ ଗତିକରୁଛନ୍ତି ହେଲେ ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ ଅଚିନ୍ତାରେ ଅଛନ୍ତି । ଲୋକ ମାନଙ୍କ ପାନୀୟ ଜଳ ସମସ୍ୟାକୁ ଦୂରକରିବା ପାଇଁ ରାଜ୍ୟ ସରକାର ବସୁଧା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରି ଘର ଘର ପାଣି ଯୋଗାଇଥାନ୍ତି । ହେଲେ ଅତି ଦୁଃଖର ବିଷୟ ବସୁଧା ଯୋଜନା ଖାଲି ଯୋଜନାରେ ହିଁ ରହିଯାଉଛି । ପିପିଟି ନ୍ଯୁଜ୍ କୁ ହସ୍ତଗତ ହୋଇଥିବା ସୂଚନା ତଥ୍ୟରୁ ଜଣାପଡିଛି ଯେ ପଥରପୁଞ୍ଜି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ୨୦୧୮- ୧୯ ଆର୍ଥିକ ବର୍ଷରେ ୭୭ଲକ୍ଷ ୪୫ ହଜାର ଟଙ୍କା ଏଷ୍ଟିମେଟ ହୋଇଥିଲା। ଠିକାଦାର ମୂଳ ମୂଲ୍ୟ ଠାରୁ ଅର୍ଥ କାଟି ଟେଣ୍ଡର ହାତେଇବା ପରେ ଏଗ୍ରୀମେଣ୍ଟ ଅନୁଯାୟୀ ମୂଲ୍ୟ ୭୦ ଲକ୍ଷ ୭୭ ହଜାର ୨୫୬ ଟଙ୍କାରେ କାର୍ଯ୍ୟ କରିବା ପାଇଁ ତା- ୧୬/୧୨/୨୦୧୯ କାର୍ଯ୍ୟ ଆରମ୍ଭ କରି ୨୧୦ ଦିନ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ସଂପୃକ୍ତ କାର୍ଯ୍ୟର ଅବଧିକୁ ନିର୍ବାହୀ ଯନ୍ତ୍ରୀ ସ୍ବଳ୍ପ ପେନାଲଟି ପକାଇ ତା-୦୭/୦୨/୨୦୨୧ କୁ ବୃଦ୍ଧି କରିଛନ୍ତି। ଚର୍ଚ୍ଚା ଶୁଣିବାକୁ ମିଳୁଛି ଯେ କାଗଜପତ୍ରରେ ସ୍ବଳ୍ପ ପେନାଲଟି ପକାଇ ନିର୍ବାହୀ ଯନ୍ତ୍ରୀ ନିଜର ଫାଇଦା ଉଠାଉଛନ୍ତି ! ଯହାବି ହେଉ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସ୍ଥାୟିତ୍ବ ଓ ଗୁଣବତ୍ତା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ।
(ରିପୋର୍ଟ- ଆରତ କୁମାର ହୋତା। )