ମାଲକାନଗିରି,୨୨/୧୦(ପିପିଟି):ଆଜି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କଂଗ୍ରେସ ସଭାପତି ଏମ.ଡି ଫରୁକ୍ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ଜଣାପଡିଛି । ତାଙ୍କ ଇସ୍ତଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆଜି ପ୍ରେରଣ କରାଯାଇଛି । ଏମ.ଡି ଫରୁକ କଂଗ୍ରେସ ଦଳରେ ଦୀର୍ଘ ୩୦ ବର୍ଷ ହେଲା ନିଷ୍ଠାପର ଭାବେ କାର୍ଯ୍ଯକରି ଆସୁଥିଲେ । ତାଙ୍କର ପଡିଆ ବ୍ଲକରେ ତୃଣମୂଳ ସ୍ତରରେ ଦୃଢ ସଂଗଠନ ରହିଥିଲା । ତାଙ୍କ ଇସ୍ତଫା ଯୋଗୁଁ ପଡିଆ ବ୍ଲକରେ କଂଗ୍ରେସ ମୁକ୍ତ ହେବାର ସମ୍ଭାବନାକୁ ଏଡାଇ ହେବ ନାହିଁ । ଏମ.ଡି ଫରୁକ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କର ସେ ଦୃଢ ସମର୍ଥକ ଥିଲେ । ଆଜି ପ୍ରଦୀପ ମାଝୀ କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ଏମ.ଡି ଫାରୁକ ମଧ୍ଯ କଂଗ୍ରେସ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ପୂର୍ବରୁ ଯୁବ କଂଗ୍ରେସ ସଭାପତି,ଜିଲ୍ଲା କଂଗ୍ରେସ ଉପ-ସଭାପତି ରହିଥିବା ବେଳେ ବର୍ତ୍ତମାନ ପଡିଆ ବ୍ଲକ କଂଗ୍ରେସର ସଭାପତି ଦାୟିତ୍ବ ନିର୍ବାହ କରୁ ଥିଲେ । ପଡିଆ ବ୍ଲକରେ ଏମ.ଡି ଫାରୁକଙ୍କର ଇସ୍ତଫା ପରେ କଂଗ୍ରେସ ଦଳ ଦୁର୍ବଳ ଆଡକୁ ଗତି କରୁଛି !ପ୍ରଦୀପ ମାଝୀ କଂଗ୍ରେସ ଦଳ ତ୍ଯାଗ କରିବା ପରେ ତାଙ୍କ ଅନୁଗାମୀମାନେ ମଧ୍ଯ କଂଗ୍ରେସ ତ୍ଯାଗ କରି ଆଗାମୀ ଦିନରେ ଅନ୍ଯ ଦଳରେ ସାମିଲ ହେବାର ପଥ ପରିସ୍କାର ହେବାରେ ଲାଗିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)