ପଞ୍ଚାୟତ ନିର୍ବାହୀ ଅଧିକାରୀ ପିସି ମାଗୁଥିବା ନେଇ ଭିଡିଓ ଭାଇରାଲ ।

ମାଲକାନଗିରି,୨୭/୦୮(ପିପିଟି): ମାଲକାନଗିରି ଜିଲ୍ଲାରେ ବଢିବାରେ ଲାଗିଛି ପିସି କାରବାର । ବିଗତ ଦିନରେ ପିସି ନେଉଥିବା ବେଳେ ଅନେକ ଅଧିକାରୀ ଓ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡିଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ -୧ର ଅଧିକାରୀ ମଧ୍ୟ ଏଠାରେ ପିସି ନେଇ ଅନେକ କଳା ଧନ ସଞ୍ଚୟ କରିବା ଅଭିଯୋଗ ପରେ ଭିଜିଲାନ୍ସ ଦ୍ଵାରା ତାଙ୍କ ଠାରୁ ବିପୁଳ ପରିମାଣର କଳା ଧନ ଜବତ ହୋଇଥିଲା । ତେବେ ଏହା ସତ୍ବେ ମଧ୍ୟ ଜିଲ୍ଲାରେ ବନ୍ଦ ହେଉନି ପିସି କାରବାର । ଜିଲ୍ଲା ସଦର ବ୍ଲକ ଗୋରାଖୁଣ୍ଟା ପଞ୍ଚାୟତରେ ଠିକାଦାରଙ୍କ ପ୍ରାପ୍ୟ ପାଇବା ପାଇଁ ଆସିଥିବା ବେଳେ ତାଙ୍କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଶୋକ ସରକାର ପିସି ମାଗୁଥିବାର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ପଞ୍ଚାୟତର ଉନ୍ନୟନ ମୂଳକ କାମ କରୁଥିବା ଏହି ଠିକାଦାର ଜଣଙ୍କ ପଞ୍ଚାୟତ କାର୍ଯ୍ୟାଳୟରେ ନିଜର ବିଲ ପାଇଁ ଯାଇଥିଲେ । ତେବେ ସେଠାରେ ବିଲ ପାସ କରାଇବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ସରକାର ସିଧା ସଳଖ ପିସି ମାଗୁଥିବା ନେଇ ଭିଡିଓରେ ସ୍ପଷ୍ଟ ବାରି ହେଉଛି । କେବଳ ଏତିକି ନୁହେଁ, ଠିକାଦାର ଜଣଙ୍କ ଏଥିରେ ପିସି ଦେବା ପାଇଁ ବାରଣ କରୁଥିବାରୁ ବିଭିନ୍ନ ଅଧିକାରୀମାନେ ଏହି ପିସି ନିଅନ୍ତି, ଏହା କୌଣସି ନୂଆ କଥା ନୁହେଁ ବୋଲି ମଧ୍ୟ ଶ୍ରୀ ସରକାର ବଙ୍ଗୀୟ ଭାଷାରେ କହୁଥିବା ପରିଲିଖିତ ହେଉଛି । ଅପର ପକ୍ଷରେ ଠିକାଦାର ଜଣଙ୍କ ପୂର୍ବରୁ କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ କର୍ମଚାରୀଙ୍କୁ ପିସି ଦେଇଛନ୍ତି, ଆଉ ଅଧିକ ପିସି ଦେଲେ କ୍ଷତି ହେବ କହୁଥିବା ମଧ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି । ଜିଲ୍ଲାରେ ଏଭଳି ଅନେକ ବିଭାଗରେ ପିସି କାରବାର ଜାରି ରହିଥିବା ବେଳେ ସମସ୍ତ ଉନ୍ନୟନ କାର୍ଯ୍ୟ କରୁଥିବା ଠିକାଦାର ନିଜର ପ୍ରାପ୍ୟ ପାଇବା ପାଇଁ ପିସି ଦେଉଥିବା ନେଇ ଚର୍ଚା ଜୋର ଧରିଛି । ଜଣେ ଠିକାଦାର ଯଦି ପିସି ଆକାରରେ ବିପୁଳ ଅର୍ଥ ଦେବ ତେବେ ଉନ୍ନୟନ ମୂଳକ କାର୍ଯ୍ୟର ମାନ କେତେ ଠିକ ଥିବା ତାହା ସହଜେ ଅନୁମେୟ । ତେବେ ଏନେଇ ଆମେ ମାଲକାନଗିରି ବିଡିଓ ଅଜୟ ପ୍ରଧାନଙ୍କୁ ଯୋଗାଯୋଗ କରିବାର ସେ ପ୍ରକାଶ କରିଛନ୍ତି ଯେ ଘଟଣାକୁ ନେଇ ସେ ତଦନ୍ତ କରିବେ । ଦୋଷ ସାବ୍ୟସ୍ତ ହେଲେ ଉଚିତ ପଦକ୍ଷେପ ନେବେ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ସମ୍ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ ଏଭଳି ଅଭିଯୋଗ ନୂଆ ନୁହେ , ପୂର୍ବରୁ ମଧ୍ୟ ତାଙ୍କ ନାମରେ ଏଭଳି ଅନେକ ଅଭିଯୋଗ ରହିଥିବା ଜଣା ପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment