ମାଲକାନଗିରି,୧୨/୧୧(ପିପିଟି):ସରକାରଙ୍କ ଉଦ୍ୟମରେ ସ୍ଥାନୀୟ ୭ ଗୋଟି ବ୍ଲକ୍ ଯଥା କାଲିମେଳା, ପଡିଆ, କୋରୁକୋଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ, ମାଲକାନଗିରି ଏଵଂ ମାଥିଲି ର ବିଭିନ୍ନ ପଞ୍ଚାୟତରେ ଥିବା ସରପଞ୍ଚ, ପିଇଓ, ଏଡିଓ ଏବଂ ଜିଆରଏସଙ୍କୁ ନେଇ ଏକ ଦକ୍ଷତା ବୃଦ୍ଧି ନେତୃତ୍ୱ ଗଠନ ମାଧ୍ୟମରେ ପଞ୍ଚାୟତ ଗୁଡ଼ିକ ରେ ନିଜ ରାଜସ୍ବ ବୃଦ୍ଧି ନିମନ୍ତେ ତାଲିମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ ପଞ୍ଚାୟତର ବିକାଶ ଉଦ୍ଦେଶ୍ୟରେ ଲୋକ ପ୍ରତିନିଧି ଏବଂ ସରକାରୀ କର୍ମଚାରୀମାନଙ୍କୁ ନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ୪ ଗୋଟି ବ୍ୟାଚ ମାଧ୍ୟମରେ ୮ ଦିନିଆ ତାଲିମ୍ ଶିବିର ଆୟୋଜନ ପୂର୍ବକ ସମୁଦାୟ ୨୧୬ ଜଣଙ୍କୁ ପ୍ରଶିକ୍ଷଣ ଦିଆ ହୋଇଥିଲା। ଏହି ଶିବିର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଜିଲ୍ଲା ପରିଷଦ ତତ୍ତ୍ୱାବଧାନରେ ଚଳିତ ମାସ ୧୨ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।ପ୍ରଶିକ୍ଷଣର ଉଦଯାପନୀ କାର୍ଯକ୍ରମରେ ମୂଖ୍ୟ ଅତିଥି ସିଡିଓ- ତଥା – ଇଓ ନରେଶ ଚନ୍ଦ୍ର ଶବର, ସମ୍ମାନିତ ଅତିଥି ଭାବେ ଏପିଡି (ଅର୍ଥ ) ମାନସ ମିଶ୍ର, ଡିପିଏମ ଅଶୋକ ସାହୁ ଉପସ୍ଥିତ ରହି ସମସ୍ତଙ୍କୁ କାର୍ଯ୍ୟକ୍ରମର ଜରୁରୀ ଦିଗ ପ୍ରତି ଧ୍ୟାନ ଆକର୍ଷଣ କରିଥିଲେ । ଏଥିରେ ପ୍ରୋଗ୍ରାମ ମ୍ୟାନେଜର ହିମାଂଶୁ ଭୂଷଣ ମହାରଣା ଶିବିରର ଉଦ୍ଦେଶ୍ୟ ଓ କାର୍ଯ୍ୟସୂଚୀ ବିଷୟରେ ବିସ୍ତୃତ ଭାବେ ଉପସ୍ଥିତ ପ୍ରଶିକ୍ଷାର୍ଥିମାନଙ୍କୁ ଅବଗତ କରାଇଥିଲେ।
ଏହି ତାଲିମ୍ ଶିବିରରେ ଆସିଥିବା ସମସ୍ତ ସରପଞ୍ଚ ଏଵଂ ସରକାରୀ କର୍ମଚାରୀଙ୍କ ନେତୃତ୍ବ ମାଧ୍ୟମରେ ଗ୍ରାମ ପଞ୍ଚାୟତର ନିଜ ରାଜସ୍ବ ବୃଦ୍ଧି ଉଦ୍ଦେଶ୍ୟରେ ବିଶେଷ ତାଲିମ୍ ପ୍ରଦାନ କରା ଯାଇଥିଲା। ତାଲିମ୍ ଦାତା ଭାବେ କସମସ୍ ତିର୍କୀ, ବିନାଶ କୁମାର ମିଶ୍ର, ଜଗନ୍ନାଥ ମଣ୍ଡଳ, ଶୁଭଲକ୍ଷ୍ମୀ ସ୍ଵାଇଁ, ସୁଜତା ବିଶ୍ଵାସ ଆଦି ପ୍ରେରଣାଦାୟୀ ଏବଂ ତଥ୍ୟ ମୂଳକ ତାଲିମ୍ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ବିଷ୍ଣୁ ପ୍ରସାଦ ସାହୁ, ଏନ. ଅହଲ୍ୟା, ବିଶ୍ଵନାଥ ମଣ୍ଡଳ, ରାଜକୁମାର ଦୁରୁଆ, ନିପିନ୍ଦ୍ର ଦୁରୁଆ ଓ ଜିଲ୍ଲା ପରିଷଦ ଏଵଂ ପଞ୍ଚାୟତ ସାଧନ କେନ୍ଦ୍ର ର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)