ପଞ୍ଚଲିଙ୍ଗେଶ୍ୱରରେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର; ମମତାଙ୍କୁ ଟ୍ୱିଟ୍‍ ।

ନୀଳଗିରି,୦୬/୧୦: ଉତ୍ତର ଓଡ଼ିଶାର ଅନ୍ୟତମ ଶୈବପୀଠ କୁହାଯାଉଥିବା ବାଲେଶ୍ୱର ଜିଲା ନୀଳଗିରିର ପଞ୍ଚଲିଙ୍ଗେଶ୍ୱରରେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯିବା ଅଭିଯୋଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କୁ ଟ୍ୱିଟ୍‍ କରାଯିବା ଘଟଣା ଅଞ୍ଚଳରେ କ୍ଷୋଭ ପ୍ରକାଶ ପାଇଛି । ରବିବାର ୬୫ରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀଙ୍କୁ ଧରି ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳର ପର୍ଯ୍ୟଟକମାନେ ପଞ୍ଚଲିଙ୍ଗେଶ୍ୱର ପହଞ୍ଚିଥିଲେ । ଶୈବପୀଠର ମୁଖ୍ୟଫାଟକକୁ ଆଡ୍ଡା କରି କେତେକ ଯୁବକ ଜୋତାଷ୍ଟାଣ୍ଡ ବାବଦରେ ମୁଣ୍ଡ ପିଛା ୫ଟଙ୍କା ଆଦାୟ କରୁଥିଲେ । ତେବେ ପର୍ଯ୍ୟଟକମାନେ ଏହାର କାରଣ ପଚାରିବାରୁ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ଜୋତା ଥାଉ କି ନଥାଉ; ମୁଖ୍ୟ ଦ୍ୱାରରେ ପ୍ରବେଶ କଲେ ମୁଣ୍ଡପିଛା ୫ଟଙ୍କା ଲେଖାଏଁ ଦେବାକୁ ପଡ଼ିବ ବୋଲି ଟିକଟ କାଟୁଥିବା ଯୁବକ ଜଣକ କହିବାରୁ ବଙ୍ଗୀୟ ପର୍ଯ୍ୟଟକମାନେ ଯୁକ୍ତି ବାଢ଼ିଥିଲେ । ଯେତେ କାକୁତି ମିନତି ହୋଇଥିଲେ ମଧ୍ୟ ପର୍ଯ୍ୟଟକଙ୍କ କଥା ନଶୁଣି ଓଲଟା ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ପର୍ଯ୍ୟଟକମାନେ ସ୍ଥାନୀୟ ଟ୍ରଷ୍ଟବୋର୍ଡ଼ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ପ୍ରଶାସନ ପକ୍ଷରୁ ଜୋତାଷ୍ଟାଣ୍ଡଟି ଶୈବପୀଠ ଉପରେ କରାଯାଇଥିବା ବେଳେ ନିଲାମଧାରୀଙ୍କ ପକ୍ଷରୁ ମୁଖ୍ୟଫାଟକ ପାଖରେ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ଉଠିଛି । ଯାହା ପାଇଁ ଆଜି ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଅତିଥି ଦେବୋ ଭବଃର ଶବ୍ଦରେ ପଞ୍ଚଲିଙ୍ଗେଶ୍ୱରରୁ ବ୍ୟତୀକ୍ରମ ଘଟିଛି । ସେପଟେ ନକଲି ରସିଦ ଜରିଆରେ କେତେକ ଯୁବକ ପର୍ଯ୍ୟଟକଙ୍କଠାରୁ ପଞ୍ଚଲିଙ୍ଗେଶ୍ୱରରେ ମରାମତି ନାଁରେ ୨୦ଟଙ୍କା ଲେଖାଏଁ ଚାନ୍ଦା ଆଦାୟ କରୁଥିବା ନେଇ ମଧ୍ୟ ଗୁରୁତର ଅଭିଯୋଗ ଆସିଛି । ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ଏହି ଘଟଣାରେ ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ।

Comments (0)
Add Comment