ପଛୁଆବର୍ଗ ଜାତିରେ ସାମିଲ ପାଇଁ ସ୍ମାରକପତ୍ର ।

କୋଦଳା,୧୫/୦୪(ପିପିଟି); ନିଖିଳଉତ୍କଳ ଲିଆରି, ନିଆରି ଓ ଚୁଡୁତିଆ ସାମ୍ପ୍ରଦାୟ ପକ୍ଷରୁ ରାଜ୍ୟବ୍ୟାପି କାର୍ଯ୍ୟର ଅଂଶ ସ୍ୱରୂପ ସାଧାରଣ ବର୍ଗ ଜାତିରୁ ପଛୁଆବର୍ଗ ଜାତିରେ ତାଲିକାଭୁକ୍ତ କରିବାପାଇଁ ଦାବି ଜୋର ଧରିଥିବା ବେଳେ ଗୁରୁବାର ଆଠଗଡ଼ ତାଲୁକା ପକ୍ଷରୁ ସଭାପତି ହର ପ୍ରସାଦ ବେହେରାଙ୍କ ନେତୃତ୍ୱ ତଥା ସଙ୍ଘ ଉପଦେଷ୍ଟା ରବୀନ୍ଦ୍ର କୁମାର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପଚାଶରୁ ଉର୍ଦ୍ଧ୍ଵ କୋଦଳା ତହସିଲ ପ୍ରାଙ୍ଗଣରେ ଏକ ସ୍ମାରକପତ୍ର ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ତହସିଲଦାର ଅବନୀ କୁମାର ସାହୁଙ୍କୁ ପ୍ରଦାନ କରିଛନ୍ତି । ଆଞ୍ଚଳିକ, ଭାଷାଗତ ତଥା କୌଳିକ ବୃତ୍ତି ଦୃଷ୍ଟିକୋଣ ରୁ ଆମ୍ଭ ଜାତି ଭାଇମାନଙ୍କ ରାଜସ୍ୱ ପଟ୍ଟାରେ କାହାର ଲିଆରି, କାହାର ନିଆରି ଓ କାହାର ଚୁଡୁତିଆ ଜାତି ଭାବେ ବର୍ଣିତ ହୋଇଥିଲେ ମଧ୍ୟ ଆମ୍ଭମାନଙ୍କ ମଧ୍ୟରେ ସାମାଜିକ ତଥା ବୈବାହିକ ସମ୍ପର୍କ ରହି ଆସିଛି । ଆମ୍ଭ ଜାତିର ଉଭୟ ପୁରୁଷ ଓ ମହିଳା ଚୂଡ଼ା କୁଟିବା, ଲିଆ, ମୁଢି ଓ ଚଣା ଭାଯିବା ଭଳି କୌଳିକ ବୃତ୍ତିକୁ ଆଦରି ସ୍ୱଳ୍ପ ଆୟରେ ବହୁ କଷ୍ଟେମଷ୍ଟେ ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ସାମାଜିକ, ଶିକ୍ଷାଗତ ଓ ଅର୍ଥନୈତିକ କ୍ଷେତ୍ରରେ ଆମ୍ଭେଜାତି ଚିର ଅବହେଳିତ ଓ ପଛୁଆ ଭାବେ ପରିଗଣିତ ହେଉଛୁ କିନ୍ତୁ ପଛୁଆବର୍ଗର ମାନ୍ୟତା ପାଇନାହୁଁ । ବିଡମ୍ବନାର ବିଷୟ ଆମ୍ଭେଜାତି ଠାରୁ ପ୍ରତ୍ୟକ କ୍ଷେତ୍ର ରେ ଥିବା ବହୁ ଉଚ୍ଚ ଜାତିକୁ ସରକାର ଓବିସି ବର୍ଗରେ ସାମିଲ କରିଥିବା ବେଳେ ଆମ୍ଭଭଳି ଅବହେଳିତ, ନିଷ୍ପେସିତ ତଥା ଗରିବ ଜାତିକୁ ଏ ପର୍ଯ୍ୟନ୍ତ କୌଣସି ସଂରକ୍ଷଣ ବର୍ଗରେ ସାମିଲ କରି ନ ଥିବାରୁ ସରକାରଙ୍କ କୌଣସି ସୁବିଧା ସୁଯୋଗ ପାଇପାରୁ ନାହୁଁ ବୋଲି ସେମାନେ ତହସିଲଦାରଙ୍କୁ ବିନମ୍ର ଭାବେ କହିବା ସହିତ ଏକ ଲିଖିତ ସ୍ମାରାକପତ୍ର ପ୍ରଦାନ କରିଥିଲେ । ଅତିଶୀଘ୍ର ଏହାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯିବ ବୋଲି ତହସିଲଦାର ଆଶ୍ୱାସନା ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୁବାଷ ବେହେରା, ବିପ୍ର ବେହେରା,ନାରାୟଣ ବେହେରା, ଭିକାରୀ ବେହେରା, ଭଗବାନ ବେହେରା,ବସନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Comments (0)
Add Comment