ନୂଆ ବାଇକର ୱାରେଣ୍ଟି ଅବଧି ମଧ୍ୟରେ କ୍ଲଚ୍ ପ୍ଲେଟ୍ ବାବଦକୁ ଅର୍ଥ ଆଦାୟ ମହଙ୍ଗା ପଡ଼ିଲା: କ୍ଷତିପୂରଣ ଦେବାକୁ ହିରୋ ମୋଟୋକର୍ପ ଓ ଡିଲରଙ୍କୁ ଜିଲ୍ଲା ଖାଉଟି ଆୟୋଗଙ୍କ ନିର୍ଦ୍ଦେଶ ।

ବ୍ରହ୍ମପୁର,୨୬/୧୧(ପିପିଟି): ନୂଆ ବାଇକ କିଣିବାର ମାତ୍ର ଦେଢ଼ ମାସ ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ଏବଂ ୫ ବର୍ଷିଆ ୱାରେଣ୍ଟି ଥିବା ସତ୍ତ୍ୱେ ଗ୍ରାହକଙ୍କ ଠାରୁ ଯନ୍ତ୍ରାଂଶ ବାବଦକୁ ଅର୍ଥ ଆଦାୟ କରିବା ବାଇକ୍ କମ୍ପାନୀ ଓ ଡିଲରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସେବାରେ ତ୍ରୁଟି (Deficiency in Service) ଏବଂ ଅସାଧୁ ବ୍ୟବସାୟିକ କାରବାର (Unfair Trade Practice) ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଖାଉଟି ବିବାଦ ବିଚାର ଆୟୋଗ (ବ୍ରହ୍ମପୁର) ହିରୋ ମୋଟୋକର୍ପ ଲିମିଟେଡ୍ ଏବଂ ଏହାର ସ୍ଥାନୀୟ ଅଧିକୃତ ଡିଲର ‘ଲକ୍ଷ୍ମୀ ଅଟୋମୋବାଇଲ୍ସ’କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆୟୋଗଙ୍କ ଭାରପ୍ରାପ୍ତ ଅଧ୍ୟକ୍ଷ ସତୀଶ କୁମାର ପାଣିଗ୍ରାହୀ ଏବଂ ସଦସ୍ୟା ସରିତ୍ରୀ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ଯନ୍ତ୍ରାଂଶ ମୂଲ୍ୟ ଫେରସ୍ତ ସହ କ୍ଷତିପୂରଣ ଓ ମାମଲା ଖର୍ଚ୍ଚ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଅଯୋଧ୍ୟା ନଗର ର ବାସିନ୍ଦା ପିତର ଭୂୟାଁ ଗତ ୦୯.୦୭.୨୦୨୧ ତାରିଖରେ ଗଣପତି ନଗର ସ୍ଥିତ ‘ଲକ୍ଷ୍ମୀ ଅଟୋମୋବାଇଲ୍ସ’ରୁ ୭୭,୮୦୯ ଟଙ୍କା (ବୀମା ଓ ଅନ୍ୟାନ୍ୟ ଖର୍ଚ୍ଚ ସହ) ଦେଇ ଏକ ନୂଆ ‘ହିରୋ ସ୍ପ୍ଲେଣ୍ଡର ପ୍ଲସ୍’ (Hero Splendor+) ମୋଟରସାଇକେଲ କିଣିଥିଲେ । କମ୍ପାନୀ ପକ୍ଷରୁ ଏହି ଗାଡ଼ି ଉପରେ ୫ ବର୍ଷର ମାଗଣା ୱାରେଣ୍ଟି ପ୍ରଦାନ କରାଯାଇଥିଲା ।

ତେବେ ଗାଡ଼ି କିଣିବାର ମାତ୍ର ୪୩ ଦିନ ମଧ୍ୟରେ ଅର୍ଥାତ୍ ୨୧.୦୮.୨୦୨୧ ତାରିଖ ସୁଦ୍ଧା (ମାତ୍ର ୨,୬୭୪ କିଲୋମିଟର ଚାଲିବା ପରେ) ନୂଆ ବାଇକ୍‌ର କ୍ଲଚ୍ ପ୍ଲେଟ୍ ଓ କ୍ଲଚ୍ ଫ୍ରିକ୍ସନ୍ ଡିସ୍କ ଖରାପ ହୋଇଯାଇଥିଲା । ୱାରେଣ୍ଟି ଅବଧି ମଧ୍ୟରେ ଥିଲେ ସୁଦ୍ଧା ସର୍ଭିସ୍ ସେଣ୍ଟର ପକ୍ଷରୁ ଉକ୍ତ ଯନ୍ତ୍ରାଂଶ ବଦଳାଇବା ବାବଦକୁ ଗ୍ରାହକଙ୍କ ଠାରୁ ୪୮୫ ଟଙ୍କା (୩୮୦ ଓ ୧୦୫ ଟଙ୍କା) ଆଦାୟ କରାଯାଇଥିଲା ।

ଗାଡ଼ିରେ ନିର୍ମାଣଜନିତ ତ୍ରୁଟି ଥିବା ଦର୍ଶାଇ ନୂଆ ଗାଡ଼ି ବଦଳାଇବା କିମ୍ବା ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ଦାବିରେ ଶ୍ରୀ ଭୂୟାଁ ୧୬.୦୯.୨୦୨୧ରେ ଜିଲ୍ଲା ଖାଉଟି ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ମାମଲାର ବିଚାର ବେଳେ ନୋଟିସ୍ ଜାରି ସତ୍ତ୍ୱେ ଉଭୟ ଡିଲର ଓ କମ୍ପାନୀ ପକ୍ଷରୁ କୌଣସି ଲିଖିତ ଜବାବ ଦାଖଲ କରାଯାଇ ନଥିଲା। ଉପଲବ୍ଧ ଦସ୍ତାବିଜ୍ ଓ ପ୍ରମାଣକୁ ଭିତ୍ତି କରି ଆୟୋଗ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟବେକ୍ଷଣ କରିଛନ୍ତି ।

ସମ୍ପୂର୍ଣ୍ଣ ଗାଡ଼ି ବଦଳ ଦାବି ଅଗ୍ରାହ୍ୟ: ଗାଡ଼ିଟି ୪୩ ଦିନରେ ୨,୬୭୪ କିମି ଚାଲିଥିବାରୁ ଏବଂ କୌଣସି ବୈଷୟିକ ବିଶେଷଜ୍ଞଙ୍କ ରିପୋର୍ଟ ଦାଖଲ ହୋଇ ନଥିବାରୁ ସମ୍ପୂର୍ଣ୍ଣ ଗାଡ଼ିରେ ନିର୍ମାଣଜନିତ ତ୍ରୁଟି ଥିବା ପ୍ରମାଣିତ ହୋଇନାହିଁ । ତେଣୁ ନୂଆ ଗାଡ଼ି ଦେବା କିମ୍ବା ସମ୍ପୂର୍ଣ୍ଣ ୭୭,୮୦୯ ଟଙ୍କା ଫେରସ୍ତ ଦାବିକୁ ଆୟୋଗ ଖାରଜ କରିଛନ୍ତି ।

ୱାରେଣ୍ଟି ନିୟମର ଉଲ୍ଲଂଘନ: ସାଧାରଣତଃ କ୍ଲଚ୍ ପ୍ଲେଟ୍ ଘଷି ହେବା ୱାରେଣ୍ଟି ବାହାରେ ରହିଥାଏ । କିନ୍ତୁ ଏକ ନୂଆ ଗାଡ଼ି କିଣିବାର ମାତ୍ର ୪୩ ଦିନ ଓ ୨,୬୭୪ କିମି ଭିତରେ କ୍ଲଚ୍ ପ୍ଲେଟ୍ ଖରାପ ହେବାକୁ ‘ସାଧାରଣ ଘଷି ହେବା’ (Normal wear and tear) କୁହାଯାଇପାରିବ ନାହିଁ। ଏହା କମ୍ପାନୀ ଦ୍ୱାରା ଖଞ୍ଜାଯାଇଥିବା ତ୍ରୁଟିପୂର୍ଣ୍ଣ ଯନ୍ତ୍ରାଂଶର ପରିଣାମ। ଏଥିପାଇଁ ଟଙ୍କା ଆଦାୟ କରିବା ଖାଉଟି ସୁରକ୍ଷା ଆଇନ ଅନୁଯାୟୀ ସେବାରେ ତ୍ରୁଟି ।

କ୍ଷତିପୂରଣ ନିର୍ଦ୍ଦେଶ: ଆୟୋଗ ନିଜ ଚୂଡ଼ାନ୍ତ ରାୟରେ ହିରୋ ମୋଟୋକର୍ପ ଓ ଲକ୍ଷ୍ମୀ ଅଟୋମୋବାଇଲ୍ସକୁ ମିଳିତ ଭାବେ ୪୫ ଦିନ ମଧ୍ୟରେ ନିମ୍ନଲିଖିତ ଅର୍ଥ ପଇଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କ୍ଲଚ୍ ପ୍ଲେଟ୍ ଓ ଫ୍ରିକ୍ସନ୍ ଡିସ୍କ ବାବଦକୁ ବେଆଇନ ଭାବେ ନିଆଯାଇଥିବା ୪୮୫ ଟଙ୍କା ଫେରସ୍ତ ।

ଗ୍ରାହକଙ୍କୁ ହୋଇଥିବା ମାନସିକ ଯନ୍ତ୍ରଣା ଓ ହଇରାଣ ପାଇଁ ୫,୦୦୦ ଟଙ୍କା କ୍ଷତିପୂରଣ ।

ମାମଲା ପରିଚାଳନା ଖର୍ଚ୍ଚ ବାବଦକୁ ୩,୦୦୦ ଟଙ୍କା ପ୍ରଦାନ ପାଇଁ ନିର୍ଦେଶ ଦିଆଯାଇଛି ।

ନିର୍ଦ୍ଧାରିତ ୪୫ ଦିନ ମଧ୍ୟରେ ଏହି ଅର୍ଥ ପ୍ରଦାନ ନକଲେ, ରାୟ ପ୍ରକାଶ ପାଇବା ଦିନଠାରୁ ଟଙ୍କା ଆଦାୟ ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦେୟ ରାଶି (ମାମଲା ଖର୍ଚ୍ଚ ବ୍ୟତୀତ) ଉପରେ ବାର୍ଷିକ ୯ ପ୍ରତିଶତ ସୁଧ ଦେବାକୁ ପଡ଼ିବ ବୋଲି ଆୟୋଗ ସ୍ପଷ୍ଟ କରିଛନ୍ତି ।

Comments (0)
Add Comment