ନୀଳଗିରି ଚୋରି ଘଟଣାର ପର୍ଦ୍ଦାଫାସ; ୨ଗିରଫ ଓ ୨ନାବାଳକ ଅଟକ ।

ବାଲେଶ୍ୱର,୧୧/୧୦: ବାଲେଶ୍ୱର ଜିଲା, ନୀଳଗିରି ଥାନା ଅଧୀନ ଗୋପୀନାଥପୁର ଗାଁର ମହେଶ୍ୱର ବେହେରାଙ୍କ ପରିବାର ନଥିବା ସମୟରେ ଗତ ସେପ୍ଟେମ୍ବର ୨୪ରାତି ପ୍ରାୟ ୮ଟା ସମୟରେ ତାଙ୍କର ସମ୍ପର୍କୀୟ ପୁତୁରା ଜଗା ଓରଫ ରବିନାରାୟଣ ବେହେରା(୧୯) ଉକ୍ତ ଘରେ ପଶି ଆଲମାରୀରୁ ଲକ୍ଷାଧିକ ଟଙ୍କାର ସ୍ୱର୍ଣ୍ଣଅଳଙ୍କାର ଓ ନଗଦ ୩ହଜାର ଟଙ୍କା ଚୋରି କରିଥିଲା । ତେବେ ଚୋରି କରିଥିବା ଏହି ସ୍ୱର୍ଣ୍ଣଅଳଙ୍କାରକୁ ନୀଳଗିରିସ୍ଥିତି ଆଇଆଇଏଫ୍‍ଏଲ ନାମକ ଏକ ଫାଇନାନ୍ସ ସଂସ୍ଥାରେ ବନ୍ଧକ ରଖି ୪୦ହଜାର ଟଙ୍କା ଆଣିଥିଲା । ଏପରିକି ଏହି ଚୋରି କାର୍ଯ୍ୟରେ ବରିସାହିର ତଥା ନୀଳଗିରି ଗୁଣ୍ଡିଚା ବଜାରରେ ଚାଓମିନ ଦୋକାନ କରିଥିବା ବାପି ଓରଫ ଜିନେଶ ବିନୋଦ(୩୫) ସହଯୋଗ କରିଥିଲା । ଏନେଇ ନୀଳଗିରି ଏସଡିପିଓ ସରୋଜ ଉପାଧ୍ୟାୟଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଅଭିଯୁକ୍ତଙ୍କଠାରୁ ୩ହଳ କାନଫୁଲ, ଗୋଟିଏ ସୁନାହାର, ରୂପା ପାଉଁଜି ଏବଂ ୪୦ହଜାର ଟଙ୍କା ଜବତ କରାଯାଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଏସ୍‍ପି ରାଜ୍‍ ପ୍ରସାଦ ଜଣାଇଛନ୍ତି । ସେହିଭଳି ଜୁଲାଇ ୨ତାରିଖରେ ଉକ୍ତ ଗାଁର ମନ୍ଦାକିନି ବେହେରାଙ୍କ ଘରୁ ହୋଇଥିବା ଚୋରି ଘଟଣାରେ ଅଭିଯୁକ୍ତ ଜଗା ଏବଂ ୨ଜଣ ନାବାଳକ ଅଭିଯୁକ୍ତ ସମ୍ପୃକ୍ତି ଥିଲେ । ଉକ୍ତ ଘଟଣାରେ ୨ବାଳ ଅପରାଧିଙ୍କୁ ପୁଲିସ ଅଟକ ରଖି ତଦନ୍ତ କରୁଥିବା ବେଳେ ସେମାନଙ୍କଠାରୁ ୫ଟି ବ୍ରୋଞ୍ଜ ଗ୍ଲାସ,ଗୋଟେ ବାଲତି,ଲୋଟା, ଦୀପ, ଇନଭୋର୍ଟର ପ୍ରଭୃତି ଜବତ କରାଯାଇଛି । ଏହି ପର୍ଯ୍ଯାୟ ଚୋରି ଘଟଣାରେ ଏସ୍‍ଡିପିଓ ଶ୍ରୀ ଉପାଧ୍ୟାୟଙ୍କ ସମେତ ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ,ସବ୍‍ଇନ୍ସପେକ୍ଟର ସୁବର୍ଣ୍ଣ ବେହେରା, ଦିଲୀପ ସେନାପତି, ଏଏସଆଇ ଅନନ୍ତ ମୁର୍ମୁ ପ୍ରମୁଖ ତଦନ୍ତ କରୁଥିଲେ ।

Comments (0)
Add Comment