ନିଶା ହଟାଅ, ଦେଶ ବଞ୍ଚାଅ କାର୍ଯ୍ୟରେ ସାମିଲ ହେଲେ ଭୀମଟାଙ୍ଗି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ।

ଭୁବନେଶ୍ୱର,୨୦/୦୮(ପିପିଟି):ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ଭୀମଟାଙ୍ଗି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ , ଈଶ୍ଵରୀୟ ପ୍ରଜାପିତା ବ୍ରହ୍ମା କୁମାରୀର ରଞ୍ଜୁ ଭଉଣୀ, ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଅଶୋକ କୁମାର ମହାରଣା, ଚିନ୍ମୟୀ ଭଉଣୀ, ଅନିମା ଭଉଣୀ, ଗୋତମ ଭାଇ ପ୍ରମୁଖ ନିଶା ହଟାଅ, ଦେଶ ବଞ୍ଚାଅ କାର୍ଯ୍ୟରେ ସାମିଲ ହୋଇଥିଲେ।
ରାଜଧାନୀ ଭୁବନେଶ୍ବରରେ ଗାନ୍ଧୀବାଦୀ ବର୍ଷିୟାନ୍ ନେତା ପଦ୍ମ ଚରଣ ନାୟକଙ୍କ ନେତୃତ୍ବରେ ଓଡ଼ିଶାରେ ମଦ ହଟାଅ କାର୍ଯ୍ୟକ୍ରମ ଦୀର୍ଘ ପନ୍ଦର ବର୍ଷ ଧରି ଚାଲୁ ରହିଛି। ବର୍ତ୍ତମାନ ତ୍ରିରଙ୍ଗା ଯାତ୍ରା ବିଧାନ ସଭାସ୍ଥ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଠାରୁ ରାଜଭବନ ନିକଟସ୍ଥ ମଧୂସୁଦନ ଦାସଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଦୈନନ୍ଦିନ ଚାଲୁ ରହିଅଛି। ବିଭିନ୍ନ ଅଞ୍ଚଳର ମାତୃଶକ୍ତି , ମଦର ଶିକାର ହେଉଥିବା ବ୍ୟକ୍ତି ବିଶେଷ, ସମାଜ ସଂସ୍କାରକ ମଦ ହଟାଅ, ଦେଶ ବଞ୍ଚାଅ କାର୍ଯ୍ୟକ୍ରମରେ ଲାଗିପଡିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦିଜୀଙ୍କ ଆହ୍ଵାନ କ୍ରମେ ଦେଶ ବଞ୍ଚାଅ, ନିଶା ହଟାଅ କାମରେ ସବୁ ବର୍ଗର ଜନସାଧାରଣ ଏଥିରେ ସାମିଲ ହୋଇ ଏହି କାର୍ଯ୍ୟକୁ ଆଗେଇ ଦେଇ ଚାଲିଛନ୍ତି।ଏହି କାର୍ଯ୍ୟରେ ସମସ୍ତେ ଆନ୍ତରିକତା ର ସହିତ କାମକୁ କରିଲେ ଦେଶରୁ ନିଶା ହଟିବ, ମହାତ୍ମାଗାନ୍ଧୀଙ୍କ ସ୍ଵପ୍ନ ସାକାର ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ପରିଶେଷରେ ଭୀମଟାଙ୍ଗି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ, ଗୁରୁଜୀ ଓ ଗୁରୁମା ସାମିଲ ହୋଇ ଏ କାର୍ଯ୍ୟରେ ସହଯୋଗ କରିଥିବାରୁ ସେବା ପ୍ରତିନିଧି ତରଫରୁ ଧନ୍ୟବାଦ ଅର୍ପଣ କରାଯାଉଅଛି।

Comments (0)
Add Comment