ଅମର୍ଦ୍ଦାରୋଡ଼,୨୨/୦୯:ଅମର୍ଦ୍ଦାରୋଡ଼-ବାରିପଦା ମୁଖ୍ୟ ରାସ୍ତାର ଗେଟ୍ ବଜାର ରେଳଫାଟକ ନିକଟସ୍ଥ ଅମ୍ବିକା ମେସର ଜଣେ ବୃଦ୍ଧା (ଭଡ଼ାଟିଆ)ଙ୍କୁ ଜଣେ ଯୁବକ ଛୁରୀମାଡ଼ କରିଥିବା ଘଟଣାରେ ସଂପୃକ୍ତ ଯୁବକକୁ ଫାଣ୍ଡି ପୁଲିସ ଉଠାଇ ଆଣି ଫାଣ୍ଡିରେ ଅଟକ ରଖିଛି। ସୂଚନା ଅନୁସାରେ ମୟୁରଭଂଜ ଜିଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଶ୍ୟାମାନନ୍ଦପୁର ଗ୍ରାମର ଅକ୍ଷୟ ପାତ୍ରଙ୍କ ଭଉଣୀ ଅନ୍ନପୁର୍ଣ୍ଣା ଗିରି ଓ ବସ୍ତା ଥାନା ମାଛିଆ ଗ୍ରାମର ଅମୂଲ୍ୟ ପାତ୍ର ଦୁହେଁ ପୋଡ଼ଶୀ ଭାବେ ଉକ୍ତ ମେସରେ ଭଡ଼ା ନେଇ ରହୁଥିଲେ। ତେବେ ଅନ୍ନପୁର୍ଣ୍ଣା ସେଠାରେ ଦୀର୍ଘ ବର୍ଷ ଧରି ରହି ଆସୁଥିବା ଥିବେ ଅମୂଲ୍ୟ ଅଳ୍ପ କେଇଦିନ ଧରି ସେଠାରେ ରହିଆସୁଥିଲେ । ଅମୂଲ୍ୟ ପେଷାରେ ଜଣେ ଗାଡ଼ି ଡ଼୍ରାଇଭର ହୋଇଥିବାରୁ ପ୍ରତ୍ୟେକ ଦିନ ପେଟେ ମଦ ପିଇ ବିଳମ୍ବିତ ରାତିରେ ମେସକୁ ଫେରିଥାନ୍ତି। ତେବେ ସକାଳ ସମୟରେ ଉଠି ମଦ ନିଶାରେ ଥାଇ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ରୁମ ବାହାରେ ପରିଶ୍ରା କରିଥାନ୍ତି।ଏହା ଦେଖି ଅନ୍ନପୁର୍ଣ୍ଣା ଓ ତାଙ୍କ ବୃଦ୍ଧା ମା ବିରକ୍ତଭାବ ପ୍ରକାଶ କରିଥାନ୍ତି।ତେବେ ଗତକାଲି ବିଳମ୍ବିତ ରାତିରେ ଅମୂଲ୍ୟଙ୍କ ସହ ସମ୍ପର୍କୀୟ ଭାଇ ପେଟେ ପଦ ପିଇ ମେସକୁ ଆସିଥିଲେ। ଫଳରେ ଆଜି ସକାଳେ ଅମୂଲ୍ୟ ଉଲଗ୍ନ ଅବସ୍ଥାରେ ରୁମ ବାହାରେ ପରିଶ୍ରା କରୁଥିବା ସମୟରେ ଅନ୍ନପୁର୍ଣ୍ଣାଙ୍କ ମାଆ ଦେଖିପାରି ତାଙ୍କୁ ତାଗିଦ କରିଥିଲେ।ନିଶାଶକ୍ତ ଅବସ୍ଥାରେ ଥିବା ଅମୂଲ୍ୟ ଏଥିରେ କ୍ରୋଧାନ୍ବିତ ହୋଇ ଘରୁ ଏକ ଧାରୁଆ ଛୁରୀରେ ବୃଦ୍ଧାଙ୍କ ବେକ ଓ ବାମ ହାତର କଚଟି ସ୍ନାୟୁ ଶିରା ଉପରକୁ ଦୁଇଥର ପ୍ରହାର କରିଥିଲା। ଫଳରେ ଉକ୍ତ ବୃଦ୍ଧାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ରାସଗୋବିନ୍ଦପୁର ହସ୍ପିଟାଲ ଓ ପରେ ବାରିପଦାସ୍ଥିତ ପିଆରଏମ୍ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ମେସ ମାଲିକ ମଦନ ମୋହନ ପାଳ ଓ ଅନ୍ୟ ଭଡ଼ାଟିଆ ଦୁଇ ଯୁବକଙ୍କୁ କୋଠରୀ ଭିତରେ ପୁରାଇ ବାହାରୁ ତାଲା ପକାଇଦେଇଥିଲେ । ଫାଣ୍ଡି ଅଧିକାରୀ ସନ୍ଦୀପ କୁଜୁର ଘଟଣା ସ୍ଥଳରେ ପହଞ୍ଚି ବନ୍ଦ କୋଠରୀରୁ ଦୁଇ ଯୁବକଙ୍କ ମଧ୍ୟରୁ ଅମୂଲ୍ୟକୁ ଉଠାଇ ଆଣି ଫାଣ୍ଡିରେ ଅଟକ ରଖିଛନ୍ତି । ଘଟଣା ସମ୍ପର୍କରେ ବୃଦ୍ଧାଙ୍କ ସାନପୁଅ ଅକ୍ଷୟ ପାତ୍ର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିବା ବେଳେ ମେସ ମାଲିକ ଶ୍ରୀ ପାଳ ମଧ୍ୟ ଅନ୍ୟ ଏକ ଏତେଲା ଦେଇଥିବା ଜଣାପଡ଼ିଛି।