ନିଲିଗୁଡାଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ।

ମାଲକାନଗିରି, ୧୩/୦୪(ପିପିଟି):ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ପଡିଆ ବ୍ଲକ୍ ଅନ୍ତର୍ଗତ ନିଲିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଯୁଗ୍ମ ଜନ ଶୁଣାଣି ଓ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଶତାଧିକ ସ୍ଥାନୀୟ ବାସିନ୍ଦା ନିଜର ବିଭିନ୍ନ ସମସ୍ୟା ନେଇ ପହଞ୍ଚିଥିଲେ।
ଏହି ଶିବିରରେ ମୋଟ ୮୪ଟି ଅଭିଯୋଗର ଶୁଣାଣି କରାଯାଇଥିଲା, ଯେଉଁଥିରେ ୩୮ଟି ବ୍ୟକ୍ତିଗତ ଏବଂ ୪୬ଟି ଗ୍ରାମ୍ୟ ସମସ୍ୟା ଅନ୍ତର୍ଭୁକ୍ତ ଥିଲା। ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜମି ପଟ୍ଟା, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ଏବଂ ଭିନ୍ନକ୍ଷମ ସହାୟତା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହା ସହିତ ପାନୀୟ ଜଳ, ବିଦ୍ୟୁତ ସଂଯୋଗ ଓ ରାସ୍ତାଘାଟ ଭଳି ମୌଳିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ ଏବଂ ସିଡିଏମଓ ଡ଼ା. ଡୋଳାମଣି ପ୍ରଧାନ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଶୁଣିବା ସହ ତାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ତହସିଲଦାର, ବିଡିଓ ଏବଂ ଜିଲ୍ଲା ସ୍ତରୀୟ ପଦାଧିକାରୀମାନେ ଏହି ଶିବିରରେ ସାମିଲ ହୋଇଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment