ନବରଙ୍ଗପୁର,୦୩/୦୬:ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡାଲଗୁଡା ଗ୍ରାମର ଏକ ଘରୋଇ ନିର୍ମାଣଧୀନ ପାଇଖାନାରେ କାମ କରୁଥିବା ବେଳେ ପାଇଖାନାର ଫଲସ୍ ଖସି ଯାଇ ଶ୍ଵାସ ରୁଦ୍ଧ ହୋଇ ଦୁଇ ଗୁରୁତର ହୋଇଯାଇଥିଲେ । ତାଙ୍କ ଅନ୍ୟ ଦୁଇ ସହଯୋଗୀ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ସମୟରେ ସେମାନଙ୍କର ବି ଶ୍ଵାସ ରୁଦ୍ଧ ହୋଇଯାଇ ଗୁରୁତର ହୋଇଯାଇଥିଲେ । ଘଟଣା ସମ୍ୱନ୍ଧରେ ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ବାହିନୀ ସହ ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ,ଏସଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ ଏବଂ ଗୁରୁତର ଅବସ୍ଥାରେ ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ତେବେ ସେଥିମଧ୍ୟରୁ ପ୍ରଥମେ ତିନି ଜଣ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବି ମୃତ୍ୟୁ ଘଟିଥିଲା । ମୃତକ ମାନେ ହେଲେ ଏନ.ସନ୍ତୁ -୨୮ ବର୍ଷ,ଅମିର ଖୁରା -୩୦ ବର୍ଷ,ତ୍ରିଲୋଚନ ଭତରା-୨୫ ବର୍ଷ, ଲାଲୁ ରଣା କାମରା- ୨୬ ବର୍ଷ । ସମସ୍ତଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାରକୁ ହସ୍ତାନ୍ତର କରାଯିବ । ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ଦେଇଛନ୍ତି ଡକ୍ଟର । ଅପରପକ୍ଷରେ ୪ ଜଣଙ୍କ ମୃତ୍ୟୁ ପରେ ଗାଁ ସ୍ତବ୍ଧ ହୋଇଯାଇଥିଲା ବେଳେ ସମ୍ପର୍କୀୟଙ୍କ ମୃତ୍ୟୁ ପରେ କାନ୍ଦ ବୋବାଳି ରେ ଗାଁ ଦାଣ୍ଡ ଫାଟି ପଡୁଛି । ମୃତକଙ୍କ ଛୋଟ ଛୁଆ ଥିବା ବେଳେ ସେମାନଙ୍କୁ ସରକାରଙ୍କ ତରଫରୁ ସହାୟତା ଯୋଗାଇବା ପାଇଁ ସମ୍ପର୍କୀୟ ମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ।