ନିର୍ବାଚନ ପରବର୍ତ୍ତୀ ଆଇନ୍ ଶୃଙ୍ଖଳା ରକ୍ଷା ପାଇଁ ବେଲଗୁଣ୍ଠା ପୋଲିସ୍ ର ଫ୍ଲାଗ୍ ମାର୍ଚ୍ଚ ।

ବେଲଗୁଣ୍ଠା,୨୬/୦୫(ପିପିଟି) : ନିର୍ବାଚନ ପରବର୍ତ୍ତୀ ଆଇନ୍ ଶୃଙ୍ଖଳା ରକ୍ଷା ପାଇଁ ବେଲଗୁଣ୍ଠା ପୋଲିସ୍ ପକ୍ଷରୁ ବେଲଗୁଣ୍ଠା ଥାନା ଅନ୍ତର୍ଗତ ବେଲଗୁଣ୍ଠା ସହର ସମେତ ବିଭିନ୍ନ ଗ୍ରାମରେ ଫ୍ଲାଗ୍ ମାର୍ଚ୍ଚ କରାଯାଇ ପୋଲିସ୍ ର ଉପସ୍ଥିତି ଜାହିର୍ କରାଯାଇଛି I ଆଜି ବେଲଗୁଣ୍ଠା ଥାନା ଅଧିକାରୀ ବନ ବିହାରୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ବେଲଗୁଣ୍ଠା ପୋଲିସ୍ ଥାନାରୁ ବାହାରି ହାଟପଦା, ପେଣ୍ଠ ସାହି, ବାଙ୍କ ବଜାର, ମେନ୍ ରୋଡ଼୍, ଗୋପୀନାଥ ସାହି ସମେତ ଆମ୍ବପୁଆ, ଟିକରପଡ଼ା, ନାୟକ ପଡ଼ା,ଚଢିଆପଲ୍ଲୀ,ମଙ୍ଗଳପୁର ଆଦି ଗ୍ରାମରେ ଫ୍ଲାଗ୍ ମାର୍ଚ୍ଚ କରିଥିଲେ I କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଥାନା ଏସ୍ଆଇ ଅଭୟ ପ୍ରଧାନ,ନାରାୟଣ ନାୟଙ୍କ ସମେତ ପୋଲିସ୍ କର୍ମଚାରୀ ଏବଂ ଯବାନ୍ ମାନେ ଅଂଶଗ୍ରହଣ କରିଥିଲେ I ଫ୍ଲାଗ ମାର୍ଚ୍ଚ ସମୟରେ ନିର୍ବାଚନ ପରବର୍ତ୍ତୀ ହିଂସା ଏବଂ ବିଶୃଂଖଳା ଠାରୁ ଦୂରେଇ ରହିବା ସହିତ କୌଣସି ପରିସ୍ଥିତିରେ ମଧ୍ୟ ଆଇନ୍ କୁ ହାତକୁ ନନେଇ ପୋଲିସ୍ ର ସହଯୋଗ ନେବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା I ସେହିପରି ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଚା ଦୋକାନ,ଫାର୍ଷ୍ଟ ଫୁଡ୍ ଦୋକାନ ଏବଂ ଢାବା ଗୁଡ଼ିକୁ ରାତି ଆଠଟା ସୁଦ୍ଧା ବନ୍ଦ କରିବା ପାଇଁ ଦୋକାନ ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା I ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଏହି ନିୟମକୁ କଡାକଡି ଭାବେ ପାଳନ କରିବାକୁ ପୋଲିସ୍ ବାହିନୀ ଲୋକଙ୍କୁ ସତର୍କ କରାଇଥିଲେ ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Comments (0)
Add Comment