ମାଲକାନଗିରି,୧୫/୧୧(ପିପିଟି):ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଯୋଜନା ଓ ସଂଯୋଜନ ( ଡିପିଏମୟୁ ) ବିଭାଗର ମିଳିତ ଆନୁକୁଲ୍ୟରେ ଓଡିଶାର ନିରନ୍ତର ବିକାଶ ଲକ୍ଷ୍ୟ ରେ ୨୦୩୦ କାର୍ଯ୍ୟସୂଚୀର ରୂପାୟନ ” ବିଷୟବସ୍ତୁ ନେଇ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ବିଶାଲ ସିଂ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧୁକାରୀ ( ସିଡିଓ ) ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ସହ ନିର୍ଦ୍ଦେଶକ ଅଳକା ଜେନା, ଡିପିଏମୟୁର ଉପ ନିର୍ଦ୍ଦେଶକ ଗୋଲକ ଚନ୍ଦ୍ର ଦଳେଇ ମଞ୍ଚାସୀନ ଥିଲେ । ଏହି ଅବସରରେ ଶ୍ରୀ ସିଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ସହ ବିଭିନ୍ନ ଯୋଜନାର ସଫଳ ରୂପାୟନ ନିମନ୍ତେ ଦୃଢ ତଦାରଖ କରିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ପଞ୍ଚାୟତ ସ୍ତରରେ ମାଇକ୍ରୋ ପ୍ଲାନିଂ କରିବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ । ସିଡିଓ ଶ୍ରୀ ସାହୁ ଉଲ୍ଲେଖ କରିଥିଲେ । ଯେ ନିରନ୍ତର ବିକାଶର ଲକ୍ଷ୍ୟକୁ ପର୍ଯ୍ୟବେସିତ କରି ବ୍ଲକ ଉନ୍ନୟନ ଯୋଜନା ଓ ଗ୍ରାମ ପଞ୍ଚାୟତ ଯୋଜନା ପ୍ରସ୍ତୁତ ହେବା ଦରକାର । ଉପ ନିର୍ଦ୍ଦେଶକ ଶ୍ରୀ ଦଳେଇ ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହ ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ହେମ୍ବ୍ରମ କମ୍ୟୁନିକେସନ କନସଲଟାଣ୍ଡ, ସନ୍ତୋଷ କୁମାର ବେହେରା, ଏସଡିଜି କନସଲଟାଣ୍ଟ ଭେଙ୍କଟେଶ ନାଏକ, ଡଃ. ରମେଶ ଚାଲାଣଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ବୃନ୍ଦ ଶିବିରରେ ଯୋଗ ଦେଇଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)