ନିଖୋଜ ଯୁବକର କଙ୍କାଳ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ ।

ପୋଲସରା,୨୦/୦୯(ପିପିଟି): ଦୀର୍ଘ ପଚିଶ ଦିନ ପରେ ନିଖୋଜ ଯୁବକର କଙ୍କାଳ ଗୋଟିଏ ଜଙ୍ଗଲ ମଧ୍ୟରୁ ଉଦ୍ଧାର କରା ଯାଇଥିଲେ ମଧ୍ୟ ମୃତ୍ୟୁର କାରଣ ଜଣା ପଡିନାହିଁ। ପୋଲିସ କଙ୍କାଳ କୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ପଠାଇ ସହ ଅନୁସନ୍ଧାନ କରୁଥିବା ଜଣା ପଡିଛି। ମିଳିଥିବା ସୂଚନା ଅନୁଯାୟୀ ପୋଲସରା ବ୍ଳକ ଅନ୍ତର୍ଗତ ମନ୍ଦାର ଗ୍ରାମ ର କାହ୍ନୁ ମଳିକ ( ୨୫ ବର୍ଷ) ଗତ ମାସ ୨୬ ତାରିଖ ଦିନ ଠାରୁ ନିଖୋଜ ହୋଇ ଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳି ନଥିଲା। ତେବେ ରବିବାର ଦିନ ମନ୍ଦାର ଗ୍ରାମ ର ଜଣେ ଯୁବକ କେନ୍ଦୁବାଡି ନିକଟସ୍ଥ ଜଙ୍ଗଲକୁ ଗାଈ ଚରାଇବା ପାଇଁ ଯାଇଥିବା ବେଳେ ସେଠାରେ ଗୋଟିଏ ମଣିଷ କଙ୍କାଳ ପଡିଥିବା ଦେଖିବାକୁ ପାଇଥିଲେ। ସମ୍ପୃକ୍ତ ଗାଇ ଚରାଳି ଆସି ଜଙ୍ଗଲ ରେ ମଣିଷ କଙ୍କାଳ ପଡିଥିବା କହିଲା ପରେ ଗ୍ରାମର କିଛି ଲୋକ ଓ କାହ୍ନୁ ର ପରିବାର ଲୋକ କଙ୍କାଳ ପଡିଥିବା ସ୍ଥାନକୁ ଯାଇଥିଲେ । କଙ୍କାଳ ନିକଟରେ ପଡିଥିବା ମୋବାଇଲ ଫୋନ ଓ ପେଣ୍ଟ ସାର୍ଟ ଦେଖି କଙ୍କାଳ ଟି କାହ୍ନୁର ବୋଲି ପରିବାର ଲୋକ ଚିହ୍ନଟ କରିଥିଲେ। ଏ ସମ୍ପର୍କରେ ଖବର ପାଇବା ପରେ ପୋଲିସ କଙ୍କାଳ ପଡିଥିବା ସ୍ଥାନକୁ ଯାଇ କଙ୍କାଳ ଟିକୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ପଠାଇବା ସହ ଅନୁସନ୍ଧାନ ଚାଲୁରଖିଛନ୍ତି। ତେବେ କାହ୍ନୁ ଆତ୍ମହତ୍ୟା କରିଛି କିମ୍ବା କେହି ଦୁର୍ବୃତ୍ତ କାହ୍ନୁ କୁ ଯୋଜନାବଦ୍ଧ ଭାବେ ହତ୍ଯା କରି ସେଠାରେ ଫିଙ୍ଗି ଦେଇଛି ତାହା ସ୍ପଷ୍ଟ ହୋଇ ନାହିଁ। ତଦନ୍ତ ପରେ ସଠିକ କଥା ଜଣା ପଡିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।
( ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା)

Comments (0)
Add Comment