ଭୁବନେଶ୍ୱର,୦୯/୦୯(ପିପିଟି):ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ନିଆଳି ଅଞ୍ଚଳରେ ଟାଟା ପାୱାର ଦ୍ୱାରା ପରିଚାଳିତ ବିଦ୍ୟୁତ ସଞ୍ଚାରଣ ବ୍ୟବସ୍ଥା ଓ ସେବା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିଆଳିର ମାନ୍ୟବର ବିଧାୟକ ଛବି ମଲ୍ଲିକଙ୍କ ସମେତ ଟାଟା ପାୱାରର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଅଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଓ ସମସ୍ୟାର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ ଦେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ସମସ୍ତ ଭିତ୍ତିଭୂମି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ସମଗ୍ର ଅଞ୍ଚଳର ପ୍ରମୁଖ ୩୩ କେ.ଭି. (33KV) ବିଦ୍ୟୁତ ସଞ୍ଚାରଣ ଲାଇନ୍ ନେଟୱାର୍କର ସମ୍ପୂର୍ଣ୍ଣ ସଂସ୍କାର, ନିରନ୍ତର ବିଦ୍ୟୁତ ଯୋଗାଣ ଏବଂ କ୍ଷମତା ବୃଦ୍ଧି ଉପରେ ପ୍ରାଥମିକତା ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ନିରବିଚ୍ଛନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଏ.ବି. (Air Break) ସ୍ୱିଚ୍ ଏବଂ ପାୱାର ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମରଗୁଡ଼ିକର ଯାନ୍ତ୍ରିକ ମରାମତି ଓ ନବୀକରଣ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିବାକୁ ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ସର୍ଟ ସର୍କିଟ୍ ଏବଂ ଅପ୍ରତ୍ୟାଶିତ ବିଦ୍ୟୁତ କାଟକୁ ରୋକିବା ପାଇଁ ଟ୍ରାନ୍ସଫର୍ମର ଓ ଟ୍ରାନ୍ସମିସନ୍ ଲାଇନ୍ ଆଖପାଖରେ ଥିବା ଲତା ଓ ବୃକ୍ଷରାଜିକୁ ତୁରନ୍ତ ସଫା କରିବା ପାଇଁ ଏକ ସ୍ୱତନ୍ତ୍ର ରକ୍ଷଣାବେକ୍ଷଣ ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଗ୍ରାହକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଅଞ୍ଚଳର ପ୍ରତ୍ୟେକ ଘରୋଇ ଗ୍ରାହକଙ୍କ କ୍ଷେତ୍ରରେ ବିଦ୍ୟୁତ ଆର୍ଥିଂ (Earthing) ସୁରକ୍ଷା ମାନଦଣ୍ଡର କଡ଼ାକଡ଼ି ପାଳନକୁ ବାଧ୍ୟତାମୂଳକ କରିବାକୁ ସେ କହିଛନ୍ତି । କାର୍ଯ୍ୟର ଗୁଣବତ୍ତା ଏବଂ ଅଗ୍ରଗତି ଉପରେ କଡ଼ା ନଜର ରଖାଯିବ ବୋଲି ସୂଚାଇ ଦେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ ଯେକୌଣସି ସମୟରେ ନିଆଳି ଅଞ୍ଚଳ ଗସ୍ତ କରି ଭୂମିପୁଷ୍ଠରେ ଚାଲିଥିବା ଏହି ନବୀକରଣ କାର୍ଯ୍ୟର ଆକସ୍ମିକ ସମୀକ୍ଷା ଓ ଅନୁଧ୍ୟାନ କରିବେ।