ନାବାଳିକା ଅପହରଣ ଘଟଣାରେ ବୃଦ୍ଧ ଗିରଫ ।

ଭଞ୍ଜନଗର,୧୦/୦୯(ପିପିଟି):ଜଣେ ନାବାଳିକା କୁ ଅପହରଣ ଅଭିଯୋଗ ରେ ଜଣେ ବୃଦ୍ଧଙ୍କୁ ଗିରଫ କରିଛି ତାର ସିଂ ପୋଲିସ। ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଧୋବା ସାହିର ଜଣେ ୧୦ ବର୍ଷର ନାବାଳିକାକୁ ରାଇକିଆ ଥାନା ଅନ୍ତର୍ଗତ ସୁବଲାବାଡି ଗ୍ରାମର ସୁଶାନ୍ତ ସେଠୀ ନିଜ ସ୍କୁଟିରେ ଅପହରଣ କରି ନେଉଥିଲେ। ପରେ ଗାଲେରି ଠାରେ ନାବାଳିକାଜଣଙ୍କ କାନ୍ଦୁଥିବା ଦେଖି ସେଠାକାର ଅଞ୍ଚଳବାସୀ ଅଭିଯୁକ୍ତକୁ ଗୋଡ଼ାଇ ଅଟକାଇଥିଲେ। ଏହାପରେ ଲୋକେ ତାରସିଂ ପୋଲିସକୁ ଡାକି ଅଭିଯୁକ୍ତକୁ ହସ୍ତାନ୍ତର କରିଥିଲେ। ପୋଲିସ ତଦନ୍ତ କରିବା ପରେ ଅଭିଯୁକ୍ତ ଜଣକ ବେଆଇନ କାର୍ଯ୍ୟରେ ଜଡ଼ିତ ଥିବା ଜଣାପଡିଥିଲା। ଏଣୁ ସେ ନାବାଳିକାକୁ ଯୌନ ନିର୍ଯାତନା କିମ୍ବା ଅନ୍ୟତ୍ର ଚାଲାଣ ପାଇଁ ଯୋଜନା କରିଥିବା ସନ୍ଦେହ କରାଯାଉଛି। ପୋଲିସ ନାବାଳିକାଙ୍କ ମାଆ ରଶ୍ମିତା ସେଠିଙ୍କ ଏତଲାକୁ ଭିତ୍ତିକରି ଅଭିଯୁକ୍ତ ସୁଶାନ୍ତଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି।ଘଟଣାରୁ ପ୍ରକାଶ ଯେ ନୂଆଁପଲ୍ଲୀର ଉକ୍ତ ନାବାଳିକା ଗାଁ ଦାଣ୍ଡରେ ମଙ୍ଗଳବାର ଖେଳୁଥିଲେ।ତାର ବାପା ବାଙ୍ଗାଲୋରରେ କାମ କରୁଛନ୍ତି। ମା’ ରଶ୍ମିତା ଜମିକୁ କାମ କରିବାକୁ ଯାଇଥିଲେ।ଏହି ସମୟରେ ଅଭିଯୁକ୍ତ ଜଣଙ୍କ ଏକ ସ୍କୁଟିରେ ଉକ୍ତ ଗ୍ରାମରେ ପହଞ୍ଚି ଖେଳୁଥିବା ୩ ଭାଇ ଭଉଣୀ ମଧ୍ୟରୁ ବଡ ଭଉଣୀକୁ ଯୋଜନାବଦ୍ଧ ଭାବେ ଅପହରଣ କରି ନେଇଥିଲେ। ନାବାଳିକାଙ୍କ ମାଆ ଜମିରୁ ଫେରି ବଡ ଝିଅ ଘରେ ନ ଥିବା ଦେଖିବାକୁ ପାଇଥିଲେ। ଏହାପରେ ସାନ ଝିଅ ଓ ପୁଅକୁ ପଚାରିବାରୁ କିଏ ଜଣେ ଆସି ତାକୁ ଗାଲେରୀ ରାସ୍ତାରେ ନେଇଯାଇଥିବା କହିଥିଲେ। ଏହାପରେ ନାବାଳିକାଙ୍କ ମା’ଙ୍କ ଚିନ୍ତା ବଢ଼ିଯାଇଥିଲା। ଏହାପରେ ସେ ଗାଲେରି ଆଡ଼େ ଖୋଜିବାକୁ ଆସିଥିବା ସମୟରେ ଲୋକେ ତାଙ୍କ ଝିଅକୁ ଉଦ୍ଧାର କରିଥିବା ଜାଣିବାକୁ ପାଇଥିଲେ। ଏହାପରେ ପୋଲିସ ଉପସ୍ଥିତିରେ ରଶ୍ମିତା ନିଜ ଝିଅକୁ ଫେରି ପାଇଥିଲେ।ତାର ସିଂ ପୋଲିସ ଏସଂକ୍ରାନ୍ତରେ କେସ ନଂ ୩୩୮/୨୫ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଛାଞ୍ଚଲ୍ୟ ଖେଳାଇ ଦେଇଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment