ନାଟ୍ୟ ନିର୍ଦ୍ଦେଶକମାନେ ନାଟ୍ୟ ସଂସ୍କୃତିର ଜାଗ୍ରତ ପ୍ରହରୀ ସାଜିବା ଉଚିତ : ସୀମାନ୍ତ ନଟରାଜ ।

ବେଲଗୁଣ୍ଠା,୦୯/୦୨(ପିପିଟି):ଓଡ଼ିଶା ନାଟ୍ୟ ନିର୍ଦ୍ଦେଶକ ସଂଘ, ଗଞ୍ଜାମ ଜିଲ୍ଲା ଶାଖାର ତୃତୀୟ ବାର୍ଷିକୋତ୍ସବ ବେଲଗୁଣ୍ଠା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ଭବନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ସଂଘ ସଭାପତି ରାଜଗୋପାଳ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ବିଧିବତ୍ ଉଦ୍ଘାଟନ କରିବା ସହ ନାଟ୍ୟ ନିର୍ଦ୍ଦେଶକମାନେ ନିଜକୁ ନାଟ୍ୟ ସଂସ୍କୃତିର ଜାଗ୍ରତ ପ୍ରହରୀ ରୂପେ ସଜାଇ ପାରିଲେ ସାମ୍ପ୍ରତିକ ନାଟ୍ୟ ସଂସ୍କୃତିର ସୁରକ୍ଷା ଓ ବିକାଶ ହୋଇପାରିବ ବୋଲି ଉପସ୍ଥିତ ସଂଘ ସଦସ୍ୟ ଏବଂ ଦର୍ଶକମାନଙ୍କୁ ଉଦବୋଧନ ଦେଇଥିଲେ। ବରିଷ୍ଠ ପରିବେଶବିତ୍ ଶୂଳପାଣି ଶତପଥୀ ମୂଖ୍ୟ ଅତିଥ, ବରିଷ୍ଠ ସାରସ୍ୱତ ସାଧକ ଇଂ. ଯାମିନିକାନ୍ତ ଦାସ ମୂଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ନାଟ୍ୟକାର ଓ ଶିକ୍ଷାବିତ ଅଜିତ ଶତପଥୀ, ବିଦ୍ୟା ଭବନ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପାତ୍ର, ଦଣ୍ଡନାଚ ମହାସଂଘ ସଭାପତି ବ୍ରଜ ସୁନ୍ଦର ମଲ୍ଲିକ ପ୍ରମୁଖ ଯୋଗଦେଇ ସମ୍ପ୍ରତି ଲୋକ ରୁଚି ଘେନି କ୍ଷୁଦ୍ର ନାଟକମାନ ଦର୍ଶକଙ୍କୁ ଉତ୍କୃଷ୍ଟ ପ୍ରଦର୍ଶନ ଭେଟି ଦେଲେ ସେମାନେ ପୁନଶ୍ଚ ମଞ୍ଚ ମନସ୍କ ହେବେ ବୋଲି ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ସମ୍ପାଦକ ଭାସ୍କର ସେନାପତି ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ମଦନ ମିଶ୍ର ଏବଂ ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ସମ୍ପାଦକ ନାଟ୍ୟକାର ରମେଶ ମହାରଣାଙ୍କୁ ଅନୁଷ୍ଠାନ ପକ୍ଷରୁ ନାଟ୍ୟଗୁରୁ ସମ୍ମାନ ସହ ସର୍ବଶ୍ରୀ ମୁରଲୀଧର ପଣ୍ଡା, ସୁରେନ୍ଦ୍ର କୁମାର ଜେନା, କାହ୍ନୁ ଚାରଣ ଷଡ଼ଙ୍ଗୀ, ସରୋଜ କୁମାର ଭଞ୍ଜ, ସୁବାସ ଚନ୍ଦ୍ର ସାହୁ ରୋଶନ୍, ପ୍ରଫୁଲ୍ଲ ବେହେରା, ରମେଶ ଚନ୍ଦ୍ର ସ୍ବାଇଁ, ପରମେଶ୍ଵର ଗୌଡ଼, ବିଜୟ କୁମାର ପାତ୍ର ପ୍ରମୁଖଙ୍କୁ କଳାକାର ସମ୍ମାନ ପ୍ରଦାନ କରାଯାଇଥିଲା। ସେହିଭଳି ଦୀପକ କୁମାର ପାଢ଼ୀ, ରବୀନ୍ଦ୍ର ନାଥ ଗୌଡ଼, ସଦାନନ୍ଦ ରଣା, ରମାକାନ୍ତ ଆଚାର୍ଯ୍ୟ, ନିରଞ୍ଜନ ବାଡତ୍ୟା, ଭାଗିରଥି ସ୍ବାଇଁ, ନାରାୟଣ ନାହାକ, ମୁନା ରେଡ୍ଡୀ, ଡେନମ୍ କୁମାର, ନବୀନ ହୋତା ପ୍ରମୁଖ ବହୁ ନିର୍ଦ୍ଦେଶକଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଗୁରୁନାଥ ସାଂସ୍କୃତିକ ପରିଷଦ, ଲୁଦୁଲୁଦି ପ୍ରଯୋଜିତ ତଥା ନାଟ୍ୟକାର ବିଜୟ କୁମାର ପାତ୍ରଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ନାଟକ ‘ଥୁଣ୍ଟା ବରଗଛ’ ପରିବେଷଣ କରାଯାଇଥିଲା। ନାଟକଟି ଲୋକାଦୃତ ହୋଇପାରିଥିବା ପରିଲକ୍ଷିତ ହୋଇଥିଲା । ପରିଶେଷରେ ଓଡ଼ା ର ଜିଲ୍ଲା କୋଷାଧ୍ୟକ୍ଷ ଗୌତମ ବଡତ୍ୟା ଧନ୍ୟବାଦ ଦେଇଥିଲେ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Comments (0)
Add Comment